୨୭ରୁ ସବୁ ଟ୍ରେନ୍‌ ଟିକେଟ ପାଇଁ ବୀମାକୁ ବାଧ୍ୟତାମୂଳକ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୫ା୧୦: ସମସ୍ତ ଟ୍ରେନ୍‌ ଯାତ୍ରୀଙ୍କୁ ସୁରକ୍ଷା ଯୋଗାଇଦେବା ସ୍ବରୂପ ଆସନ୍ତା ୨୭ରୁ କାଉଣ୍ଟରରୁ କିଣାଯାଉଥିବା ସମସ୍ତ ଟିକେଟ ଉପରେ ବୀମା ସୁବିଧା ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ରେଲଓ୍ବେକୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶ କାର୍ଯ୍ୟକାରୀ ନ ହେଲେ ରେଲଓ୍ବେ ବୋର୍ଡକୁ ସିଧାସଳଖ ଦାୟୀ କରାଯିବ ବୋଲି ସର୍ବୋଚ୍ଚ ଅଦାଲତ ଚେତାବନୀ ଦେଇଛନ୍ତି। ୨୦୨୩ ଜୁନ୍‌ରେ ଓଡ଼ିଶାରେ ଘଟିଥିବା ଟ୍ରେନ୍‌ ଦୁର୍ଘଟଣା ଉପରେ ଏକ ଆବେଦନର ବିଚାର କରି ଗତ ୬ ତାରିଖରେ ସୁପ୍ରିମକୋର୍ଟ ଉପରୋକ୍ତ ନିର୍ଦ୍ଦେଶ ଦେଇଥିଲେ। କବଚ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ ନ ହେବା ଦୁର୍ଘଟଣାର କାରଣ ବୋଲି ଆବେଦନକାରୀ ଦର୍ଶାଇବା ସହ ଏହାର ତଦନ୍ତ ପାଇଁ ଏକ କମିଶନ ଗଠନ କରିବାକୁ ଦାବି କରିଥିଲେ। ଏଥିସହିତ କବଚ ସୁରକ୍ଷା ବ୍ୟବସ୍ଥା ସମସ୍ତ ଟ୍ରେନ୍‌ରେ ଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ସେ ପିଟିଶନ୍‌ରେ ନିବେଦନ କରିଥିଲେ।
କବଚ ଆଣ୍ଟି କଲିଜନ୍‌ ସିଷ୍ଟମ, ରେଳଲାଇନ କଡ଼ରେ ବାଡ଼ ଓ ଫୁଟ୍‌ ଓଭରବ୍ରିଜ୍‌ ନିର୍ମାଣ ସମେତ ରେଳ ସୁରକ୍ଷା ପଦକ୍ଷେପଗୁଡ଼ିକର ଅଗ୍ରଗତି ନେଇ ଅଦାଲତ ଗଭୀର ଚିନ୍ତାବ୍ୟକ୍ତ କରିବା ସହ ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍‌ ଅହସନୁଦ୍ଦିନ ଅମନୁଲ୍ଲା ଏବଂ ଆର୍‌. ମହାଦେବନଙ୍କ ଖଣ୍ଡପୀଠ କହିଛନ୍ତି, ଅନ୍‌ଲାଇନ ବୁକିଂ ସୁବିଧା ପାଇପାରୁ ନ ଥିବା ଯାତ୍ରୀଙ୍କ ସମେତ ଅଫ୍‌ଲାଇନରେ ଟିକେଟ କଣୁଥିବା ଯାତ୍ରୀଙ୍କୁ ବୀମା ଯୋଗାଇଦେବା ଦିଗରେ ଏକ ବ୍ୟବସ୍ଥା ଉପରେ କାର୍ଯ୍ୟ କରିବା ନିମନ୍ତେ କର୍ତ୍ତୃପକ୍ଷଙ୍କୁ ପର୍ଯ୍ୟାପ୍ତ ସମୟ ଦିଆଯାଇଥିଲା। ତାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ନ ଥିବାରୁ ଖଣ୍ଡପୀଠ ଅସନ୍ତୋଷ ବ୍ୟକ୍ତ କରିବା ସହ ରେଲଓ୍ବେ କାଉଣ୍ଟରରେ ବିକ୍ରି ହେଉଥିବା ସମସ୍ତ ଟିକେଟ ଯେପରି ବୀମାଭୁକ୍ତ ହୁଏ, ତାହା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Dharitri – Odisha’s No.1 Odia Daily

Share