ପୁଣି ପରଦାରେ ଧମାକା କରିବାକୁ ଯାଉଛନ୍ତି ସନ୍ନି ଦେଓଲ। ‘ବର୍ଡର’ ସହିତ ବକ୍ସ ଅଫିସରେ ସୁପରହିଟ୍ ହେବା ପରେ ସନ୍ନିଙ୍କ କ୍ରେଜ୍ ଆହୁରି ବଢିଯାଇଛି। ଦର୍ଶକ ତାଙ୍କୁ ଏବେ ‘ବଣ୍ଟୱାରା ୧୯୪୭’ ଦେଖିବାକୁ ପାଇବେ। ସନ୍ନି ଇନଷ୍ଟାଗ୍ରାମରେ ସିନେମାର ପ୍ରଥମ ଝଲକ ଶେୟାର କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମାସ ମାସ ଧରି ଲାଗି ରହିଥିବା କଳ୍ପନାଜଳ୍ପନା ପରେ ଫିଲ୍ମର ଟାଇଟଲ ପରିବର୍ତ୍ତନ କରାଯାଇଛି। ‘ଲାହୋର ୧୯୪୭’ରୁ ଏହା ଏବେ ‘ବଣ୍ଟୱାରା ୧୯୪୭’ ଶୀର୍ଷକରେ ସିନେମା ହଲ୍କୁ ଆସିବ।
ରାଜକୁମାର ସନ୍ତୋଷୀଙ୍କ ଏହି ପିରିୟଡ ଡ୍ରାମା ଫିଲ୍ମ ‘ବଣ୍ଟୱାରା ୧୯୪୭’ରେ ସନିଙ୍କ ସହିତ ପ୍ରୀତି ଜିଣ୍ଟା, ଶବାନା ଆଜମି, କରଣ ଦେଓଲ, ଅଲି ଫଜଲ ଏବଂ ଅଭିମନ୍ୟୁ ସିଂହ ମୁଖ୍ୟ ଭୂମିକାରେ ଅଛନ୍ତି। ଆମିର ଖାନ ପ୍ରଡକ୍ସନ ଦ୍ୱାରା ନିର୍ମିତ ଏହି ଫିଲ୍ମଟି ବିଭାଜନ ଯୁଗର ଅଶାନ୍ତ ପୃଷ୍ଠଭୂମି ଉପରେ ନିର୍ମିତ। ଫିଲ୍ମଟି ଅଗଷ୍ଟ ୧୪, ୨୦୨୬ରେ ସିନେମା ହଲରେ ମୁକ୍ତିଲାଭ କରିବ।
‘ବଣ୍ଟୱାରା ୧୯୪୭’ର ପ୍ରଥମ ପ୍ରୋମୋରେ ସନ୍ନି ଦେଓଲ ଏକ ଜଳନ୍ତା ମଶାଲ ଧରି ଶକ୍ତିଶାଳୀ ଏବଂ ଉତ୍ସାହୀ ଅବତାରରେ ଦେଖାଯାଉଛନ୍ତି। ତାଙ୍କ ପଛରେ ପ୍ରୀତି ଜିଣ୍ଟା, କରଣ ଦେଓଲ ଏବଂ ଖୁସି ହଜାରେ ଠିଆ ହୋଇଛନ୍ତି। ସେମାନଙ୍କ ମୁହଁରେ ଭୟ ଏବଂ ଚିନ୍ତା ସ୍ପଷ୍ଟ ଭାବରେ ଦେଖାଯାଉଛି। ଶବାନା ଆଜମୀଙ୍କ ଆଉ ଏକ ଝଲକ ଦର୍ଶକଙ୍କ ହୃଦୟ ଜିତିଛି। ଟିଜରରେ ଏ.ଆର. ରହମାନଙ୍କ ଦ୍ୱାରା ଏକ ହୃଦୟସ୍ପର୍ଶୀ ବ୍ୟାକ୍ଗ୍ରାଉଣ୍ଡ୍ ଗୀତ ରହିଛି, ଯାହା ଦୃଶ୍ୟଗୁଡ଼ିକର ଭାବପ୍ରବଣ ପ୍ରଭାବକୁ ଗଭୀର କରିଥାଏ।