ଡୁଙ୍ଗୁରିପାଲି, ୧୦।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଜଣେ ମହିଳାଙ୍କଠାରୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ଜବତ କରି ତାଙ୍କୁ କୋର୍ଟ ଚାଲାଣ କରିଛି। ଗିରଫ ମହିଳା ଜଣକ ମଧ୍ୟପ୍ରଦେଶର ବାଗସ୍ବୋଣ୍ୟା ଥାନା ଅନ୍ତର୍ଗତ ଲାଲ ଟାଙ୍କି ନିକଟସ୍ଥ ଏମ ନମ୍ବର ୧୯୩୭ ଅଞ୍ଚଳର ସୁନିତା ପଟେଲ (୪୫) ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ, ସୁନିତା ପଟେଲ ଏକ ସୁଟ୍କେସ୍ରେ ଗଞ୍ଜେଇ ଭର୍ତ୍ତି କରି ଟ୍ରେନ ଯୋଗେ ବାହାର ରାଜ୍ୟକୁ ଚାଲାଣ କରିବା ଉଦ୍ୟମ କରୁଥିଲେ। ସେ ୨୬ ନମ୍ବର ଜାତୀୟ ରାଜପଥର ଖୁଣ୍ଟପାଲି-ଡୁଙ୍ଗୁରିପାଲି ରେଳ ଷ୍ଟେଶନ ରାସ୍ତା ଦେଇ ଯାଉଥିବା ବେଳେ ପୋଲିସ କୌଣସି ସୂତ୍ରରୁ ଖବର ପାଇ ରେଳ ଷ୍ଟେସନ ନିକଟରେ ତାଙ୍କୁ ସନ୍ଦେହରେ ଅଟକାଇଥିଲା।
ପୋଲିସ ତାଙ୍କ ନିକଟରେ ଥିବା ସୁଟ୍କେସ୍ରେ ଯାଞ୍ଚ କରିବାରୁ ସେଥିରୁ ଗଞ୍ଜେଇ ମିଳିଥିଲା। ରାମପୁର ତହସିଲଦାର ତଥା ମାଜିଷ୍ଟ୍ରେଟ ବିମଳ କିଶୋର ପାତ୍ରଙ୍କ ଉପସ୍ଥିତିରେ ପୋଲିସ ଗଞ୍ଜେଇ ଓଜନ କରିଥିଲା। ଓଜନ ପରେ ମୋଟ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ଥିବା ଜଣାପଡ଼ିଥିଲା। ଏହାର ଆନୁମାନିକ ସରକାରୀ ମୂଲ୍ୟ ୧ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।
ପଚରାଉଚରା ସମୟରେ ସୁନିତା ଟ୍ରେନ ଯୋଗେ ଗଞ୍ଜେଇକୁ ବାହାର ରାଜ୍ୟକୁ ଚାଲାଣ କରିବା ପାଇଁ ଉଦ୍ୟମ କରୁଥିବା ପ୍ରକାଶ କରିଥିଲେ। ଏନେଇ ଡୁଙ୍ଗୁରିପାଲି ଥାନାରେ କେସ ନଂ. ୨୧୯/୨୬ରେ ମାମଲା ରୁଜୁ କରାଯାଇ ଏନଡିପିଏସ ଆଇନ ଅନୁଯାୟୀ ସୁନିତା ପଟେଲଙ୍କୁ କୋର୍ଟ ଚାଲାଣ କରାଯାଇଥିଲା।
କୋର୍ଟରେ ତାଙ୍କ ଜାମିନ ଆବେଦନ ମଞ୍ଜୁର ନ ହେବାରୁ ସୁନିତାଙ୍କୁ ଜେଲ ହାଜତକୁ ପଠାଯାଇଛି। ଏନେଇ ଡୁଙ୍ଗୁରିପାଲି ଥାନାର ଭାରପ୍ରାପ୍ତ ଅଧିକାରୀ ସତ୍ୟନାରାୟଣ ପଧାନ ସୂଚନା ଦେଇଛନ୍ତି।