ବେଲାଦୁଲାରୁ ଦୂର ହେଉଛି ଅନ୍ଧବିଶ୍ୱାସ

ବଇଣ୍ଡା,୧୯।୪(ଡି.ଏନ.ଏ.)

ଦୀର୍ଘବର୍ଷ ଧରି ଅନ୍ଧବିଶ୍ୱାସର ଶିକାର ହୋଇଥିବା ଆଠମଲ୍ଲିକ ବ୍ଲକ କନ୍ଧପଡା ପଞ୍ଚାୟତ ବେଲାଦୁଲା ଗ୍ରାମରେ ଛାତଘର ନିର୍ମାଣ ହେଉ ନ ଥିଲା। ହେଲେ ଗତବର୍ଷ ପ୍ରଶାସନ ସହଯୋଗରେ ଗଁା ଲୋକଙ୍କ ମନରୁ ପୂର୍ବ ଅନ୍ଧବିଶ୍ୱାସ ଦୂର କରାଯାଇ ପ୍ରଥମ କରି କୋଠାଘର ନିର୍ମାଣ କରାଯାଇଥିଲା। ପରେ ସେହି କୋଠାଘରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର, ଦେବୀ ସୁଭଦ୍ରାଙ୍କ ମୂର୍ତ୍ତିକୁ ରଖାଯାଇ ପୂଜାର୍ଚ୍ଚନା କରାଯାଉଥିବା ବେଳେ ସୋମବାର ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ଗ୍ରାମରୁ ୨୭ଟି ଦଳ ଯୋଗଦେଇ ନାମ ସଂକୀର୍ତ୍ତନ କରିଥିଲେ। ହରିବୋଲ ହୁଳହୁଳିରେ ଗାଁ କମ୍ପି ଉଠିଥିଲା। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବିଧାୟକ ରମେଶ ଚନ୍ଦ୍ର ସାଏ, ବ୍ଲକ ଅଧ୍ୟକ୍ଷ ଦୁଃଶାସନ ରାଉଳଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ଗ୍ରାମର ସୁଦାମ ମେହେର, ଫଗୁରାମ ମେହେର, ଗୁଣନିଧି ମେହେର, ନୀଳାମ୍ବର ମେହେର, ରବୀନ୍ଦ୍ର ମେହେର, ଶ୍ରୀବସ ମାଝି, ସୁଶାନ୍ତ ମେହେର, ବିଭୀଷଣ ମାଝୀ ପ୍ରମୁଖ ସହଯୋଗ କରିଥିଲେ।