Categories: ଜାତୀୟ

‘ଜେଲରେ ୩୫ କିଲୋ ଓଜନ କମିଗଲାଣି, କଙ୍କାଳ ହୋଇଗଲେଣି…’, ଜାମିନ ପାଇଁ ସୁପ୍ରିମକୋର୍ଟଙ୍କୁ ଗୁହାରି କଲେ ସତ୍ୟେନ୍ଦ୍ର ଜୈନ

ନୂଆଦିଲ୍ଲୀ,୧୮।୫: ସୁପ୍ରିମକୋର୍ଟଙ୍କ ପକ୍ଷରୁ ଗୁରୁବାର ଦିଲ୍ଲୀର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)କୁ ଜବାବ ମାଗିଛନ୍ତି। ସତ୍ୟେନ୍ଦ୍ର ଜୈନ ମନି ଲଣ୍ଡରିଂ ମାମଲାରେ ଗତ କିଛି ମାସ ହେବ ଦିଲ୍ଲୀର ତିହାର ଜେଲରେ ବନ୍ଦୀ ହୋଇ ରହିଛନ୍ତି।

ଜଷ୍ଟିସ ଏସ ବୋପନ୍ନା ଏବଂ ହିମା କୋହଲିଙ୍କ ଏକ ବେଞ୍ଚ ଇଡିକୁ ନୋଟିସ ଜାରି କରିବାବେଳେ ଜୈନଙ୍କୁ କୋର୍ଟର ଭ୍ୟାକେଶନ ବେଞ୍ଚରେ ରିଲିଫ ଆବେଦନ କରିବାକୁ ସ୍ବାଧୀନତା ପ୍ରଦାନ କରିଥିଲେ।
ବରିଷ୍ଠ ଆଇନଜୀବୀ ଅଭିଷେକ ସିଂଭି ଯୁକ୍ତି କରିଛନ୍ତି ଯେ ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଜେଲରେ ରହିବା ସମୟରେ ତାଙ୍କ ଶରୀରର ଓଜନ ୩୫ କିଲୋଗ୍ରାମ କମିଯାଇଛି ଏବଂ ସେ କଙ୍କାଳରେ ପରିଣତ ହୋଇଗଲେଣି। ଏହାସହ ସେ ମଧ୍ୟ ଅନେକ ରୋଗରେ ପୀଡିତ।
ଇଡି ପାଇଁ ହାଜର ହେଉଥିବା ଅତିରିକ୍ତ ସଲିସିଟର ଜେନେରାଲ ଏସ.ଭି ରାଜୁ କହିଛନ୍ତି ଯେ ଆମେ ଏହି ଆବେଦନକୁ ବିରୋଧ କରୁଛୁ। ଏହା ଉପରେ କୋର୍ଟ ପରବର୍ତ୍ତୀ ଶୁଣାଣି ପାଇଁ କୌଣସି ସ୍ପଷ୍ଟ ତାରିଖ ଦେଇନାହାଁନ୍ତି ଏବଂ କହିଛନ୍ତି ଯେ ଜୈନ ରିଲିଫ ପାଇଁ ଭ୍ୟାକେଶନ ବେଞ୍ଚରେ ଆବେଦନ କରିପାରିବେ।

Share