Categories: ଜାତୀୟ

ଗେଟ୍‌ ପରୀକ୍ଷା ସ୍ଥଗିତ କରିବାକୁ ସୁପ୍ରିମ୍‌କୋର୍ଟଙ୍କ ମନା, ଛାତ୍ରୀଛାତ୍ରମାନଙ୍କ ଭବିଷ୍ୟତ ସହିତ ଖେଳି ହେବ ନାହିଁ…

ନୂଆଦିଲ୍ଲୀ, ୩।୨ : କରୋନା ମହାମାରୀ କାରଣରୁ ଗ୍ରାଜୁଏଟ ଆପ୍ଟିଚ୍ୟୁଡ ଟେଷ୍ଟ ଇନ୍‌ ଇଞ୍ଜିନିୟରିଂ (ଗେଟ୍‌ )କୁ ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ପରୀକ୍ଷାକୁ କିଛି ଦିନ ସ୍ଥଗିତ ରଖିବାଦ୍ୱାରା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଶୃଙ୍ଖଳା ଏବଂ ଅନିଶ୍ଚିତତା ସୃଷ୍ଟି ହେବ। କୋଭିଡ -୧୯କାରଣରୁ ପରୀକ୍ଷା ସ୍ଥଗିତ ରଖିବାକୁ ଏକ ଆବେଦନ ଉପରେ ଗୁରୁବାର ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି ଯେ ପରୀକ୍ଷା ପାଇଁ ପ୍ରସ୍ତୁତି କରିଥିବା ଛାତ୍ରୀଛାତ୍ରମାନଙ୍କ ଭବିଷ୍ୟତ ସହିତ ଖେଳି ହେବ ନାହିଁ।

ଜଷ୍ଟିସ ଧନଞ୍ଜୟ ଓ୍ବାଇ ଚନ୍ଦ୍ରଚୂଡ଼, ସୂର୍ଯ୍ୟ କାନ୍ତ ଏବଂ ବିକ୍ରମ ନାଥଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି, କୋର୍ଟ ଏପରି ଏକାଡେମିକ କାର୍ଯ୍ୟରେ ହସ୍ତକ୍ଷେପ କରିବା ବିପଦପୂର୍ଣ୍ଣ । ଆମେ ଛାତ୍ରୀଛାତ୍ରମାନଙ୍କ କ୍ୟାରିୟର ସହିତ ଖେଳିବା ନାହିଁ । ପରୀକ୍ଷା ପରିଚାଳନା କର୍ତ୍ତୃପକ୍ଷଙ୍କୁ ଏହା ଉପରେ ନିଷ୍ପତ୍ତି ନେବାକୁ ଅନୁମତି ଦେବା ଉଚିତ୍‌।

ପରୀକ୍ଷା ୫ ଫେବୃଆରୀରୁ ହେଉଥିବାବେଳେ ଅଧିକାଂଶ ଛାତ୍ରୀଛାତ୍ର ନିଶ୍ଚିତ ଭାବରେ ଏଥିପାଇଁ ପ୍ରସ୍ତୁତ ହୋଇ ସାରିଥିବେ। ପରୀକ୍ଷା ସ୍ଥଗିତ ରଖିବା ପରି କୌଣସି ଆଦେଶ ଛାତ୍ରୀଛାତ୍ରମାନଙ୍କ ପାଇଁ ସଙ୍କଟ ସୃଷ୍ଟି କରିବ।

ଗେଟ୍‌ ପରୀକ୍ଷା କାର୍ଯ୍ୟସୂଚୀ ଅନୁଯାୟୀ ଫେବୃୟାରୀ ୫,୬,୧୨ ଏବଂ ୧୩ରେ ପରୀକ୍ଷା କରାଯିବ। ଦୁଇଟି ସିଫ୍ଟରେ ଗେଟ ପରିଚାଳିତ ହେବ। ଏଥିରେ ପ୍ରାୟ ୯ ଲକ୍ଷ ଛାତ୍ରୀଛାତ୍ର ଅଂଶଗ୍ରହଣ କରୁଛନ୍ତି। ପ୍ରଥମ ସିଫ୍ଟ ସକାଳ ୯ ଟାରୁ ମଧ୍ୟାହ୍ନ ୧୨ ଟା ଏବଂ ଦ୍ୱିତୀୟ ସିଫ୍ଟ ଅପରାହ୍ନ ୨ଟା ୩୦ରୁ ୫ଟା ୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପରୀକ୍ଷା ପାଇଁ ଆଡମିଟ କାର୍ଡ ଜାରି କରାଯାଇଛି। ଏଥର ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (ଆଇଆଇଟି) ଖଡ଼ଗପୁର ପରୀକ୍ଷା ଆୟୋଜନ କରୁଛି।

Share