Categories: ଜାତୀୟ

ସୁପ୍ରିମକୋର୍ଟ ନ୍ୟାୟବିଜ୍ଞ ହୁଅନ୍ତୁ

ନୂଆଦିଲ୍ଲୀ,୨୬ା୮: ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏବଂ ନ୍ୟାୟପାଳିକା ସମ୍ପର୍କରେ ଟୁଇଟ୍‌ କରି ଫସିଯାଇଥିବା ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ବିରୋଧରେ ଅଦାଲତ ଅବମାନନା ମାମଲାର ଦଣ୍ଡବିଧାନ ଶୁଣାଣି ମଙ୍ଗଳବାର ଶେଷ ହୋଇଛି। ଜଷ୍ଟିସ୍‌ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ସେପ୍ଟେମ୍ବର ୧୦ ତାରିଖରେ ରାୟ ପ୍ରକାଶ ପାଇଁ ଧାର୍ଯ୍ୟ କରିଥିବାବେଳେ ସର୍ବୋଚ୍ଚ ଅଦାଲତ ତାଙ୍କ ବିରୋଧରେ ନିଷ୍ପତ୍ତି ପ୍ରତ୍ୟାହାର କରି ସମାଜକୁ ନ୍ୟାୟବିଜ୍ଞ ଭଳି ସନ୍ଦେଶ ଦିଅନ୍ତୁ ବୋଲି ପ୍ରଶାନ୍ତ ଅନୁରୋଧ କରିଛନ୍ତି।
ଭିଡିଓ କନ୍‌ଫରେନ୍ସ ଜରିଆରେ ଶୁଣାଣି ବେଳେ ଆଟର୍ନି ଜେନେରାଲ କେ.କେ. ବେଣୁଗୋପାଳ ଟୁଇଟ୍‌କୁ ନେଇ ନିଃସର୍ତ୍ତ କ୍ଷମା ମାଗିବାକୁ ମନା କରୁଥିବା ପ୍ରଶାନ୍ତଙ୍କୁ କ୍ଷମା କରିବା ପାଇଁ ଅନୁରୋଧ କରିଥିଲେ। ପ୍ରଶାନ୍ତ ନିଜର ସମସ୍ତ ମନ୍ତବ୍ୟକୁ ପ୍ରତ୍ୟାହାର କରି ଅନୁତପ୍ତ ହେବା ଉଚିତ ବୋଲି ବେଣୁଗୋପାଳ ପରାମର୍ଶ ଦେଇଥିଲେ। ପ୍ରଶାନ୍ତଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ରାଜୀବ ଧାଓ୍ବନ କହିଥିଲେ, ଆଟର୍ନି ଜେନେରାଲ ଭର୍ତ୍ସନା କରିବାକୁ ପରାମର୍ଶ ଦେଇଛନ୍ତି। ଅଦାଲତ ଏପରି କଲେ ତାହା କଠୋର ହେବ। ପ୍ରଶାନ୍ତଙ୍କୁ ଜଣେ ଶହୀଦ କର ନାହିଁ। ସେ ହତ୍ୟା କି ଚୋରି କରିନାହାନ୍ତି ବୋଲି ଯୁକ୍ତି ବାଢ଼ିଥିଲେ। ଧାଓ୍ବନ କହିଥିଲେ, ଏହି ମାମଲା ବନ୍ଦ କରାଯାଉ ଓ ବିବାଦରେ ପୂର୍ଣ୍ଣଚ୍ଛେଦ ପକାଯାଉ। ଏହାସହ ସୁପ୍ରିମକୋର୍ଟ ଜଣେ ଷ୍ଟେଟ୍ସମ୍ୟାନ୍‌ ଭଳି ବାର୍ତ୍ତା ଦିଅନ୍ତୁ। ଏହି ଅବସରରେ ସେ ଦୁଇଟି ପ୍ରସ୍ତାବ ଦେଇଥିଲେ। ପ୍ରଥମରେ ଦୋଷୀ ସାବ୍ୟସ୍ତ କରାଯାଇଥିବା ରାୟ ପ୍ରତ୍ୟାହାର କରାଯାଉ ଏବଂ ଦ୍ୱିତୀୟରେ ଦଣ୍ଡବିଧାନ କରା ନ ଯାଉ ବୋଲି ସେ ତାଙ୍କ ମହକିଲଙ୍କ ପକ୍ଷରୁ ପକ୍ଷ ରଖିଥିଲେ।
ପ୍ରଶାନ୍ତ କ୍ଷମା ମାଗିବାକୁ ମନା କରିଦେଇଥିବା ନେଇ ଖଣ୍ଡପୀଠ ବେଣୁଗୋପାଳଙ୍କୁ ପଚାରିଥିଲେ, ଭୁଲ୍‌ ସମସ୍ତେ କରନ୍ତି। ଭୁଲ ହୋଇଛି ବୋଲି ସ୍ବୀକାର କରିବା କଥା। ମାତ୍ର ପ୍ରଶାନ୍ତ ଏହାକୁ ଗ୍ରହଣ କରିବାକୁ ଇଚ୍ଛୁକ ନୁହନ୍ତି। ପରସ୍ପର ପ୍ରତି ଆମେ ସମ୍ମାନପୂର୍ଣ୍ଣ ଓ ସହିଷ୍ଣୁ ହେବା ଉଚିତ। ଆପଣ(ଓକିଲ)ମାନଙ୍କଠାରୁ ଆମେ ଭିନ୍ନ ନୋହୁଁ। ଆମେ ମଧ୍ୟ ବାର୍‌ରୁ ଆସିଛୁ। ସମାଲୋଚନା କରାଯାଉ କିନ୍ତୁ ତାକୁ ସାର୍ବଜନୀନ କରା ନ ଯାଉ ବୋଲି ଖଣ୍ଡପୀଠ କହିଥିଲେ। ସେପ୍ଟେମ୍ବର ୨ରେ ଅବସର ନେବାକୁ ଥିବା ଜଷ୍ଟିସ୍‌ ଅରୁଣ ମିଶ୍ର କହିଥିଲେ, ଅବସର ବେଳେ ଏହା ଦେଖିବା ବେଳକୁ କଷ୍ଟ ଲାଗୁଛି ବୋଲି ଜଷ୍ଟିସ୍‌ ମିଶ୍ର କହିଥିଲେ।

Share