ଭୁବନେଶ୍ୱର,୧୯।୫: ଆସୁଛି ସୁପର୍ ଏଲ-ନିନୋ, ଜୁନରୁ ହେବ ଆକ୍ଟିଭ । ପାଣିପାଗରେ ହୋଇପାରେ ବଡ଼ ଧରଣର ପରିବର୍ତ୍ତନ । ବିଶେଷଜ୍ଞ କହିଲେ ସୁପର ଏଲ-ନିନୋ ପ୍ରଭାବରେ ମୌସୁମି ବର୍ଷାରେ ଲାଗିବ ବ୍ରେକ୍, ଅକ୍ଟୋବର ଯାଏଁ ରହିବ ତାତି । ମରୁଡ଼ି ହେବାର ଆଶଙ୍କା ମଧ୍ୟ ଅଧିକ । ଏଥର କମ୍ ମୌସୁମି ବର୍ଷାକୁ ନେଇ ଘାରିଲାଣି ଚିନ୍ତା । କାରଣ ଗୁରୁତର ଭାବେ ପ୍ରଭାବିତ ହୋଇପାରେ ଚାଷ । ଏହି ଆଶଙ୍କା ପଛରେ ଯେଉଁ କାରଣ ରହିଛି ତାହା ହେଉଛି ସୁପର ଏଲନିନୋ ପ୍ରଭାବ । ଆସନ୍ତା ଜୁନ୍ ମାସରୁ ସୁପର ଏଲନିନୋ ଆକ୍ଟିଭ୍ ହେବ ବୋଲି କୁହାଯାଉଛି । ଯାହା ଏବେ ନ୍ୟୁଟ୍ରାଲ ଫେଜରେ ରହିଛି ।
ପାଣିପାଗ ବିଶେଷଜ୍ଞଙ୍କ ମତରେ, ଜୁନ୍ ମାସରୁ ସୁପର ଏଲନିନୋ କ୍ରମଶଃ ବୃଦ୍ଧି ପାଇ ପାଣିପାଗରେ ଅତ୍ୟନ୍ତ ଅସ୍ବାଭାବିକ ସ୍ଥିତି ଉପୁଜାଇବ । ସୁପର ଏଲନିନୋ ଆକ୍ଟିଭ୍ ରହିଲେ, ବିଶ୍ବ ସ୍ତରରେ ତାପମାତ୍ରା ଅହେତୁକ ଭାବେ ବଢ଼ିଯିବ । ଫଳରେ ମୌସୁମି ବର୍ଷାରେ ବ୍ରେକ୍ ଲାଗିବା ସହିତ ଅକ୍ଟୋବର ଯାଏଁ ଗ୍ରୀଷ୍ମ ସ୍ଥିତି ରହିବ । ଏହାଦ୍ବାରା ମରୁଡ଼ି ଆଶଙ୍କା ଯଥେଷ୍ଟ ରହିଛି ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି ।
୨୦୦୨ରେ ଏଲ୍ ନିନୋ ସ୍ଥିତି ଯୋଗୁଁ ମୌସୁମି ବର୍ଷାରେ ଅନିୟମିତତା ଦେଖାଯାଇଥିଲା । ଓଡ଼ିଶାର ଅନେକ ଜିଲ୍ଲାରେ ମରୁଡ଼ି ସ୍ଥିତି ସୃଷ୍ଟି ହୋଇଥିଲା। ଧାନ ଉତ୍ପାଦନ କମିଥିଲା। । ୨୦୦୯ ଏଲ୍ ନିନୋ ଯୋଗୁଁ କମ୍ ବର୍ଷା ଯୋଗୁଁ ପଶ୍ଚିମ ଓଡ଼ିଶାରେ ମରୁଡ଼ି ଦେଖାଦେଇଥିଲା ଆଉ ଚାଷ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିଲା। ୨୦୧୫-୧୬ ସୁପର ଏଲ୍ ନିନୋ ଯୋଗୁଁ ସିଭିଅର ହିଟ୍ୱେଭ୍ ଆସିଥିଲା । ରାଜ୍ୟରେ ଅଂଶୁଘାତ ମୃତ୍ୟୁ ବହୁତ ହୋଇଥିଲା ।
ଯେଉଁ ଏଲନିନୋ ଏବେ ନ୍ୟୁଟ୍ରାଲ ଫେଜରେ ରହିଛି, ତାହା ଜୁନ୍ ମାସରେ ୮୨ ପ୍ରତିଶତକୁ ବୃଦ୍ଧି ପାଇବ । ଆଉ ଜୁନ୍ ମାସରୁ ସୁପର ଏଲନିନୋ କ୍ରମଶଃ ବୃଦ୍ଧି ପାଇ ପାଣିପାଗରେ ଅତ୍ୟନ୍ତ ଅସ୍ବାଭାବିକ ସ୍ଥିତି ଉପୁଜାଇବ । ପାଣିପାଗ ବିଶେଷଜ୍ଞଙ୍କ ମତରେ, ସୁପର ଏଲନିନୋ ଆକ୍ଟିଭ୍ ରହିଲେ, ବିଶ୍ବ ସ୍ତରରେ ତାପମାତ୍ରା ଅହେତୁକ ଭାବେ ବଢ଼ିଯିବ । ମୌସୁମିଜନିତ ବର୍ଷା ହ୍ରାସ ପାଇବ ଆଉ ତାତି ବହୁତ ବଢ଼ିଯିବ । ମଝିରେ ମଝିରେ ଲଘୁଚାପ ବର୍ଷାକୁ ବାଦ୍ ଦେଲେ ଅକ୍ଟୋବର ପର୍ଯ୍ୟନ୍ତ ଗ୍ରୀଷ୍ମ ରାଜୁତି କରିବ । ଯେଉଁଥିରୁ ମରୁଡ଼ି, ଅଂଶୁଘାତ, ବନାଗ୍ନି ଭଳି ବିପତ୍ତି ମାଡ଼ି ଆସିପାରେ ।