Categories: ଜାତୀୟ

ମୋବାଇଲରେ ଦେଖିହେବ ସୁପ୍ରିମକୋର୍ଟ ଶୁଣାଣି

ନୂଆଦିଲ୍ଲୀ,୨୮।୯: ସୁପ୍ରିମକୋର୍ଟ ଇତିହାସରେ ମଙ୍ଗଳବାର ନୂଆ ଅଧ୍ୟାୟ ଯୋଡ଼ିହୋଇଛି। ଏକ ସାମ୍ବିଧାନିକ ପୀଠରେ ଶିବସେନା ମାମଲାର ବିଚାର ଚାଲିଥିବାବେଳେ ପ୍ରଥମ ଥର ପାଇଁ ଏହାର ସିଧା ପ୍ରସାରଣ (ଲାଇଭ୍‌ ଷ୍ଟ୍ରିମିଂ) କରାଯାଇଛି। ଆଗକୁ ମଧ୍ୟ ସାମ୍ବିଧାନିକ ପୀଠର ଶୁଣାଣି webcast.Gov.In/scindia/ରେ ଉପଲବ୍ଧ ହେବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି।
୨୦୧୮ ସେପ୍ଟେମ୍ବର ୨୭ରେ ତତ୍କାଳୀନ ପ୍ରଧାନ ବିଚାରପତି (ସିଜେଆଇ) ଦୀପକ ମିଶ୍ର ସାମ୍ବିଧାନିକ ମହତ୍ତ୍ୱ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକର ଶୁଣାଣି ବେଳେ ଲାଇଭ୍‌ ଟେଲିକାଷ୍ଟ ବା ଓ୍ବେବ୍‌କାଷ୍ଟ କରାଯିବା ନେଇ ଐତିହାସିକ ରାୟ ଦେଇଥିଲେ। ସେ କହିଥିଲେ, ସୂର୍ଯ୍ୟାଲୋକ ହେଉଛି ସର୍ବୋତ୍ତମ ଜୀବାଣୁନାଶକ। ଅର୍ଥାତ୍‌ ଅଦାଲତ ନ୍ୟାୟ ପ୍ରଦାନ ସହ ରାୟକୁ ସର୍ବସାଧାରଣଙ୍କ ପାଇଁ ଦୃଶ୍ୟମାନ କରାଇବା ଆବଶ୍ୟକ। କୋର୍ଟରୁମ୍‌ର ବିଚାର ପ୍ରକ୍ରିୟା ସମ୍ପର୍କରେ ଜାଣିବା ଅଧିକାର ନାଗରିକଙ୍କର ରହିଛି। ଲାଇଭ୍‌ ଷ୍ଟ୍ରିମିଂ ଜରିଆରେ ନ୍ୟାୟପାଳିକାର ନିଷ୍ପତ୍ତି ଲୋକଙ୍କ ପାଇଁ ଉପଲବ୍ଧ କରାଯିବ। ଜଷ୍ଟିସ୍‌ ମିଶ୍ରଙ୍କ ଘୋଷଣାର ଠିକ୍‌ ୪ ବର୍ଷ ପରେ ସିଜେଆଇ ୟୁ. ୟୁ. ଲଳିତଙ୍କ ଅଧ୍ୟକ୍ଷତାରେ ଏହି ନିଷ୍ପତ୍ତି ନିଆଯାଇଥିଲା। ଜଷ୍ଟିସ୍‌ ଲଳିତ ଗତ ସୋମବାର କହିଥିଲେ, ସର୍ବୋଚ୍ଚ ଅଦାଲତ ନିଜସ୍ବ ଲାଇଭ୍‌ ଷ୍ଟ୍ରିମିଂ ପ୍ଲାଟ୍‌ଫର୍ମରେ ଶୁଣାଣିଗୁଡ଼ିକର ସିଧା ପ୍ରସାରଣ କରିବେ। ପ୍ରଥମେ ୟୁଟ୍ୟୁବ୍‌ରେ ଲାଇଭ୍‌ ଷ୍ଟ୍ରିମିଂ କରାଯିବ ଓ ପରେ ସୁପ୍ରିମକୋର୍ଟ ସର୍ଭରରେ ଲୋକେ ନିଜ ଫୋନ୍‌, ଲାପ୍‌ଟପ୍‌ ଓ କମ୍ପ୍ୟୁଟରଗୁଡ଼ିକରେ ଅନାୟାସରେ ଦେଖିପାରିବେ। ଅଗଷ୍ଟ ୨୬ରେ ତତ୍କାଳୀନ ସିଜେଆଇ ଏନ୍‌.ଭି. ରମନାଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠରେ ଶୁଣାଣି ଚାଲିଥିବାବେଳେ ଓ୍ବେବ୍‌କାଷ୍ଟରେ ଏହାର ପ୍ରଥମ ସିଧା ପ୍ରସାରଣ କରାଯାଇଥିଲା। ଜଷ୍ଟିସ୍‌ ରମନା ଅବସର ନେବାକୁ ଥିବାବେଳେ ଏହା ଥିଲା ଏକ ବିଧିସମ୍ମତ ପ୍ରଣାଳୀ।

Share