Categories: ଜାତୀୟ

ଲଖିମପୁର ଖେରି ମାମଲାର ଷ୍ଟାଟସ୍‌ ରିପୋର୍ଟ ନେଇ ଅସନ୍ତୋଷ ବ୍ୟକ୍ତ କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୮।୧୧: ଉତ୍ତରପ୍ରଦେଶ ଲଖିମପୁୁର ଖେରି ମାମଲାରେ ଉତ୍ତରପ୍ରଦେଶ ରାଜ୍ୟ ସରକାରଙ୍କ ପକ୍ଷରୁ ଦାଖଲ ହୋଇଥିବା ଷ୍ଟାଟସ୍‌ ରିପୋର୍ଟ ନେଇ ସୁପ୍ରିମ୍‌କୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କୋର୍ଟ କହିଛନ୍ତି ଯେ,ରାଜ୍ୟ ସରକାରଙ୍କ ପକ୍ଷରୁ ଦାଖଲ ହୋଇଥିବା ରିପୋର୍ଟରେ କିଛି ନାହିଁ। ସୁପ୍ରିମକୋର୍ଟ କହିଛନ୍ତି ଯେ ଷ୍ଟାଟସ ରିପୋର୍ଟରେ ଅଧିକ ସାକ୍ଷୀ ପରୀକ୍ଷା କରାଯାଇଛି ବୋଲି କହିବା ଛଡା ଆଉ ଅଧିକ କୌଣସି ତଥ୍ୟ ନାହିଁ।

ପ୍ରଧାନ ବିଚାରପତି ଏନ.ଭି. ରମନା, ବିଚାର ସୂର୍ଯ୍ୟ କାନ୍ତ ଏବଂ ହିମା କୋହଲିଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଅକ୍ଟୋବର ୨୬ରେ ଏହି ମାମଲାରେ ସାକ୍ଷୀମାନଙ୍କୁ ସୁରକ୍ଷା ଯୋଗାଇବା ପାଇଁ ଉତ୍ତରପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସୁପ୍ରିମକୋର୍ଟ ମଧ୍ୟ ଉତ୍ତରପ୍ରଦେଶ ସରକାରଙ୍କୁ ଏହି ମାମଲାରେ ଅନ୍ୟ ସାକ୍ଷୀଙ୍କ ବିବୃତ୍ତି କ୍ରାଇମବ୍ରାଞ୍ଚର ଧାରା ୧୬୪ ଅନୁଯାୟୀ ରେକର୍ଡ କରିବାକୁ ମଧ୍ୟ ନିର୍ଦ୍ଦେଶ ଜାରି କରିଥିଲେ। ଏହା ସହିତ ବିଶେଷଜ୍ଞଙ୍କ ଦ୍ୱାରା ଡିଜିଟାଲ ପ୍ରମାଣର ଶୀଘ୍ର ଯାଞ୍ଚ ପାଇଁ କହିଥିଲେ। ଜଣେ ଖବରଦାତା ଏବଂ ଶ୍ୟାମ ସୁନ୍ଦର ନାମକ ଜଣେ ବ୍ୟକ୍ତିଙ୍କୁ ଭିଡ଼ ଦ୍ୱାରା ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗର ଏକ ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ମଧ୍ୟ ଶୀର୍ଷକୋର୍ଟ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ। ଦୁଇ ଜଣ ଆଇନଜୀବୀ ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖି ଏହି ମାମଲାର ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଥିଲେ।
ରାଜ୍ୟ ସରକାରଙ୍କ ପକ୍ଷରୁ ଉପସ୍ଥିତ ଥିବା ଆଇନଜୀବୀ କହିଛନ୍ତି ଯେ, ୬୮ ଜଣ ସାକ୍ଷୀଙ୍କ ମଧ୍ୟରୁ ୩୦ ଜଣଙ୍କ ବୟାନ ସିଆର୍‌ପିସି ଧାରା ୧୬୪ ଅନୁଯାୟୀ ରେକର୍ଡ କରାଯାଇଛି ଏବଂ ଅନ୍ୟ କେତେକଙ୍କ ବିବୃତ୍ତି ମଧ୍ୟ ରେକର୍ଡ କରାଯିବ। ଏହି ୩୦ ଜଣ ସାକ୍ଷୀଙ୍କ ମଧ୍ୟରୁ ୨୩ ଜଣ ପ୍ରତ୍ୟକ୍ଷଦର୍ଶୀ ବୋଲି ସେ କହିଛନ୍ତି।

 

Share