Categories: ଜାତୀୟ

ଉଦ୍‌ବେଗ ଜଣାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୮।୩: କୋଭିଡ୍‌-୧୯ରେ ମୃତକଙ୍କ ପରିବାରକୁ ଅନୁକମ୍ପାମୂଳକ ସହାୟତା ପ୍ରଦାନର ବ୍ୟବସ୍ଥା ହୋଇଥିବାବେଳେ ଏଥିପାଇଁ ଡାକ୍ତରମାନେ ଜାଲ୍‌ ମୃତ୍ୟୁ ପ୍ରମାଣପତ୍ର ଇସ୍ୟୁ କରୁଥିବା ଜଣାପଡ଼ିଛି। ଏହାକୁ ନେଇ ସର୍ବୋଚ୍ଚ ଅଦାଲତ ସୋମବାର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏଭଳି ଜାଲିଆତିର ତଦନ୍ତ ଲାଗି ନିର୍ଦ୍ଦେଶ ଦେବାକୁ ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଅନୁକମ୍ପାମୂଳକ ସହାୟତା ଦାବି କରିବା ଲାଗି ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ ହେବା ଆବଶ୍ୟକ। ନଚେତ ଆବେଦନ ପ୍ରକ୍ରିୟା ସବୁଦିନ ଚାଲିଥିବ ବୋଲି ଜଷ୍ଟିସ୍‌ ଏମ୍‌.ଆର୍‌. ଶାହା ଏବଂ ବି.ଭି. ନାଗରତ୍ନଙ୍କୁ ନେଇ ଗଠିତ ଖଣ୍ଡପୀଠ ମତ ଦେଇଛନ୍ତି।
ଡାକ୍ତରମାନେ ଜାଲ୍‌ ସାର୍ଟିଫିକେଟ ପ୍ରଦାନ କରିବା ଚିନ୍ତାଜନକ। ଏହା ଅତ୍ୟନ୍ତ ଗୁରୁତର ଘଟଣା ବୋଲି ଖଣ୍ଡପୀଠ ଟିପ୍ପଣୀ ଦେଇଛନ୍ତି। ଜାଲ୍‌ ସାର୍ଟିଫିକେଟ ଇସ୍ୟୁକୁ କିପରି ରୋକାଯିବ, ସେଥିପାଇଁ ପ୍ରସ୍ତାବ ଦେବାକୁ ଖଣ୍ଡପୀଠ ସରକାରଙ୍କୁ କହିଥିଲେ। ସହାୟତା ପାଇଁ ଆବେଦନର ନିର୍ଦ୍ଦିଷ୍ଟ ସମୟସୀମା ରହିବା ଆବଶ୍ୟକ। ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ହୋଇଥିବା କୋଭିଡ୍‌ ମୃତ୍ୟୁ ପାଇଁ ଆବେଦନର ବ୍ୟବସ୍ଥା କରାଯାଉ ବୋଲି ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ। କୋଭିଡ୍‌ ମୃତ୍ୟୁ କ୍ଷତିପୂରଣ ଲାଗି ଆର୍‌ଟି-ପିସିଆର ରିପୋର୍ଟ ଜରୁରୀ ନୁହେଁ ବୋଲି ପୂର୍ବରୁ ସର୍ବୋଚ୍ଚ ଅଦାଲତ କହିଥିଲେ। ଏହି କୋହଳ ପଦକ୍ଷେପର ଅପବ୍ୟବହାର କରାଯାଉଥିବା ମେହେଟ୍ଟା କହିଛନ୍ତି।

Share