ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ: ଜନ୍ତରମନ୍ତର ଆନ୍ଦୋଳନରେ ଛାତ୍ରଙ୍କ ବିରୋଧରେ ହୋଇଥିବା ସବୁ ଏଫଆଇଆର ରଦ୍ଦ

ନୂଆଦିଲ୍ଲୀ,୧।୯: ସୁପ୍ରିମକୋର୍ଟ ଯନ୍ତରମନ୍ତର ଆନ୍ଦୋଳନ ସମୟରେ ପ୍ରଦର୍ଶନକାରୀ ଛାତ୍ରୀଛାତ୍ରଙ୍କ ବିରୋଧରେ ରୁଜୁ ହୋଇଥିବା ଏଫଆଇଆରକୁ ରଦ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶୁଣାଣି ସମୟରେ ପ୍ରଧାନ ବିଚାରପତି (ସିଜେଆଇ) ସୂର୍ଯ୍ୟକାନ୍ତ କହିଛନ୍ତି ଯେ ଯଦି କୌଣସି ରାଜ୍ୟରେ ଏହି ମାମଲାକୁ ନେଇ ଅନ୍ୟ କୌଣସି ଏଫଆଇଆର୍‌ ରହିଛି, ତେବେ ସେଥିରେ ତଦନ୍ତ ବନ୍ଦ କରାଯାଉ। ସୁପ୍ରିମକୋର୍ଟ ଆତ୍ମହତ୍ୟା କରିଥିବା ଛାତ୍ରଛାତ୍ରୀଙ୍କ ପରିବାରକୁ ୩ ମାସ ମଧ୍ୟରେ କ୍ଷତିପୂରଣ ଦେବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଦିଲ୍ଲୀରେ ଏହି ମାମଲାରେ ୨,୮୭୩ ଜଣଙ୍କ ବିରୋଧରେ ନୂଆ ଏଫଆଇଆର୍‌ ରୁଜୁ କରାଯାଇପାରିବ।

ପ୍ରଧାନ ବିଚାରପତି କହିଛନ୍ତି ଯେ ଦିଲ୍ଲୀ, ମହାରାଷ୍ଟ୍ର, ଆସାମ, ବିହାର ଏବଂ ପଶ୍ଚିମବଙ୍ଗର ଆବେଦନ ରହିଛି, ଯେଉଁଥିରେ ଏଫଆଇଆରର ବିବରଣୀ ରହିଛି। ଜୁଲାଇ ୨୦ ରୁ ୨୫ ମଧ୍ୟରେ ଯନ୍ତରମନ୍ତର ଏବଂ ଏହାର ଆଖପାଖ ଅଞ୍ଚଳରେ ହଜାର ହଜାର ଛାତ୍ରଛାତ୍ରୀ ଆନ୍ଦୋଳନରେ ଭାଗ ନେଇଥିଲେ। ପୋଲିସ ମୋଟ ୧୩ଟି ଏଫଆଇଆର୍‌ ରୁଜୁ କରିଥିଲା। ସରକାର ଚାହାଁନ୍ତି ଯେ ଛାତ୍ରଛାତ୍ରୀଙ୍କର କୌଣସି କ୍ଷତି ନ ହେଉ ଏବଂ କେବଳ ବିକ୍ଷୋଭ ପ୍ରଦର୍ଶନରେ ସାମିଲ ହେବାକୁ ଅପରାଧ ଭାବେ ନ ଦେଖାଯାଉ। କେନ୍ଦ୍ର ସରକାର ଏହି ଏଫଆଇଆର୍‌ ଗୁଡ଼ିକ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ସିଜେଆଇ କହିଛନ୍ତି, ଯଦି କୌଣସି ରାଜ୍ୟରେ ଏପରି କୌଣସି ଏଫଆଇଆର୍‌ ଥାଏ ଯାହାର ସୂଚନା ଏପର୍ଯ୍ୟନ୍ତ ଆମକୁ ଦିଆଯାଇ ନାହିଁ, ତେବେ ତାହାକୁ ରଦ୍ଦ କରିବା ଦାବିକୁ ରାଜ୍ୟମାନେ ବିରୋଧ କରିବେ ନାହିଁ। ସେ କହିଛନ୍ତି, ଆମକୁ ସୂଚନା ଦିଆଯାଇଛି ଯେ ପୁରୁଣା ଅପରାଧିକ ରେକର୍ଡ ଥିବା ୨,୮୭୩ ଜଣଙ୍କ ବିରୋଧରେ ଦିଲ୍ଲୀ ପୋଲିସ ନୂଆ ଏଫଆଇଆର୍‌ ରୁଜୁ କରିବ, ଆଉ କୌଣସି ନୂଆ ଏଫଆଇଆର୍‌ ରୁଜୁ ହେବ ନାହିଁ। ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ସମାନ ନିର୍ଦ୍ଦେଶ ଜାରି କରାଯାଉ।

ସିଜେଆଇ କହିଛନ୍ତି, NEET ପରୀକ୍ଷା, ୨୦୨୬ କାରଣରୁ ଆତ୍ମହତ୍ୟା କରିଥିବା ଛାତ୍ରଛାତ୍ରୀଙ୍କ କ୍ଷତିପୂରଣ ପ୍ରସଙ୍ଗରେ ଆମକୁ ଅବଗତ କରାଯାଇଛି ଯେ ଏହା ଉପରେ ୩ ମାସ ମଧ୍ୟରେ ନୀତି ପ୍ରସ୍ତୁତ କରାଯିବ। ଏହି ନୀତିକୁ ୩ ମାସ ମଧ୍ୟରେ ଚୂଡ଼ାନ୍ତ କରି କ୍ଷତିପୂରଣ ପ୍ରଦାନ କରାଯାଉ।

Share