ରାଜ୍ୟକୁ ତଥ୍ୟ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨ା୬: ମହାମାରୀ ସମୟରେ ଜେଲରେ ଭିଡ଼ କମାଇବା ପାଇଁ କେତେଜଣ କଏଦୀଙ୍କୁ ଜାମିନ ଦିଆଯାଇଛି ସେନେଇ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ମଙ୍ଗଳବାର ସୁପ୍ରିମକୋର୍ଟ ବିସ୍ତୃତ ତଥ୍ୟ ମାଗିଛନ୍ତି। ଜେଲ୍‌ରେ କେତେ ବନ୍ଦୀ କୋଭିଡ୍‌ ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି ତାହାର ରିପୋର୍ଟ ମଧ୍ୟ ମାଗିଛନ୍ତି ଜଷ୍ଟିସ୍‌ ଏଲ୍‌. ନାଗେଶ୍ୱର ରାଓ ଏବଂ ଅନିରୁଦ୍ଧ ବୋଷଙ୍କୁ ନେଇ ଗଠିତ ଅବକାଶ କାଳୀନ ଖଣ୍ଡପୀଠ।
ସଂକ୍ରମଣ ବଢ଼ିଚାଲିଥିବାବେଳେ ଜେଲ୍‌କୁ ଭିଡ଼ମୁକ୍ତ କରିବା ପାଇଁ ବନ୍ଦୀମାନଙ୍କୁ ଅନ୍ତରୀଣ ଜାମିନ ଦେବା କିମ୍ବା ପାରୋଲରେ ଛାଡ଼ିବା ଲାଗି ସର୍ବୋଚ୍ଚ ଅଦାଲତ ଗତମାସରେ ନିର୍ଦ୍ଦେଶ ଦେଇଥିଲେ। ଗତବର୍ଷ ମହାମାରୀ ବେଳେ ଯେଉଁ କଏଦୀମାନଙ୍କୁ ଜାମିନ କିମ୍ବା ପାରୋଲ ମିଳିଥିଲା, ସେମାନଙ୍କୁ ତୁରନ୍ତ ମୁକ୍ତ କରାଯାଉ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏନ୍‌.ଭି. ରମନାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ମେ’ ୭ରେ କହିଥିଲେ।

Share