Categories: ଜାତୀୟ

ଗାଈକୁ ଜାତୀୟ ପ୍ରାଣୀ ଘୋଷଣା ଆବେଦନର ଶୁଣାଣି କରିବାକୁ ମନା କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୦।୧୦ : ଗାଈକୁ ଜାତୀୟ ପ୍ରାଣୀ ବୋଲି ଘୋଷଣା କରିବାକୁ ହୋଇଥିବା ଆବେଦନର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ଏଭଳି ଆଭିମୁଖ୍ୟ ପରେ ଆବେଦନକାରୀ ଏହି ଆବେଦନ ପ୍ରତ୍ୟାହାର କରିଛନ୍ତି। ଶୁଣାଣି ସମୟରେ ଜଷ୍ଟିସ ସଞ୍ଜୟ କିଶାନ କୌଲ ଆବେଦନକାରୀଙ୍କ ଆଇନଜୀବୀଙ୍କୁ ପଚାରିଥିଲେ ଯେ ଏହା କୋର୍ଟର କାମ କି? ଏହା ଦ୍ୱାରା କାହାର ମୌଳିକ ଅଧିକାର ଉଲ୍ଲଂଘନ ହେଉଛି କି?

ଜଷ୍ଟିସ କୌଲ କହିଛନ୍ତି ଯେ ଆପଣ କାହିଁକି ଏପରି ପିଟିଶନ ଦାଖଲ କରନ୍ତି, ଯାହାଦ୍ୱାରା ଆମେ ଜରିମାନା ଆଦାୟ କରିବାକୁ ବାଧ୍ୟ ହେଉଛୁ। ତୁମେ କୋର୍ଟକୁ ଆସୁଛ ବୋଲି କ’ଣ ଆଇନବ୍ୟବସ୍ଥାକୁ ପବନରେ ଉଡ଼ାଇବା ଭଳି ଆଚରଣ ପ୍ରଦର୍ଶନ କରିବା ଉଚିତ କି? ବୋଲି ପ୍ରଶ୍ନ କରିଛନ୍ତି।

ଏହା ଉପରେ ଆଇନଜୀବୀ କହିଥିଲେ ଯେ ଭାରତ ସରକାରଙ୍କ ପାଇଁ ଗାଈର ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ। ସରକାର ସବୁ କ୍ଷେତ୍ରରେ କହିଛନ୍ତି ଯେ ଗାଈମାନଙ୍କୁ ସର୍ବଦା ସୁରକ୍ଷା ଦିଆଯିବା ଉଚିତ। ସରକାର ଏହାକୁ ବିଚାର କରିବା ଜରୁରୀ। ଆମେ ଗାଈଠାରୁ ସବୁକିଛି ପାଉଛୁ । ତେବେ ଏହି ପିଟିଶନର ଶୁଣାଣି ହେବ ନାହିଁ ବୋଲି କୋର୍ଟ କହିଛନ୍ତି।

Share