ଫେରିଲେ ସୁନୀତା

ଦୀର୍ଘ ୯ ମାସରୁ ଊର୍ଦ୍ଧ୍ୱ ସମୟ ପ୍ରତୀକ୍ଷାର ଅନ୍ତ ଘଟାଇ ମାର୍ଚ୍ଚ ୧୮, ୨୦୨୫ ତାରିଖ ଅପରାହ୍ନ ୫ଟା ୫୭ ମିନିଟ୍‌ ସମୟରେ ମେକ୍ସିକୋ ଉପସାଗରସ୍ଥିତ ଫ୍ଲୋରିଡା ଉପକୂଳବର୍ତ୍ତୀ ଟାଲ୍ଲାହାସିଠାରେ ସ୍ପେସ୍‌ଏକ୍ସର ଡ୍ରାଗନ ଫ୍ରିଡମ୍‌ କ୍ୟାପ୍‌ସୁଲ୍‌ (କ୍ରିଉ-୯) ସାହାଯ୍ୟରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେଶନରୁ ଫେରି ଅବତରଣକଲେ ସୁନୀତା ଉଇଲିୟମ୍ସ ଏବଂ ବୁଚ୍‌ ଉଇଲମୋରେ ତଥା ତାଙ୍କୁ ଉଦ୍ଧାର କରିବାକୁ ଯାଇଥିବା ଅନ୍ୟ ଦୁଇଜଣ ବ୍ୟୋମଚାରୀ ନିକ୍‌ ହଗ୍‌ ଓ ଆଲେସ୍କାଣ୍ଡର୍‌ ଗୋରବୁନୋଭ। ସୁନୀତା ଓ ବୁଚ୍‌ ୨୦୨୪ ଜୁନ୍‌ ୫ରେ ମାତ୍ର ୨ ସପ୍ତାହ ପାଇଁ ବୋଇଂ କମ୍ପାନୀ ଦ୍ୱାରା ନିର୍ମିତ ତଥା ଆମେରିକାର ଜାତୀୟ ମହାକାଶ ଗବେଷଣା ସଂସ୍ଥା ବା ‘ନାସା’ ଦ୍ୱାରା ଅନୁମୋଦିତ ବୋଇଂ ଷ୍ଟାର୍‌ଲାଇନ୍‌ ମହାକାଶ ଯାନରେ ସେଠାକୁ ଯାତ୍ରା କରିଥିଲେ। ତେବେ ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ଲା ପରେ ଏହାର ‘ପ୍ରୋପୁଲସନ’ ବା ନୋଦକ ବ୍ୟବସ୍ଥାରେ ହିଲିୟମ୍‌ ନିର୍ଗମନ ହେତୁ କେତେକ ତ୍ରୁଟି ପରିଲକ୍ଷିତ ହେଲା। ସେଥିପାଇଁ ସେଥିରେ ନ ଫେରି ସେ ଦୁହିଁଙ୍କୁ ସେଠାରେ ଏତେଦିନ ରହିବାକୁ ପଡ଼ିଲା। ତାଙ୍କର ଏହି ପ୍ରତ୍ୟାବର୍ତ୍ତନ ପାଇଁ ବ୍ୟବହୃତ ହୋଇଛି ଏଲନ୍‌ ମସ୍କଙ୍କ ସ୍ପେସ୍‌ ଏକ୍ସ କମ୍ପାନୀ ଦ୍ୱାରା ନିର୍ମିତ କ୍ରିଉ ଡ୍ରାଗନ ମହାକାଶଯାନ।
ଆମେରିକା, ରୁଷିଆ, ୟୁରୋପୀୟ ଦେଶ ସମୂହ, ଜାପାନ ଏବଂ କାନାଡ଼ା ଭଳି ଦେଶମାନଙ୍କ ମହାକାଶ ଗବେଷଣା ସଂସ୍ଥାଗୁଡ଼ିକ ସହଯୋଗରେ ନିର୍ମିତ ହୋଇ ପୃଥିବୀର କକ୍ଷରେ ୨୦ ନଭେମ୍ବର ୧୯୯୫ରେ ସ୍ଥାପିତ ଅନ୍ତର୍ଜାତୀୟ ମହାକାଶ ଷ୍ଟେଶନକୁ ଯାତ୍ରା କରୁଥିବା ଏବଂ ସେଠାରେ ରହି ବିବିଧ ପରୀକ୍ଷା ନିରୀକ୍ଷା କରୁଥିବା ବ୍ୟୋମଚାରୀମାନଙ୍କୁ ନିର୍ଭର କରିବାକୁ ପଡ଼ିଥାଏ ପୃଥିବୀରୁ ପ୍ରେରିତ ଖାଦ୍ୟ ଉପରେ। ଏହାକୁ ନାନାଦି ପୁଷ୍ଟିରେ ସମୃଦ୍ଧ କରାଯାଇଥାଏ ଏବଂ ସହଜରେ ଖାଇହେଲା ଭଳି ବନ୍ଦ ପ୍ୟାକେଟ ମଧ୍ୟରେ ରଖାଯାଇଥାଏ। ଏହା ନିର୍ଜଳ ଅବସ୍ଥାରେ ଥିବାରୁ ଖାଇବା ପୂର୍ବରୁ ସେଥିରେ ଜଳ ମିଶାଇବାକୁ ପଡ଼େ। ଏହି ଜଳ ସେଠାରେ ସୃଷ୍ଟି କରାଯାଇଥାଏ ପରିସ୍ରା ଓ ଝାଳର ପୁନଃଚକ୍ରଣ ମଧ୍ୟରେ । ବାୟୁରେ ଥିବା ସାମାନ୍ୟ ପରିମାଣର ଜଳୀୟବାଷ୍ପରୁ ମଧ୍ୟ ତାହା ସଂଗ୍ରହ କରାଯାଏ। ସେହିପରି ସେମାନେ ଝାଡ଼ାଯିବା ପାଇଁ ନିର୍ମାଣ କରାଯାଇଥାଏ ମାଧ୍ୟାକର୍ଷଣର ଅନୁପସ୍ଥିତିରେ ମଳକୁ ଧରି ରଖିଲା ଭଳି ବିଶେଷ ଧରଣର ପାଇଖାନା। ଅତଏବ ସେମାନଙ୍କ ଭଳି ସୁନୀତା ଏବଂ ବୁଚ୍‌ଙ୍କୁ ସେଠାରେ ଏହିଭଳି ଅବସ୍ଥାରେ କଟାଇବାକୁ ପଡ଼ିଥିଲା ସେମାନଙ୍କ ଦୈନନ୍ଦିନ ଜୀବନ।
ଅନ୍ୟପକ୍ଷରେ ସେଠାର ଶୂନ୍ୟ ବା ସୂକ୍ଷ୍ମ ମାଧ୍ୟାକର୍ଷଣ ପରିବେଶ ମଧ୍ୟରେ ତାଙ୍କୁ ବିବିଧ ଶାରୀରିକ ତଥା ମାନସିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଉଦାହରଣ ସ୍ବରୂପ, ଏଥିରେ ଶରୀରକୁ ନିଜ ଓଜନର ଭାର ବହନ କରିବାକୁ ପଡ଼େ ନାହିଁ। ଏଣୁ ମାଂସପେଶୀର ଅବକ୍ଷୟ ଘଟେ ଏବଂ ତାହା ଦୁର୍ବଳ ହୋଇପଡ଼େ। ଅତଏବ ପୃଥିବୀ ପୃଷ୍ଠକୁ ଫେରିଲା ପରେ ଏଠାର ମାଧ୍ୟାକର୍ଷଣ ମଧ୍ୟରେ ଚଳପ୍ରଚଳ ହେବା ତାଙ୍କ ପାଇଁ ସହଜ ହୁଏ ନାହିଁ। ସୁନୀତା ଏବଂ ତାଙ୍କ ସହଯାତ୍ରୀଙ୍କର ଏହି କାରଣରୁ ଗୋଡ଼, ପିଠି ଓ ବିଭିନ୍ନ ଅଙ୍ଗଭଙ୍ଗୀ ସହିତ ସମ୍ପୃକ୍ତ ଅନ୍ୟାନ୍ୟ ଅଙ୍ଗପ୍ରତ୍ୟଙ୍ଗ ଏବଂ ଚାଲିବା ପ୍ରକ୍ରିୟା ବେଶ୍‌ ପ୍ରଭାବିତ ହୋଇଛି। ଏପରିକି ସେମାନଙ୍କ ଶ୍ୱାସକ୍ରିୟା ଏବଂ ହୃଦ୍‌ସ୍ପନ୍ଦନ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି। ସେଥିପାଇଁ ସେ ଦୁହିଁଙ୍କୁ ୪୫ଦିନ ଧରି ଅଲଗା ରଖି ନାନା ପ୍ରକାର ବ୍ୟାୟାମ ଏବଂ ଚିକିତ୍ସା କରିବାର ବ୍ୟବସ୍ଥା ହୋଇଛି।
ଶୂନ୍ୟ ବା ସୂକ୍ଷ୍ମ ମାଧ୍ୟାକର୍ଷଣ ସୃଷ୍ଟି କରୁଥିବା ଅନ୍ୟ ଏକ ସମସ୍ୟା ହେଲା ଶରୀର ମଧ୍ୟରେ ରକ୍ତ, ଜଳ ବା ଅନ୍ୟାନ୍ୟ ତରଳ ପଦାର୍ଥ ମୁଣ୍ଡ ଆଡ଼କୁ ଊର୍ଦ୍ଧ୍ୱଗାମୀ ହୋଇ ପ୍ରବାହିତ ହେବା। ଏହାଫଳରେ ମୁହଁ ଫୁଲି ପିଲାଙ୍କ ମୁହଁ ଭଳି ଦେଖାଯାଏ, ମୁଣ୍ଡର ଆକାର ବୃଦ୍ଧି ପାଏ ଏବଂ ପାଦ ଦୁଇଟି ନରମ ଓ ପତଳା ହୋଇଯାଏ। ଏହା ବ୍ୟତୀତ ଶରୀର ମଧ୍ୟରେ ତରଳ ପଦାର୍ଥର ଏପରି ପୁନର୍ବଣ୍ଟନ ଆଖି ଓ ନାକ ଉପରେ ଚାପ ପ୍ରୟୋଗକରି ଦୃଷ୍ଟିଶକ୍ତି ଏବଂ ଶ୍ୱାସକ୍ରିୟାକୁ ମଧ୍ୟ ପ୍ରତିହତ କରିପାରେ। ସୁନୀତା ଓ ବୁଚ୍‌ଙ୍କଠାରେ ଏପରି ଲକ୍ଷଣ କିଛି ମାତ୍ରାରେ ପରିଲକ୍ଷିତ ହୋଇଛି। ତେବେ କାଳକ୍ରମେ ତାହା ସାଧାରଣ ଅବସ୍ଥାକୁ ଆସିଯିବ ବୋଲି ଆଶା।
ବାୟୁମଣ୍ଡଳ ବାହାରେ ଅର୍ଥାତ୍‌ ମହାକାଶରେ ସୂର୍ଯ୍ୟ ଏବଂ ଅନ୍ୟାନ୍ୟ ନକ୍ଷତ୍ରମାନଙ୍କଠାରୁ ଆସୁଥିବା ମହାଜାଗତିକ ରଶ୍ମିର ସମ୍ମୁଖୀନ ହେବାର ସମ୍ଭାବନା ରହିଛି । ଏହା ଦୀର୍ଘକାଳୀନ ହେଲେ କର୍କଟ ରୋଗର ସମ୍ଭାବ୍ୟ କାରଣ ହେବା ସଙ୍ଗେ ସଙ୍ଗେ କେନ୍ଦ୍ରୀୟ ସ୍ନାୟୁ ବ୍ୟବସ୍ଥା ଏବଂ ହୃତ୍‌ପିଣ୍ଡ ଧମନୀୟ ବ୍ୟବସ୍ଥାକୁ ପ୍ରଭାବିତ କରିପାରେ। ଅବଶ୍ୟ ଅନ୍ତର୍ଜାତୀୟ ମହାକାଶ ଷ୍ଟେଶନରେ ଏଥିରୁ ସୁରକ୍ଷା ଦେବାର ବ୍ୟବସ୍ଥା କରାଯାଇଛି। ତେବେ, ତାହା ଯଥେଷ୍ଟ ନୁହେଁ। ଏପରିସ୍ଥଳେ ଏସବୁ ସମସ୍ୟା ସୁନୀତା ଓ ବୁଚ୍‌ଙ୍କଠାରେ ମଧ୍ୟ କିଛି ମାତ୍ରାରେ ପରିଲକ୍ଷିତ ହୋଇପାରେ। ପୁନଶ୍ଚ ମହାକାଶରେ ଦୀର୍ଘକାଳୀନ ଅବସ୍ଥାନ କେତେକ ଜିନୀୟ ପରିବର୍ତ୍ତନ ଆଣେ ବୋଲି କୁହାଯାଉଛି। ପୃଥିବୀକୁ ଫେରିଲା ପରେ ତହିଁରୁ ୭/୮ ପ୍ରତିଶତ ସାଧାରଣ ଭାବେ କାର୍ଯ୍ୟ କରିବାକୁ ସକ୍ଷମ ନ ଥାନ୍ତି ଏବଂ ସେଗୁଡ଼ିକ ସେ ଅବସ୍ଥାକୁ ଆସିବାକୁ ସମୟ ଲାଗେ। ଅନ୍ୟ ପକ୍ଷରେ କେତେକ ସ୍ଥଳେ ତାହା ସେହି ଅକ୍ଷମ ଅବସ୍ଥାରେ ରହିଯାନ୍ତି। ସୁନୀତା ଓ ବୁଚ୍‌ଙ୍କଠାରେ ଏହା କେତେ ଦୂର ଘଟିଛି ତାହା ପରୀକ୍ଷା କରାଯିବ। ଏବଂ ତାହାର ପ୍ରତିକାର ସ୍ଥିର କରାଯିବ।
ମହାକାଶରେ ସୁଦୀର୍ଘ ରହଣିର ମଧ୍ୟ ରହିଛି ବିବିଧ ମାନସିକ ସମସ୍ୟା। ପରିବାର ଓ ସମାଜରୁ ବିଚ୍ଛିନ୍ନ ହୋଇ ଏକ ଅସାଧାରଣ ପରିବେଶ ମଧ୍ୟରେ ଭିନ୍ନ ଜୀବନଯାପନ ହେତୁ ସୃଷ୍ଟି ହେଉଥିବା ମାନସିକ ଚାପ ଏହାର କାରଣ। ଏ ପ୍ରଭାବ ପୃଥିବୀ ପୃଷ୍ଠକୁ ଫେରିଲା ପରେ ମଧ୍ୟ ଅନେକ ଦିନ ରହେ। ଏହିସବୁ କାରଣରୁ ସୁନୀତା ଓ ତାଙ୍କ ସହଯାତ୍ରୀ ବୁଚ୍‌ଙ୍କୁ ୪୫ ଦିନ ବାହ୍ୟଜଗତରୁ ବିଚ୍ଛିନ୍ନ ରଖି ସବୁ ପ୍ରକାର ପରୀକ୍ଷା ନିରୀକ୍ଷା ଏବଂ ଚିକିତ୍ସାର ବ୍ୟବସ୍ଥା କରାଯାଇଛି।
ଅନ୍ତର୍ଜାତୀୟ ମହାକାଶ ଷ୍ଟେଶନରେ ସହଯାତ୍ରୀଙ୍କ ସହିତ ସୁଦୀର୍ଘ ୯ ମାସରୁ ଅଧିକ କାଳ ବିତାଇବା ଅବସରରେ ସୁନୀତା ବିବିଧ ଗବେଷଣା କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ। ଏହାର ଅନ୍ତର୍ଭୁକ୍ତ ଥିଲା ପ୍ରାୟ ୧୫୦ରୁ ଊର୍ଦ୍ଧ୍ୱ ବୈଜ୍ଞାନିକ ପରୀକ୍ଷା ନିରୀକ୍ଷା। ସେସବୁ ଶରୀର ଉପରେ ଦୀର୍ଘକାଳ ଧରି ମହାକାଶରେ ଅବସ୍ଥାନ କରିବା ଏବଂ ଦୀର୍ଘ ସମୟ ଧରି ସ୍ପେସ୍‌ ଓ୍ବାକ୍‌ କରିବାର ପ୍ରଭାବ ଅଧ୍ୟୟନ, ମହାକାଶ ମଧ୍ୟରେ ଅଧିକ ଦକ୍ଷଭାବେ ଜଳ ପୁନଃଚକ୍ରଣ କରିବା, ବ୍ୟୋମଚାରୀଙ୍କ ସ୍ବାସ୍ଥ୍ୟ ଉପରେ ବିଭିନ୍ନ ପୁଷ୍ଟିଯୁକ୍ତ ଖାଦ୍ୟର ପ୍ରଭାବ ଅଧ୍ୟୟନ କରିବା ଆଦି ଉପରେ ପର୍ଯ୍ୟବସିତ ଥିଲା।
ଭାରତୀୟ ବଂଶୋଦ୍ଭବ ସୁନୀତା ଯଥାଶୀଘ୍ର ତାଙ୍କର ସାଧାରଣ ସ୍ବାସ୍ଥ୍ୟାବସ୍ଥା ଫେରିପାଇ ସାଧାରଣ ଜୀବନଯାପନ ଲାଗି ସମର୍ଥ ହୁଅନ୍ତୁ ଏବଂ ବିଶ୍ୱର ନୂତନ ବ୍ୟୋମଚାରୀମାନଙ୍କ ପାଇଁ ଦିଗ୍‌ଦର୍ଶୀ ଓ ପ୍ରେରଣାର ଉତ୍ସ ପାଲଟନ୍ତୁ ଏହା ହିଁ ସମସ୍ତଙ୍କର କାମନା ହେଉ।

ପ୍ର. ରମେଶ ଚନ୍ଦ୍ର ପରିଡ଼ା

ମୋ: ୯୯୩୭୩୦୧୪୬୦


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri