କେନ୍ଦ୍ରକୁ ରାଜ୍ୟ ତଥ୍ୟ ଦେଉ ନ ଥିବାରୁ ଅସନ୍ତୋଷ ବ୍ୟକ୍ତ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୯ା୧୦(ପି.ଟି.): ସମ୍ବିଧାନର ଅନୁଚ୍ଛେଦ ୨୧ ଅଧୀନରେ ଋତୁସ୍ରାବ ବା ମାସିକ ଧର୍ମ ସ୍ବଚ୍ଛତାକୁ ମୌଳିକ ଅଧିକାରର ଏକ ଅଂଶବିଶେଷ ବୋଲି ସୁପ୍ରିମକୋର୍ଟ ରାୟ ଦେଇଥିଲେ। ଏହି ରାୟ କିଭଳି କାର୍ଯ୍ୟକାରୀ ହେଉଛି, ସେନେଇ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ କେନ୍ଦ୍ର ସରକାରଙ୍କୁ ଜଣାଉ ନ ଥିବାରୁ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଆମେ ରାୟରେ ଯାହା କହିଥିଲୁ, ତାହା ଯଦି କେବଳ କାଗଜରେ ସୀମିତ ରହିବ ତେବେ ଏହି ମୌଳିକ ଅଧିକାରକୁ କେନ୍ଦ୍ର, ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ କିପରି କାର୍ଯ୍ୟକାରୀ କରିବେ ବୋଲି ଜଷ୍ଟିସ୍‌ ଜେ.ବି. ପର୍‌ଦିଓ୍ବାଲା ଏବଂ ଆର୍‌. ମାଧବନ୍‌ଙ୍କ ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି।
ଖଣ୍ଡପୀଠ କହିଛନ୍ତି, ସୁପ୍ରିମକୋର୍ଟ ଋତୁସ୍ରାବ ସ୍ବାସ୍ଥ୍ୟ ବା ମାସିକ ଧର୍ମ ସ୍ବଚ୍ଛତାକୁ ସମ୍ବିଧାନର ଅନୁଚ୍ଛେଦ ୨୧ର ଏକ ଅଂଶ ବୋଲି ଘୋଷଣା କରିଥିଲେ, ଯାହା ଜୀବନ ଓ ବ୍ୟକ୍ତିଗତ ସୁରକ୍ଷା ସହ ଜଡ଼ିତ। ଗତ ସେପ୍ଟେମ୍ବର ୧ରେ ଖଣ୍ଡପୀଠ ଏଥିରେ ଦର୍ଶାଇଥିବା ତ୍ରୁଟିଗୁଡ଼ିକୁ ବିଚାରକୁ ନେବାକୁ ଏବଂ ପରବର୍ତ୍ତୀ ଶୁଣାଣି ତାରିଖ ସୁଦ୍ଧା ରିପୋର୍ଟ କରିବାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ। ଗତ ୧୩ ତାରିଖ ଶୁଣାଣି ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ୱର୍ଯ୍ୟା ଭଟି କହିଥିଲେ, କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ସହ ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହ ନେଇଛନ୍ତିି। ତେବେ ଦୁର୍ଭାଗ୍ୟର କଥା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଏପର୍ଯ୍ୟନ୍ତ ଏହା ଉପରେ କୌଣସି ଜବାବ ଦେଇନାହାନ୍ତି। ସର୍ବୋଚ୍ଚ ଅଦାଲତଙ୍କ ରାୟ ଦୂରଦୂରାନ୍ତ ଅଞ୍ଚଳରେ ରହୁଥିବା ସେହି କିଶୋରୀମାନଙ୍କ ସ୍ବାର୍ଥ ପାଇଁ ଉଦ୍ଦିଷ୍ଟ ଥିଲା, ଯେଉଁମାନେ ମାସିକ ଧର୍ମ ସମସ୍ୟା କାରଣରୁ ପାଠପଢ଼ା ଛାଡ଼ିଥାନ୍ତି ବୋଲି ଖଣ୍ଡପୀଠ କହିଥିଲେ।

Dharitri – Odisha’s No.1 Odia Daily

Share