ଛେଣ୍ଡିପଦାରେ ବିଭିନ୍ନ ପ୍ରକଳ୍ପର ତଦାରଖ

ଛେଣ୍ଡିପଦା, ୧୦ା୧୨(ସ୍ବ.ପ୍ର.)- ଅନୁଗୋଳ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଗୁରୁବାର ଛେଣ୍ଡିପଦା ବ୍ଲକର ବିଭିନ୍ନ ପଞ୍ଚାୟତ ଗସ୍ତରେ ଯାଇ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଜିଲାପାଳ ପ୍ରଥମେ ଛେଣ୍ଡିପଦା ସଦର ମହକୁମାରେ ପହଞ୍ଚି ବରପଦା ଉଚ୍ଚ ବିଦ୍ୟାଳୟରେ ଚାଲିଥିବା ସ୍ମାର୍ଟ କ୍ଲାସରୁମ୍‌ ଓ ମିଶନ ଶକ୍ତି ଘର କାର୍ଯ୍ୟ ତଦାରଖ କରିଥିଲେ। ପରେ ବାଲିପଟା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଗସ୍ତ କରି କରୋନା ଆକ୍ରାନ୍ତ ଛାତ୍ରୀମାନଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ବାଗଡିଆ ପଞ୍ଚାୟତ ରାଜୀବ ଭବନକୁ ଯାଇ ସେଠାରେ ୟୁକୋ ଗ୍ରାମ୍ୟ ଆତ୍ମ ନିଯୁକ୍ତି ତାଲିମ ପ୍ରତିଷ୍ଠାନ ପକ୍ଷରୁ ମହିଳାମାନଙ୍କୁ ଦିଆଯାଉଥିବା ଟେଲରିଂ ସମ୍ପର୍କରେ ପଚାରି ବୁଝିଥିଲେ। ଶିମିଳିପାଳ ପଞ୍ଚାୟତରେ ପହଞ୍ଚି ସ୍କୁଲର ସ୍ମାର୍ଟ କ୍ଲାସ ରୁମ କାର୍ଯ୍ୟ ଠିକ ଭାବେ କରାଯାଇ ନ ଥିବାରୁ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଜୟପଙ୍ଗାଠାରେ ଥିବା ଅଙ୍ଗନଓ୍ବାଡି କେନ୍ଦ୍ର ପରିଦର୍ଶନ କରିବା ସହିତ ସାପୋଇନାଳି ସ୍ବୟଂ ସହାୟକ ଗୋଷ୍ଠୀ ଦ୍ୱାରା ଚପଲ ତିଆରି କାର୍ଯ୍ୟ ବୁଲି ଦେଖିଥିଲେ। ଶିମିଳିପାଳର ଅଧିଷ୍ଠାତ୍ରୀ ଦେବୀ ପୁରିଆପାଟ ଠାକୁରାଣୀଙ୍କ ପୀଠସ୍ଥଳରେ ନିର୍ମାଣାଧୀନ ଗ୍ରାମାଞ୍ଚଳ ପାର୍କ କାର୍ଯ୍ୟ ଶୀଘ୍ର ସମାପ୍ତ ସହିତ ପୀଠସ୍ଥଳର ବିକାଶ ନିମନ୍ତେ ପରାମର୍ଶ ଦେଇଥିଲେ। ପାତ୍ରପଡାର ମା’ ବାୟାଣୀଙ୍କ ପୀଠ ସହ ଅନ୍ୟ ଉନ୍ନୟନମୂଳକ କାର୍ଯ୍ୟର ଜିଲାପାଳ ସମୀକ୍ଷା କରିଥିଲେ। ଏହି ଅବସରରେ ପାତ୍ରପଡା ପଞ୍ଚାୟତରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଦୁର୍ନୀତି ନେଇ ଗ୍ରାମ୍ୟ କମିଟି ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଶେଷରେ ଜିଲାପାଳ ବରସାହି ଗ୍ରାମ୍ୟ ପାର୍କ, ଖେଳ ପଡିଆ ଓ ଛେଣ୍ଡିପଦା ଗ୍ରାମ୍ୟ କମିଟି ସହିତ ଶିବ ମନ୍ଦିରର ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ପ୍ରଧାନ, ତହସିଲଦାର ଡାନିଏଲ ଏକ୍କା, ବିଡିଓ ସଞ୍ଜୟ କୁମାର ଆଚାର୍ଯ୍ୟ, ଯନ୍ତ୍ରୀ ରଞ୍ଜନ କୁମାର ସେଠୀ, ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଏସ. ଲଲାଟେନ୍ଦୁ ଓ ବିଭିନ୍ନ ପଞ୍ଚାୟତର, ସମିତିସଭ୍ୟ ଉପସ୍ଥିତ ଥିଲେ।