Categories: ଜାତୀୟ

ଜ୍ଞାନବାପି ମାମଲାରେ କେନ୍ଦ୍ରର ଜବାବ ଲୋଡିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୪।୧୧ : ଜ୍ଞାନବାପି ସହ ଜଡିତ ପୂଜାପାଠ ସ୍ଥଳ ଆଇନ ମାମଲାର ଶୁଣାଣି ସୋମବାର ସ୍ଥଗିତ ରଖାଯାଇଛି। ଏହି ମାମଲାରେ ସୁପ୍ରିମ୍‌କୋର୍ଟ କେନ୍ଦ୍ରର ଜବାବ ଲୋଡିଛନ୍ତି। ଡିସେମ୍ବର ୧୨ ସୁଦ୍ଧା ଏହାର ଉତ୍ତର ଦାଖଲ କରିବାକୁ ସୁପ୍ରିମକୋର୍ଟ କହିଛନ୍ତି। ଜାନୁଆରୀ ପ୍ରଥମ ସପ୍ତାହରେ ଏହି ମାମଲାର ଶୁଣାଣି ହେବ। ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ ସରକାର ଏହି ପ୍ରସଙ୍ଗରେ ଆଲୋଚନା କରୁଛନ୍ତି। ସେପ୍ଟେମ୍ବର ୯ ରେ, ଉପାସନା ସ୍ଥାନର ବୈଧତାକୁ ଚ୍ୟାଲେଞ୍ଜ କରୁଥିବା ଆବେଦନ ତିନିଜଣିଆ ଖଣ୍ଡପୀଠକୁ ପଠାଯାଇଥିଲା। ସମସ୍ତ ଆବେଦନ ଉପରେ ସୁପ୍ରିମକୋର୍ଟ କେନ୍ଦ୍ରକୁ ନୋଟିସ ଜାରି କରିଥିଲେ।

ଏହା ପରେ ସୁପ୍ରିମକୋର୍ଟ ଅକ୍ଟୋବର ୩୧ ସୁଦ୍ଧା ଏହାର ଉତ୍ତର ଦାଖଲ କରିବାକୁ କେନ୍ଦ୍ରକୁ କହିଥିଲେ। ଏହି ଆଇନ ସମ୍ବିଧାନ ଦ୍ୱାରା ଦିଆଯାଇଥିବା ନ୍ୟାୟିକ ସମୀକ୍ଷା ଅଧିକାରକୁ ବାରଣ କରିଛି ବୋଲି ଆବେଦନପତ୍ରରେ କୁହାଯାଇଥିଲା। ସମ୍ବିଧାନର ଧାରା ୧୩ ଅନୁଯାୟୀ ଦିଆଯାଇଥିବା ମୌଳିକ ଅଧିକାର ଯୋଗୁ ଆଇନର ବ୍ୟବସ୍ଥା ନିଷ୍ପ୍ରଭାବ ହୋଇଯାଉଥିବା କୁହାଯାଇଥିଲା।

ଏହି କାର୍ଯ୍ୟ ସମାନତା, ଜୀବନ ଅଧିକାର ଏବଂ ଉପାସନା ଅଧିକାରକୁ ଉଲ୍ଲଂଘନ କରୁଥିବା ଦର୍ଶାଯାଇଥିଲା। ମାର୍ଚ୍ଚ ୨୦୨୧ ରେ, ସୁପ୍ରିମକୋର୍ଟ ୧୯୯୧ପୂଜା ତଥା ଉପାସନା ସ୍ଥାନର ବୈଧତା ଯାଞ୍ଚ କରିବାକୁ ରାଜି ହୋଇଥିଲେ। ଏହି ପ୍ରସଙ୍ଗରେ କୋର୍ଟ ଭାରତ ସରକାରଙ୍କୁ ନୋଟିସ ଜାରି କରି ଏହାର ଉତ୍ତର ମାଗିଥିଲେ। ଭାଜପା ନେତା ତଥା ଆଇନଜୀବୀ ଅଶ୍ୱିନୀ ଉପାଧ୍ୟାୟ ତାଙ୍କ ଜନସ୍ବାର୍ଥ ମାମଲାରେ ପୂଜାପାଠ ଅଧିନିୟମ ରଦ୍ଦ କରିବାକୁ ଦାବି କରିଥିଲେ ଯାହା ଦ୍ୱାରା ଇତିହାସର ଭୁଲଗୁଡିକ ସଂଶୋଧିତ ହେବ।

ଅଶ୍ୱିନୀ ଉପାଧ୍ୟାୟ ତାଙ୍କ ଆବେଦନରେ କହିଛନ୍ତି ଯେ ସ୍ଥାନ ପୂଜା ଅଧିନିୟମ ୧୯୯୧ ର ନିୟମାବଳୀ ଅଣସାମ୍ବିଧାନିକ । ଏହା ା ସମ୍ବିଧାନର ଧାରା ୧୪,୧୫,୨୧,୨୫,୨୬ ଏବଂ ୨୯ କୁ ଉଲ୍ଲଂଘନ କରୁଛି। ଜୀବନ ଅଧିକାର ଏବଂ ସମ୍ବିଧାନର ଧାର୍ମିକ ସ୍ବାଧୀନତା ଉପରେ ହସ୍ତକ୍ଷେପ କରୁଛି। କେନ୍ଦ୍ର ସରକାର ଏହାର ଅଧିକାରରୁ ବାହାରକୁ ଯାଇ ଏହି ନିୟମ କରିଛନ୍ତି। ଉପାସନା ଏବଂ ଧାର୍ମିକ ବିଷୟଗୁଡିକ ରାଜ୍ୟ ବିଷୟ ଏବଂ କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ମନମୁଖୀ ଆଇନ ପ୍ରଣୟନ କରିଛନ୍ତି।

Share