Categories: ଜାତୀୟ

ଆଇଆଇଟିରେ ଛାତ୍ରଙ୍କ ଆଡମିଶନ ପାଇଁ ସ୍ବତନ୍ତ୍ର ଅଧିକାରର ପ୍ରୟୋଗ କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୨୩।୧୧: ଆଇଆଇଟି ବମ୍ବେରେ ଜଣେ ଏସ୍‌ସି ଛାତ୍ରଙ୍କ ଆଡମିଶନ ନେଇ ସୁପ୍ରିମକୋର୍ଟ ନିଜର ସ୍ବତନ୍ତ୍ର ଅଧିକାର ପ୍ରୟୋଗ କରିଛନ୍ତି। ଛାତ୍ରଙ୍କୁ ୪୮ ଘଣ୍ଟା ମଧ୍ୟରେ ଆଡମିଶନ ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସମ୍ବିଧାନର ଧାରା ୧୪୨ ଅନୁଯାୟୀ ଶୀର୍ଷକୋର୍ଟଙ୍କୁ ଦିଆଯାଇଥିବା ସ୍ବତନ୍ତ୍ର ଅଧିକାର ମାଧ୍ୟମରେ ଏଭଳି କରାଯାଇଛି। ଛାତ୍ର ଜଣଙ୍କ ଉତ୍ତରପ୍ରଦେଶର ଏକ ଦୁର୍ଗମ ଗାଁର ବାସିନ୍ଦା । କେତେକ ସମସ୍ୟା ଯୋଗୁ ସମୟସୀମା ମଧ୍ୟରେ ସେ ତାଙ୍କ ଦେୟ ଦେଇପାରି ନ ଥିଲେ।

ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଏବଂ ଏ.ଏସ୍‌.ବୋପନ୍ନାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଯଦି ଏଭଳି ଦୁର୍ଗମ ଗାଁର ଛାତ୍ରମାନଙ୍କୁ ଆଡମିଶନ ନ ଦେବେ ତେବେ ମହାନଗର ନିଗମରୁ ଆସୁଥିବା ଶିକ୍ଷାର୍ଥୀଙ୍କ ପାଇଁ କେବଳ ଆଇଆଇଟି ସିଟ ସଂରକ୍ଷିତ ରହିବ। ବୁଧବାର ପୂର୍ବରୁ ଛାତ୍ରଙ୍କୁ ସିଭିଲ ଇଞ୍ଜିନିୟରିଂ ବିଟେକ ପାଠ୍ୟକ୍ରମରେ ଭର୍ତ୍ତି କରିବାକୁ କୋର୍ଟ ଆଇଆଇଟିକୁ ନିର୍ଦ୍ଦେଶ ଦେଇଛନ୍ତି।

ସୁପ୍ରିମକୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ ଦୂରଦୂରାନ୍ତରେ ରହୁଥିବା ଅନେକ ଛାତ୍ର ଇଣ୍ଟରନେଟ ବ୍ୟାଘାତ ହେତୁ ଅନଲାଇନରେ ଦେୟ ଦେବାକୁ ଅସମର୍ଥ ହେଉଛନ୍ତି। ଏଭଳି ପରିସ୍ଥିତିରେ ସେମାନଙ୍କୁ ପ୍ରତିଷ୍ଠିତ ଅନୁଷ୍ଠାନରେ ଆଡମିଶନ ବାରଣ କରାଯାଇପାରିବ ନାହିଁ। ପ୍ରିନ୍ସ ଜୟବୀର ସିଂ ଆହ୍ଲାବାଦରେ ଅଧ୍ୟୟନ କରି ଆଇଆଇଟି-ଜେଇଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ୨୭ ଅକ୍ଟୋବରରେ, ପ୍ରିନ୍ସଙ୍କୁ ସିଭିଲ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ଏକ ସିଟ୍‌ ପ୍ରଦାନ କରାଯାଇଥିଲା।

ଅନଲାଇନ ଆଡମିଶନ ପ୍ରକ୍ରିୟା ଶେଷ କରିବାକୁ ଆଇଆଇଟି ବମ୍ବେର ପୋର୍ଟାଲ ଅକ୍ଟୋବର ୩୧ ପର୍ଯ୍ୟନ୍ତ ଖୋଲା ଥିଲା। ଏହି ସମୟ ମଧ୍ୟରେ, ଛାତ୍ରମାନଙ୍କୁ ଫି, ଡକ୍ୟୁମେଣ୍ଟ ଅପଲୋଡ ଏବଂ ଅନ୍ୟ ସମସ୍ତ ଔପଚାରିକତା ପୂରଣ କରିବାକୁ ଥିଲା। ଅକ୍ଟୋବର ୨୯ ରେ, ପ୍ରିନ୍ସ୍‌ ପୋର୍ଟାଲରେ ଲଗ ଇନ କରି ଆବଶ୍ୟକୀୟ ଡକ୍ୟୁମେଣ୍ଟ ଅପଲୋଡ କଲେ । ତଥାପି, ଅର୍ଥର ଅଭାବ ଯୋଗୁ ସେ ଫି ଦେଇପାରି ନଥିଲେ।

ସେ ତାଙ୍କ ଭଉଣୀଙ୍କଠାରୁ ଟଙ୍କା ନେଇ ୩୦ ଅକ୍ଟୋବରରେ ଫି ଦେବାକୁ ଚାହୁଁଥିଲେ। ସେ ୧୦ ରୁ ୧୨ ଥର ଚେଷ୍ଟା କରିଥିଲେ କିନ୍ତୁ ବୈଷୟିକ ସମସ୍ୟା ହେତୁ ତାହା କରିପାରି ନ ଥିଲେ। ଅକ୍ଟୋବର ୩୧ରେ, ସେ ସାଇବର କାଫେକୁ ଯାଇ ପୁନର୍ବାର ଦେୟ ଦେବାକୁ ଚେଷ୍ଟା କଲେ, କିନ୍ତୁ ପୋର୍ଟାଲରେ ଏଭଳି ସମସ୍ୟା ଲାଗି ରହିଥିଲା। ପରେ ସେ ଏନେଇ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ।

Share