Categories: ଜାତୀୟ

ମନମୋହନ ସିଂଙ୍କ ନିକଟରେ ଦେଶ ଋଣୀ

ନୂଆଦିଲ୍ଲୀ,୯।୧୧: କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ ବେଳେବେଳେ ଏଭଳି ମନ୍ତବ୍ୟ ଦେଇଥାନ୍ତି, ଯାହା ଏନ୍‌ଡିଏ ସରକାରକୁ ଅପଦସ୍ଥ କରିବା ପାଇଁ ଉଦ୍ଦିଷ୍ଟ ବୋଲି ମନେହୁଏ। ଏହି କ୍ରମରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କଂଗ୍ରେସର ରାଜ୍ୟସଭା ସଦସ୍ୟ ମନମୋହନ ସିଂଙ୍କୁ ଆର୍ଥିକ ସଂସ୍କାର ପାଇଁ ପ୍ରଶଂସା କରିଛନ୍ତି।
ଏକ ଅନ୍‌ଲାଇନ୍‌ ପୋର୍ଟାଲ ପକ୍ଷରୁ ମଙ୍ଗଳବାର ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ଯୋଗଦେଇ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ କହିଛନ୍ତି, ଭାରତକୁ ଏକ ଉଦାର ଅର୍ଥନୀତି ଆବଶ୍ୟକ, ଯାହାକି ଗରିବମାନଙ୍କୁ ସୁବିଧା ଦେଇପାରୁଥିବ। ୧୯୯୧ ମସିହାରେ ଡା. ମନମୋହନ ସିଂ ଅର୍ଥମନ୍ତ୍ରୀ ଥିବାବେଳେ ଆଣିଥିବା ଆର୍ଥିକ ସଂସ୍କାର ଭାରତକୁ ଏକ ନୂଆ ଦିଗ ଦେଖାଇଥିଲା। ମନମୋହନଙ୍କ ଉଦାର ଅର୍ଥନୀତି ପାଇଁ ଦେଶ ତାଙ୍କ ନିକଟରେ ଋଣୀ ହୋଇ ରହିବ। ଅର୍ଥିକ ଉଦାର ନୀତି ଚାଷୀ ଓ ଗରିବମାନଙ୍କ ଉନ୍ନତିରେ ସହାୟକ ହୋଇଥାଏ। ଏଭଳି ଦୃଷ୍ଟାନ୍ତ ଚାଇନା କ୍ଷେତ୍ରରେ ଦେଖିବାକୁ ମିଳିଛି ବୋଲି ଗଡ଼କରୀ କହିଛନ୍ତି।

Share