୨୯ ବର୍ଷ ପୂର୍ବେ ମୁସଲମାନ ଯୁବତୀଙ୍କ ହାତ ଧରିଥିଲେ ସୁନିଲ ସେଟ୍ଟୀ; ପରିବାରକୁ ବୁଝାଇବାକୁ ଲାଗିଥିଲା ନଅ ବର୍ଷ

ବମ୍ବେ: ବଲିଉଡ୍‌ରେ ଡେବ୍ୟୁ କରିବା ପୂର୍ବରୁ ହାତକୁ ଦୁଇ ହାତ ହୋଇସାରିଥିଲେ ଅଭିନେତା ସୁନିଲ ସେଟ୍ଟୀ। ୧୯୯୧ରେ ମାନାଙ୍କୁ ପ୍ରେମ ବିବାହ କରିଥିଲେ ସୁନିଲ। କୋନେପିୟନ ସି ରୋଡରେ ଥିବା ଏକ କେକ୍‌ ଦୋକାନରୁ ଆରମ୍ଭ ହୋଇଥିଲା ଉଭୟଙ୍କ ପ୍ରେମକାହାଣୀ। ମାନା ପେଷ୍ଟ୍ରି ଖାଇବାକୁ ବନ୍ଧୁମାନଙ୍କ ସହ ଦୋକାନକୁ ଯାଇଥିବା ବେଳେ ସୁନିଲ ତାଙ୍କୁ ଭେଟିଥିଲେ। ପ୍ରଥମ ଦେଖାରେ ହିଁ ମାନା ପ୍ରେମରେ ପଡ଼ିଥିଲେ ସୁନିଲ। ହେଲେ କିଭଳି ତାଙ୍କ ସହ କଥା ହେବେ ତାହା ଜାଣି ପାରୁ ନ ଥିଲେ। ଶେଷରେ ସୁନିଲ ତାଙ୍କ ଭଉଣୀଙ୍କ ସହ କଥା ହୋଇଥିଲେ। କିଛି ଦିନ ଏପରି ଚାଲିବା ପରେ ମାନାଙ୍କୁ ମନ କଥା କହିବାକୁ ନିଶ୍ଚିତ କରିଥିଲେ ସେ। ତାହା ହିଁ ହେଲା। ବନ୍ଧୁଙ୍କ ଜନ୍ମଦିନ ପାର୍ଟିଙ୍କୁ ତାଙ୍କୁ ଡାକି ବାଇକ୍‌ ରାଇଡ୍‌ରେ ନେଇଥିଲେ ସୁନିଲ। ବାଟରେ ମନ କଥା ମଧ୍ୟ ସେ କହିଥିଲେ। ମାନା ହଁ ଭରିଥିଲେ।

ପ୍ରେମର ଗୋଟିଏ ପାହାଚ ଡେଇଁଯିବା ପରେ ବିବାହ କିଭଳି କରିବେ ତାହାକୁ ନେଇ ପ୍ରଶ୍ନ ଉଠିଥିଲା। କାରଣ ଉଭୟ ଥିଲେ ଭିନ୍ନ ଧର୍ମର। ସୁନିଲ ହିନ୍ଦୁ ଏବଂ ମାନା ଥିଲେ ମୁସଲମାନ। ମାନାଙ୍କ ଜନ୍ମ ପଞ୍ଜାବୀ-ମୁସଲମାନ ପରିବାରରେ ହୋଇଥିଲା। ତାଙ୍କ ନାମ ସେତେବେଳେ ଥିଲା ମୋନିଶା କାଦରୀ। ଧର୍ମ ଭିନ୍ନ ହୋଇଥିବାରୁ ବିବାହ ଅଧିକ ଦିନ ପର୍ଯ୍ୟନ୍ତ ଚାଲିବ କି ନା ତାହାକୁ ନେଇ ଉଭୟଙ୍କ ପରିବାର ଚିନ୍ତାରେ ପଡ଼ିଥିଲେ। ଏଣୁ ୯ ବର୍ଷ ଯାଏ ସେମାନଙ୍କ ବିବାହକୁ ପରିବାରଲୋକେ ଗ୍ରହଣ କରି ନ ଥିଲେ। ଶେଷରେ ୧୯୯୧ ଡିସେମ୍ବର ୨୫ରେ ଉଭୟ ବିବାହ କରିଥିଲେ। ବେଶ୍‌ ଜାକଜମକରେ ଦଶ ଦିନ ଧରି ସବୁ ଉତ୍ସବ କରାଯାଇଥିଲା। ବିବାହ ପରେ ୧୯୯୨ ‘ବଲବାନ’ ଫିଲ୍ମରେ ସେ ଡେବ୍ୟୁ କରିଥିଲେ। ଏହାପରଠାରୁ ସେ ପଛକୁ ଫେରି ଚାହିଁନାହାନ୍ତି। ଏବେ ଉଭୟଙ୍କ ଦୁଇ ସନ୍ତାନ ଆଥିୟା ସେଟ୍ଟୀ ଏବଂ ଅହାନ ସେଟ୍ଟୀ ଅଛନ୍ତି।

Share