Categories: ଜାତୀୟ

ବିଚାରପତିଙ୍କ ସନ୍ଦେହ ଜନକ ମୃତ୍ୟୁ: ରାଜ୍ୟ ସରକାରଙ୍କଠାରୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩୦ ।୭: ଝାଡ଼ଖଣ୍ଡର ଧନବାଦରେ ଜଣେ ବିଚାରପତିଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାକୁ ସୁପ୍ରିମକୋର୍ଟ ନିଜ ଆଡୁ ନେଇ ବିଚାର କରିବାକୁ ସ୍ଥିର କରିଛନ୍ତି । ମୁଖ୍ୟ ବିଚାରପତି ଏନ ବି ରମଣ ଓ ଜଷ୍ଟିଶ ସୁର୍ଯ୍ୟକାନ୍ତଙ୍କ ଦ୍ୱାରା ଗଠିତ ଏକ ବେଞ୍ଚ ମୁଖ୍ୟ ସଚିବ ଓ ଡିଜିପିଙ୍କଠାରୁ ଏକ ସପ୍ତାହ ମଧ୍ୟରେ ଏହାର ଜବାବ ମାଗିଛନ୍ତି । ବେଞ୍ଚ କହିଛି ସାରା ଦେଶରେ ନ୍ୟାୟିକ ଅଧିକାରୀଙ୍କ ଉପରେ ବହୁ ଆକ୍ରମଣ ଘଟଣା ଘଟୁଛି । କୋର୍ଟ ସେମାନଙ୍କ ସୁରକ୍ଷା ସହ ଅନ୍ୟ ଦିଗକୁ ନେଇ ଶୁଣାଣି କରିବେ । ସୁପ୍ରିମକୋର୍ଟ ନିଜ ଆଦେଶରେ କହିଛନ୍ତି, ନିକଟରେ ଅଦାଲତ ପରିସରରେ ଓ ବାହାରେ ନ୍ୟାୟିକ ଅଧିକାରୀ ଓ ଓକିଲଙ୍କ ଉପରେ ଆକ୍ରମଣର କିଛି ଘଟଣା ସାମ୍ନାକୁ ଆସିଛି । ତେଣୁ ଏବେ ନ୍ୟାୟିକ ଅଧିକାରୀଙ୍କ ସୁରକ୍ଷାକୁ ନେଇ ବିଚାର କରିବାର ଆବଶ୍ୟକତା ପଡିଲାଣି । ଝାଡଖଣ୍ଡରେ ବିଚାରପତିଙ୍କ ମୃତ୍ୟୁର ସିସିଟିଭି ଫୁଟେଜ ଭାଇରାଲ ହେବା ପରେ ହାଇକୋର୍ଟ ନିଜ ଆଡୁ ରାଜ୍ୟ ସରକାରଙ୍କୁ ଜବାବ ମାଗିଛନ୍ତି । କୋର୍ଟରେ ଡିଜିପି କହିଛନ୍ତି ଘଟଣାର ଯାଞ୍ଚ ପାଇଁ ଏସ୍‌ଆଇଟି ଗଠନ କରାଯାଇଛି । ଏହାକୁ ନେଇ ହାଇକୋର୍ଟ କହିଛନ୍ତି ଯଦି ଯାଞ୍ଚ ଠିକ୍ ନ ହେଲା ତେବେ ମାମଲା ସିବିଆଇକୁ ଟ୍ରାନ୍ସଫର କରି ଦିଆଯିବ । ସୂଚନାଯୋଗ୍ୟ, ଗୁରୁବାର ଧନବାଦରେ ମର୍ଣ୍ଣିଂ ୱାକ ସମୟରେ ବିଚାରପତି ଉତ୍ତମ ଆନନ୍ଦଙ୍କୁ ଅଟୋ ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଯେଉଁଭଳି ଭାବେ ଅଟୋ ତାଙ୍କୁ ଧକ୍କା ଦେଇଥିଲା ଏହା ସମ୍ପୂର୍ଣ୍ଣ ଭାବେ ଏକ ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି କୁହାଯାଉଛି ।

Share