ରାଶନ ଯୋଗାଇଦେବାକୁ ଯୋଗାଣ ନିରୀକ୍ଷକଙ୍କ ନିର୍ଦ୍ଦେଶ

ନୂଆଗାଁ,୨୭ା୩ (ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକ ବେରୁହାଁବାରି ଗ୍ରାମର ବାସନ୍ତୀ ନାୟକ ୬ ମାସ ହେଲା ରାଶନ ସାମଗ୍ରୀ ପାଉ ନ ଥିଲେ। ଏ ନେଇ ଶୁକ୍ରବାର ନୂଆଗାଁ ଯୋଗାଣ ନିରୀକ୍ଷକଙ୍କୁ ଭେଟି ବାସନ୍ତୀ ଓ ଭିନ୍ନକ୍ଷମ ଝିଅ ଅଭିଯୋଗ କରିଥିଲେ। ତେବେ ବାସନ୍ତୀଙ୍କ ରାଶନ କାର୍ଡରେ ସବୁ ଠିକ୍‌ଠାକ୍‌ ଥିବାବେଳେ ତାଙ୍କୁ କାହିଁକି ସାମଗ୍ରୀ ଦିଆଯାଉନାହିଁ ବୋଲି ସମ୍ପୃକ୍ତ ପଞ୍ଚାୟତର ପଞ୍ଚାୟତ ଅଧିକାରୀଙ୍କୁ ବୁଝିବା ସହ ଯଥାଶୀଘ୍ର ଉକ୍ତ ପରିବାରକୁ ରାଶନ ସାମଗ୍ରୀ ଯୋଗାଇ ଦେବା ପାଇଁ ନୂଆଗାଁ ବ୍ଲକ ଯୋଗାଣ ନିରୀକ୍ଷକ ନିର୍ଦ୍ଦେଶ ଦେଇଛନ୍ତି।
ନୂଆଗାଁ ବ୍ଲକ ବେରୁହାଁବାରି ଗାଁର ସୁଜନ ନାୟକଙ୍କ ପରିବାର କହିଲେ ସ୍ତ୍ରୀ ବାସନ୍ତୀ ନାୟକ, ଗୋଟିଏ ପୁଅ ଓ ଗୋଟିଏ ଭିନ୍ନକ୍ଷମ ଝିଅ। ୬ ମାସ ପୂର୍ବେ ସୁଜନଙ୍କର ପରଲୋକ ହୋଇଥିବା ବେଳେ ମାନସିକ ଅନଗ୍ରସର ଭିନ୍ନକ୍ଷମ ଝିଅ ଓ ପୁଅକୁ ଧରି ପରିବାରର ବୋଝ ବାସନ୍ତୀ ଉଠାଉଛନ୍ତି। ପରିବାରରେ ୪ଜଣ ସଦସ୍ୟ ରହିଥିଲେ ମଧ୍ୟ ପୁଅ ଓ ଝିଅକୁ ବାଦ୍‌ ଦେଇ ସ୍ବାମୀ ଓ ସ୍ତ୍ରୀଙ୍କ ନାମ ରାଶନ କାର୍ଡରେ ରହିଛି। ସ୍ବାମୀ ଥିବା ସମୟରେ ୧୦ କେଜି ଚାଉଳ ମିଳୁଥିଲା। କିନ୍ତୁ ସ୍ବାମୀଙ୍କ ମୃତ୍ୟୁପରେ କିଛି ମିଳୁନାହିଁ। ବର୍ତ୍ତମାନ ସମୟରେ ବାସନ୍ତୀଙ୍କ ପରିବାର ସଦସ୍ୟଙ୍କ ସଂଖ୍ୟା ୩ ରହିଥିବା ବେଳେ ଏଥିରେ କେବଳ ଭିନ୍ନକ୍ଷମ ଝିଅର ନାମ ରହିଛି। ବାସନ୍ତୀ ଏବଂ ତାଙ୍କ ପୁଅର ନାମକୁ ଏହି କାର୍ଡରୁ ବାଦ୍‌ ଦିଆଯାଇଛି। ତେଣୁ ପରିବାର ଚଳାଇବାରେ ଅସୁବିଧା ହେବାରୁ ନୂଆଗାଁ ବ୍ଲକକୁ ଆସି ଯୋଗାଣ ନିରୀକ୍ଷକ ବି. ଶ୍ରୀହର୍ଷଙ୍କୁ ଭେଟି ନିଜର ଦୁଃଖ ଜଣାଇଥିଲେ। ଅଭିଯୋଗ ବାବଦରେ ବେରୁହାଁବାରି ପଞ୍ଚାୟତ ଅଧିକାରୀଙ୍କ ସହ ଆଲୋଚନା କରି ଯଥାଶୀଘ୍ର ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଯୋଗାଣ ନିରୀକ୍ଷକ ଦେଇଥିଲେ। ତେଣୁ ବର୍ତ୍ତମାନ ରାଶନ କାର୍ଡରେ ପରିବାରର ସମସ୍ତଙ୍କ ନାମ ସଂଯୋଗ କରିବା ସହ ଉକ୍ତ ପରିବାରକୁ ସାମଗ୍ରୀ ଯୋଗାଇ ଦେବାକୁ ପଞ୍ଚାୟତ ଅଧିକାରୀଙ୍କୁ ନୂଆଗାଁ ବ୍ଲକ ଯୋଗାଣ ନିରୀକ୍ଷକ ବି. ଶ୍ରୀହର୍ଷ ନିର୍ଦ୍ଦେଶ ଦେଇଥିବା ସୂଚନା ଦେଇଛନ୍ତି।  ନୂଆଗାଁ  ନୂଆଗାଁ