Categories: ଖେଳ

ସୁନୀଲ ନାରିନ୍‌ଙ୍କ ପ୍ରଥମ ଶତକ

କୋଲକାତା,୧୭ା୪: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ରେ ନିଜର ପ୍ରଥମ ଶତକ ହାସଲ କରିଛନ୍ତି ସୁନୀଲ ନାରିନ୍‌। ଫଳରେ ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୬ ଉଇକେଟ ହରାଇ ୨୨୩ରନ୍‌ କରିଛି କୋଲକାତା ନାଇଟ୍‌ ରାଇଡର୍ସ। ଜବାବରେ ରାଜସ୍ଥାନ ୬ ଓଭରରେ ୨ ଉଇକେଟ ହରାଇ ୭୬ ରନ୍‌ ସଂଗ୍ରହ କରିଥିଲେ।
ଇଡେନ୍‌ ଗାର୍ଡେନ୍ସରେ ରାଜସ୍ଥାନ ଟସ୍‌ ଜିତି ପ୍ରଥମେ ବୋଲିଂ ନେଇଥିଲା। ପ୍ରଥମ ୪ ଓଭରରେ ରାଜସ୍ଥାନ ବୋଲର ମାପଚୁପ ବୋଲିଂ କରିଥିଲେ। ଫିଲ ସଲ୍ଟ(୧୦) ଓ ସୁନୀଲ ନାରିନ୍‌(୧୦୯) ପ୍ରଥମ ଉଇକେଟରେ ୨୧ ରନ୍‌ ଯୋଡିଥିଲେ। ପ୍ରଥମ ଓଭରରେ ବୋଲ୍ଟଙ୍କ ବଲରେ ଖାତା ଖୋଲିବା ଆଗରୁ ଜୀବନଦାନ ପାଇଥିବା ସଲ୍ଟ ଚତୁର୍ଥ ଓଭରରେ ମାତ୍ର ୧୦ ରନ୍‌ କରି ଆଭେଶ୍‌ ଖାନ୍‌ଙ୍କ ବଲରେ ଆଉଟ ହୋଇଥିଲେ। ଯୁବ ଖେଳାଳି ଅଙ୍ଗକ୍ରିଶ ରଘୁବଂଶୀ ଦ୍ରୁତ ୩୦ ରନ୍‌ କରି ସୁନୀଲ ନାରିନଙ୍କ ସହ ୮୫ ରନ୍‌ ଯୋଡିଥିଲେ। ରଘୁବଂଶୀ ୧୮ ବଲ୍‌ ଖେଳି ୫ ଚୌକା ମାରିଥିଲେ। ତେବେ ସୁନୀଲ ନାରିନ୍‌ ଗୋଟିଏ ପଟରୁ ଆକ୍ରମଣ ଜାରି ରଖିବା ସହ ଆଇପିଏଲ କ୍ୟାରିୟରର ପ୍ରଥମ ଶତକ ହାସଲ କରିଥିଲେ। ନାରିନ୍‌ ୫୬ ବଲ୍‌ ଖେଳି ୧୩ ଚୌକା ଓ ୬ ଛକା ମାରିଥିଲେ। ଅଧିନାୟକ ଶ୍ରେୟସ୍‌ ଆୟର ପୁଣି ଥରେ ବିଫଳ ହୋଇ ମାତ୍ର ୧୧ ରନ୍‌ରେ ପ୍ୟାଭିଲିୟନ ଫେରିଥିଲେ। ସ୍କୋର ବଢାଇବା ପାଇଁ ଆନ୍ଦ୍ରେ ରସେଲଙ୍କୁ ପଦୋନ୍ନତି ମିଳିଥିଲେ ମଧ୍ୟ ସେ ମାତ୍ର ୧୩ ରନ୍‌ରେ ଆଉଟ ହୋଇଥିଲେ। ୧୮ ତମ ଓଭରରେ ନାରିନ୍‌ ଆଉଟ ହୋଇଥିଲେ। ତେବେ ରାଜସ୍ଥାନର ଦୁଇ ସ୍ପିନର ୟୁଜବେନ୍ଦ୍ର ଚହଲ ଓ ରବିଚନ୍ଦ୍ରନ ଅଶ୍ୱିନଙ୍କ ବିପକ୍ଷରେ ଆକ୍ରମଣାତ୍ମକ ବ୍ୟାଟିଂ କରଥିଲେ ନାରିନ୍‌। ଚହଲ ନିଜ କୋଟାରେ ୫୪ ରନ ବ୍ୟୟ କରି ଏକ ଉଇକେଟ ନେଇଥିବା ବେଳେ ଅଶ୍ୱିନ ଉଇକେଟ ଶୂନ୍ୟ ରହି ୪୯ ରନ୍‌ ଦେଇଥିଲେ। ଶେଷ ଭାଗରେ ରିଙ୍କୁ ସିଂ ୯ ବଲ୍‌ରୁ ୨୦ ରନ କରିବା ଫଳରେ କୋଲକାତା ୨୨୩ ରନ୍‌ରେ ପହଞ୍ଚିଥିଲା। ରାଜସ୍ଥାନ ପକ୍ଷରୁ କୁଲଦୀପ ସେନ ଓ ଆଭେଶ ଖାନ୍‌ ୨ଟି ଲେଖାଏ ଉଇକେଟ ନେଇଥିବା ବେଳେ ଟ୍ରେଣ୍ଟ ବୋଲ୍ଟ ଓ ୟୁଜବେନ୍ଦ୍ର ଚହଲଙ୍କୁ ଗୋଟିଏ ଲେଖାଏ ସଫଳତା ମିଳିଥିଲା।
ସଂକ୍ଷିପ୍ତ ସ୍କୋର
କୋଲକାତା ନାଇଟ ରାଇଡର୍ସ ୨୦ ଓଭରରେ ୨୨୩/୬ (ସୁନୀଲ ନାରିନ୍‌-୧୦୯, ଅଙ୍ଗକ୍ରୀଶ ରଘୁବଂଶୀ-୩୦, ରିଙ୍କୁ ସିଂ-୨୦*, ଆଭେଶ ଖାନ୍‌-୨/୩୫, କୁଲଦୀନ ସେନ୍‌-୨/୪୬, ଟ୍ରେଣ୍ଟ ବୋଲ୍ଟ-୧/୩୧)।

Share