ନୂଆଦିଲ୍ଲୀ,୨୪ା୪: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ବମ୍ପର ମତଦାନକୁ ନେଇ ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ ତାଙ୍କର ଖୁସି ପ୍ରକାଶ କରିଛନ୍ତି। ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ କହିଛନ୍ତି, ରାଜ୍ୟରେ୯୨ ପ୍ରତିଶତରୁ ଅଧିକ ମତଦାନ ଦେଖି ସେ ଖୁସି। ସୁପ୍ରିମକୋର୍ଟ ବଙ୍ଗଳା ନିର୍ବାଚନରେ ଭୋଟ୍ ଦେବାକୁ ଆବେଦନ କରିଥିବା ୭୧ ଜଣଙ୍କ ଦ୍ୱାରା ଦାୟର ଏକ ଆବେଦନର ଶୁଣାଣି କରୁଥିବା ସମୟରେ ସେ ଏହି ମନ୍ତବ୍ୟ ଦେଇଥିଲେ। ଏସ୍ଆଇଆର୍(SIR) ପରେ ଏହି ବ୍ୟକ୍ତିମାନଙ୍କୁ ଭୋଟର ତାଲିକାରୁ ବାଦ୍ ଦିଆଯାଇଥିଲା ଏବଂ ସେମାନଙ୍କର ମାମଲା ବର୍ତ୍ତମାନ ଆପିଲେଟ ଟ୍ରିବ୍ୟୁନାଲ ସମ୍ମୁଖରେ ବିଚାରାଧୀନ ଅଛି।
ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗଚି ଏବଂ ବିଚାରପତି ବିପୁଲ ଏମ୍. ପଞ୍ଚୌଲିଙ୍କୁ ନେଇ ଗଠିତ ଖଣ୍ଡପୀଠକୁ ସୂଚନା ଦିଆଯାଇଥିଲା ଯେ, ଗୁରୁବାର (୨୩ ଏପ୍ରିଲ ୨୦୨୬) ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ୯୨ ପ୍ରତିଶତରୁ ଅଧିକ ମତଦାନ ରେକର୍ଡ କରାଯାଇଛି। ଭାରତର ଜଣେ ନାଗରିକ ଭାବରେ, ଏତେ ସଂଖ୍ୟାରେ ଲୋକଙ୍କୁ ଭୋଟ୍ ଦେଉଥିବା ଦେଖି ମୁଁ ଖୁସି। ଏହା ଗଣତନ୍ତ୍ରକୁ ସୁଦୃଢ଼ କରିବା ପାଇଁ ଜରୁରୀ ବୋଲି ମୁଖ୍ୟ ବିଚାରପତି କହିଛନ୍ତି।