Categories: ଜାତୀୟ

ଇସି ଅର୍ଡର ଉପରେ ସ୍ଥଗିତାଦେଶ ଦେଲେନି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୩ା୨: ଭାରତର ନିର୍ବାଚନ କମିଶନ (ଇସିଆଇ) ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱାଧୀନ ଗୋଷ୍ଠୀକୁ ପ୍ରକୃତ ଶିବସେନା ମାନ୍ୟତା ଓ ନିର୍ବାଚନୀ ଚିହ୍ନ ‘ଧନୁଶର’ ପ୍ରଦାନ କରିଥିବାବେଳେ ଏହି ଅର୍ଡର ଉପରେ ସ୍ଥଗିତାଦେଶ ଜାରି ପାଇଁ ଉଦ୍ଧବ ଗୋଷ୍ଠୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ସର୍ବୋଚ୍ଚ ଅଦାଲତ ବୁଧବାର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ଆବେଦନକୁ ଶୁଣାଣି ପାଇଁ ଗ୍ରହଣ କରିଛନ୍ତି। କିନ୍ତୁ ନିର୍ବାଚନ କମିଶନଙ୍କ ନିଷ୍ପତ୍ତି ଉପରେ ସ୍ଥଗିତାଦେଶ ଜାରି କରିବାକୁ ମନା କରିଦେଇଛନ୍ତି। ଫଳରେ ଶିନ୍ଦେ ଗୋଷ୍ଠୀ ଆଶ୍ୱସ୍ତି ଲାଭ କରିଥିବାବେଳେ ଉଦ୍ଧବ ଗୋଷ୍ଠୀକୁ ଆଉ ଏକ ଝଟ୍‌କା ଲାଗିଛି।

ସିଜେଆଇ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ତଥା ଜଷ୍ଟିସ୍‌ ପି.ଏସ୍‌. ନରସିଂହ ଏବଂ ପି.ଏସ୍‌. ପର୍ଡିଓ୍ବାଲାଙ୍କୁ ନେଇ ଗଠିତ ଖଣ୍ଡପୀଠ ଇସିଙ୍କ ରାୟକୁ ଚ୍ୟାଲେଞ୍ଜ ଉପରେ ଶିନ୍ଦେ ଗୋଷ୍ଠୀକୁ ୨ ସପ୍ତାହ ମଧ୍ୟରେ ଜବାବ ମାଗିଛନ୍ତି। ଶିନ୍ଦେ ଗୋଷ୍ଠୀ ଜବାବୀ ସତ୍ୟପାଠ ଦାଖଲ କରିବା ପରେ ଖଣ୍ଡପୀଠ ତାକୁ ଅନୁଧ୍ୟାନ କରି ନିଷ୍ପତ୍ତି ନେବେ। ଉଭୟ ପକ୍ଷଙ୍କ ଯୁକ୍ତି ନ ଶୁଣି କୌଣସି ନିଷ୍ପତ୍ତି ନିଆଯିବ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି।

 

Share