ନୂଆଦିଲ୍ଲୀ,୩୦ା୭ : ଆନିମେଟେଡ୍ ଚଳଚ୍ଚିତ୍ର ‘ମହାପ୍ରଭୁ ଜଗନ୍ନାଥ’ର ମୁକ୍ତିଲାଭ ଉପରେ ରୋକ ଲଗାଇବାକୁ ଓଡ଼ିଶା ସରକାର କରିଥିବା ଆବେଦନକୁ ବୁଧବାର ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। କେତେଜଣ ବ୍ୟକ୍ତିଙ୍କ ଆବେଗ କିମ୍ବା ଆପତ୍ତିକୁ ଆଧାରକରି କଳା, ସଂସ୍କୃତି ଓ ସୃଜନଶୀଳତାକୁ ସୀମିତ କରାଯାଇପାରିବ ନାହିଁ ବୋଲି ଶୀର୍ଷ ଅଦାଲତ ସ୍ପଷ୍ଟ କରିଛନ୍ତି। ଜଷ୍ଟିସ୍ ବି.ଭି. ନାଗରତ୍ନା ଏବଂ ଜଷ୍ଟିସ୍ ଆର୍. ମହାଦେବନ୍ଙ୍କୁ ନେଇ ଗଠିତ ଖଣ୍ଡପୀଠ ପୂର୍ବରୁ ରଥଯାତ୍ରା ପରେ ଫିଲ୍ମ ମୁକ୍ତିଲାଭ ପାଇଁ ଦେଇଥିବା ଆଦେଶରେ କୌଣସି ପରିବର୍ତ୍ତନ କରିବାକୁ ମନା କରିଦେଇଛନ୍ତି।
ଶୁଣାଣି ସମୟରେ ଜଷ୍ଟିସ ନାଗରତ୍ନା କହିଛନ୍ତି, ଆନିମେଶନ ହେଉଛି କଳାର ଏକ ମାଧ୍ୟମ, ଯାହା ଶିଶୁମାନଙ୍କୁ ଆକୃଷ୍ଟ କରିଥାଏ। ଯଦି ଏପରି ସମ୍ବେଦନଶୀଳତାକୁ ନେଇ କୋର୍ଟରେ ପିଟିଶନ ଦାଏର ହେଉଥାଏ, ତେବେ ହିନ୍ଦୁ ଦେବଦେବୀଙ୍କୁ ନେଇ ହେଉଥିବା ସମସ୍ତ ସୃଜନଶୀଳ କାର୍ଯ୍ୟ ବନ୍ଦ କରିବାକୁ ପଡ଼ିବ। ଟେଲିଭିଜନରେ ‘ରାମାୟଣ’ ପ୍ରସାରଣ ମଧ୍ୟ ରୋକିବାକୁ ହେବ। ଦେବଦେବୀଙ୍କୁ ନେଇ ସୃଜନଶୀଳତା ଉପରେ ଏଭଳି ରୋକ ଲଗାଯାଇପାରିବ ନାହିଁ। ଓଡ଼ିଶା ସରକାରଙ୍କ ପକ୍ଷରୁ ହାଜର ହୋଇ ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ କହିଥିଲେ, ସେନ୍ସର ବୋର୍ଡ ସାର୍ଟିଫିକେଟ୍ର ପୁନଃ ନିରୀକ୍ଷଣ ପାଇଁ ଆଇନଗତ ବ୍ୟବସ୍ଥା ରହିଛି। ଶ୍ରୀମନ୍ଦିର ପ୍ରଶାସନ ଓ ସରକାର ଏହାର ସମୀକ୍ଷା ଚାହୁଁଛନ୍ତି। ଧର୍ମଗୁରୁ, ଶ୍ରୀମନ୍ଦିର ପ୍ରତିନିଧି, ସରକାରୀ ଅଧିକାରୀ ଓ ବୈଷୟିକ ବିଶେଷଜ୍ଞଙ୍କ ପାଇଁ ସ୍ବତନ୍ତ୍ର ସ୍କ୍ରିନିଂ କରାଯାଇଥିଲା, ଯେଉଁଥିରେ ମହାପ୍ରଭୁଙ୍କ ଆନିମେଟେଡ୍ ରୂପାୟନ ଏବଂ ପୌରାଣିକ ଶାସ୍ତ୍ର ସହ ଏହାର ଅସଙ୍ଗତିକୁ ନେଇ ଆପତ୍ତି ଉଠିଥିଲା। ସରକାର ଫିଲ୍ମର ସମ୍ପୂର୍ଣ୍ଣ ବିରୋଧୀ ନୁହନ୍ତି, ବରଂ ସ୍ବାଧୀନ ଭାବେ ଏହାର ପୁନଃ ନିରୀକ୍ଷଣ କରିବାକୁ ଚାହୁଁଛନ୍ତି ବୋଲି ସେ ଦର୍ଶାଇଥିଲେ।
ସୁପ୍ରିମକୋର୍ଟଙ୍କ ଟିପ୍ପଣୀରେ ଉଲ୍ଲେଖ ରହିଛି ଯେ, କୋର୍ଟ କେବେବି ନିର୍ଦ୍ଦେଶକଙ୍କ କଳାତ୍ମକ ନିଷ୍ପତ୍ତି ଉପରେ ବିଚାରପତି ଭାବେ ବସିପାରିବେ ନାହିଁ। ଯଦି କାହାର ଆବେଗ ଆହତ ହୋଇଥାଏ, ତେବେ ତାହା ଉପରେ ନିଷ୍ପତ୍ତି ନେବା ନିର୍ଦ୍ଦେଶକଙ୍କ ନିଜସ୍ବ ବ୍ୟାପାର। ଫିଲ୍ମ ପ୍ରଯୋଜକଙ୍କ ପକ୍ଷରୁ ସିନିୟର ଆଡଭୋକେଟ ଦେବଦତ୍ତ କାମାତ୍ କହିଥିଲେ, ଫିଲ୍ମରେ କୌଣସି ଆପତ୍ତିଜନକ କିମ୍ବା ମର୍ଯ୍ୟାଦାହାନିର ଦୃଶ୍ୟ ନାହିଁ। ଶ୍ରୀମନ୍ଦିର କମିଟିର ବୈଠକରେ ମଧ୍ୟ ଏହାକୁ ଏକ ପ୍ରଶଂସନୀୟ ପ୍ରୟାସ ବୋଲି କୁହାଯାଇଥିଲା। ଜଷ୍ଟିସ ମହାଦେବନ ଓ ଜଷ୍ଟିସ ନାଗରତ୍ନା ପ୍ରଯୋଜକଙ୍କୁ ପରାମର୍ଶ ଦେଇଛନ୍ତି, ଯଦି କୌଣସି ସମ୍ବେଦନଶୀଳ ଅଂଶକୁ ନେଇ ସନ୍ଦେହ ଥାଏ, ତେବେ ସେମାନେ ନିଜ ବିବେକ ଅନୁଯାୟୀ ସ୍ବେଚ୍ଛାକୃତ ଭାବେ ସେଥିରେ ଆବଶ୍ୟକ ସଂଶୋଧନ କିମ୍ବା ବାଦ୍ ଦେଇପାରିବେ।