Categories: ଜାତୀୟ

ଭୁବନେଶ୍ୱର, ଯୋଧପୁର ଏମ୍ସକୁ ସୁପ୍ରିମକୋର୍ଟଙ୍କ ନୋଟିସ୍‌

ନୂଆଦିଲ୍ଲୀ,୭।୫: ଭୁବନେଶ୍ୱର ଏବଂ ଯୋଧପୁର ଏମ୍ସର ଓକିଲଙ୍କୁ ସୁପ୍ରିମକୋର୍ଟ ସମନ ଜାରି କରି ଅଦାଲତରେ ହାଜର ହେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଏମ୍ସରେ ପୋଷ୍ଟ ଗ୍ରାଜୁଏଟ୍‌ ନାମଲେଖା ପାଇଁ ପ୍ରଚଳିତ ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରି ସର୍ବୋଚ୍ଚ ଅଦାଲତରେ ପିଟିଶନ ଦାଏର ହୋଇଥିଲା।
ବିଚାରପତି ଏଲ୍‌. ନାଗେଶ୍ୱର ରାଓ ଏବଂ ବି.ଆର୍‌. ଗଭାଇଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହା ଉପରେ ଆସନ୍ତା ସପ୍ତାହରେ ରାୟ ପ୍ରଦାନ କରିବେ ବୋଲି କହିବା ସହ ଦୁଇ ଶିକ୍ଷାନୁଷ୍ଠାନର ତଥ୍ୟ ସଂଗ୍ରହ ଲାଗି ସେମାନଙ୍କ ଓକିଲଙ୍କୁ କହିଛନ୍ତି। ମେ’ ୧୩ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ପୋଷ୍ଟ ଗ୍ରାଜୁଏଟ୍‌ ନାମଲେଖା ପାଇଁ ଶିକ୍ଷାନୁଷ୍ଠାନ ପ୍ରାଥମିକତା ନିମନ୍ତେ ବ୍ୟବହୃତ ସିଷ୍ଟମକୁ ସ୍ବଚ୍ଛ କରିବା ଲାଗି ପୂର୍ବରୁ ଏମ୍ସକୁ ଅଦାଲତ ନିର୍ଦ୍ଦେଶ ଦେଇଥିବା ବରିଷ୍ଠ ଆଇନଜୀବୀ ଅରବିନ୍ଦ ଦତାର କହିଥିଲେ। ତେବେ ଏଥିପାଇଁ ସେମାନଙ୍କୁ ସୁପ୍ରିମକୋର୍ଟରୁ ନିର୍ଦ୍ଦେଶ ଦିଆଯିବ ବୋଲି କୁହାଯାଇଥିଲା। ଜବାହରଲାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ପୋଷ୍ଟ ଗ୍ରାଜୁଏଟ୍‌ ମେଡିକାଲ ଏଜୁକେଶନ ଆଣ୍ଡ୍‌ ରିସର୍ଚ୍ଚ (ଜେଆଇପିଏମ୍‌ଇଆର୍‌)ର ରୋଷ୍ଟର ମଡେଲ କାର୍ଯ୍ୟକାରୀ କରିବା ଦାବି କରି ଏମ୍ସ ଛାତ୍ର ସଂଗଠନ ପକ୍ଷରୁ ସୁପ୍ରିମକୋର୍ଟରେ ପିଟିଶନ ଦାଏର ହୋଇଥିଲା।

Share