Categories: ଜାତୀୟ

ପାର୍ଲାମେଣ୍ଟ ପ୍ରଣୀତ ଆଇନକୁ ସୁପ୍ରିମକୋର୍ଟ ରଦ୍ଦ କରିବା ବିଶ୍ୱରେ ବିରଳ: ଉପରାଷ୍ଟ୍ରପତି

ନୂଆଦିଲ୍ଲୀ,୪।୧୨: ପାର୍ଲାମେଣ୍ଟ ପ୍ରଣିତ ଜାତୀୟ ନ୍ୟାୟିକ ନିଯୁକ୍ତି କମିଶନ ଆଇନ (ଏନ୍‌ଜେଏସି)କୁ ସୁପ୍ରିମକୋର୍ଟ ରଦ୍ଦ କରିଦେବା ବିଶ୍ୱରେ ବିରଳ ଉଦାହରଣ ବୋଲି ଉପରାଷ୍ଟ୍ରପତି ଜଗଦୀପ୍‌ ଧନକର କହିଛନ୍ତି। ଏନେଇ ପାର୍ଲାମେଣ୍ଟରେ ଆଲୋଚନା ନ ହେବା ଗୁରୁତର ପ୍ରସଙ୍ଗ ବୋଲି ସେ ମତ ଦେଇଛନ୍ତି।

ସଂସଦରେ ଗୃହୀତ ହେଉଥିବା ଆଇନ ଜନସାଧାରଣଙ୍କ ଇଚ୍ଛାକୁ ପ୍ରତିଫଳିତ କରିଥାଏ। ସୁପ୍ରିମକୋର୍ଟ ଏହାକୁ ରଦ୍ଦ କରିଦେବା ଭଳି ଦୃଷ୍ଟାନ୍ତ ବିଶ୍ୱ ଜାଣେନାହିଁ। ସାମ୍ବିଧାନିକ ବ୍ୟବସ୍ଥା ଉପରେ ଉପରାଷ୍ଟ୍ରପତି କହିଥିଲେ, ଆଇନକୁ ନେଇ କୌଣସି ପ୍ରଶ୍ନ ଉଠିଲେ, ଅଦାଲତ ଏହାକୁ ଅନୁଧ୍ୟାନ କରିଥାନ୍ତି। ତେବେ ଆଇନକୁ ରଦ୍ଦ କରିଦେବା କଥା କେଉଁଠି କୁହାଯାଇ ନାହିଁ ବୋଲି ଉପରାଷ୍ଟ୍ରପତି ଭାରତର ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଉପସ୍ଥିତିରେ କହିଥିଲେ। ଦିଲ୍ଲୀରେ ଏଲ୍‌.ଏମ୍‌. ସିଂଘଭି ସ୍ମାରକୀ ବକ୍ତୃତାରେ ଉଦ୍‌ବୋଧନ ଦେଇ ଉପରାଷ୍ଟ୍ରପତି ସମ୍ବିଧାନର ପ୍ରସ୍ତାବନାରେ ‘ଆମେ ଜନସାଧାରଣ’ ଏବଂ ପାର୍ଲାମେଣ୍ଟ ଜନସାଧାରଣଙ୍କ ଇଚ୍ଛାର ପ୍ରତିଫଳନ ବୋଲି ଉଲ୍ଲେଖ ଥିବା କହିଥିଲେ। ଏହାର ଅର୍ଥ କ୍ଷମତା ଲୋକଙ୍କ ହାତରେ, ସେମାନଙ୍କ ଜନାଦେଶ ଓ ବୁଦ୍ଧିରେ ରହିଛି। ୨୦୧୫-୧୬ରେ ପାର୍ଲାମେଣ୍ଟରେ ସମ୍ବିଧାନ ସଂଶୋଧନ ବଳରେ ଏନ୍‌ଜେଏସି ଆଇନ ଅଣାଯାଇଥିଲା। ସମ୍ପୂର୍ଣ୍ଣ ଲୋକ ସଭା ସର୍ବସମ୍ମତିକ୍ରମେ ଏହା ସପକ୍ଷରେ ଭୋଟ ଦେଇଥିଲେ, ଯାହା ଏକ ରେକର୍ଡ। ସେହିପରି ରାଜ୍ୟ ସଭାରେ ଜଣେ ସଦସ୍ୟ ଉପସ୍ଥିତ ଥାଇ ଅନ୍ୟମାନେ ସର୍ବସମ୍ମତ ସମର୍ଥନ ଜଣାଇଥିଲେ। ଲୋକଙ୍କ କ୍ଷମତା ଯାହା ଏକ ବୈଧ ମଞ୍ଚ ଜରିଆରେ ଉପସ୍ଥାପନ କରାଯାଇଥିଲା ଏହାକୁ ରଦ୍ଦ କରିଦିଆଗଲା, ଯାହା ବିଶ୍ୱରେ କେବେ ହୋଇନାହିଁ ବୋଲି ଧନକର କହିଛନ୍ତି। କଲେଜିୟମ ବ୍ୟବସ୍ଥାକୁ ବଦଳାଇବା କ୍ଷମତା ଏନ୍‌ଜେଏସିରେ ରହିଥିଲା। ସର୍ବୋଚ୍ଚ ଅଦାଲତ ଏହାକୁ ଅସାମ୍ବିଧାନିକ କହି ରଦ୍ଦ କରିଦେଇଥିଲେ।

Share