ନୂଆଦିଲ୍ଲୀ,୨୯।୧୧: ନ୍ୟୁଜିଲାଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆର ପ୍ରଦର୍ଶନ ଅପେକ୍ଷା ଦଳର କିଛି ନିଷ୍ପତ୍ତିକୁ ନେଇ ଅଧିକ ଚର୍ଚ୍ଚା ଓ ବିବାଦ ଦେଖାଦେଇଛି । ଟି-୨୦ ସିରିଜ୍ରେ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ ଗୋଟିଏ ବି ମ୍ୟାଚ୍ରେ ସୁଯୋଗ ନ ମିଳିବା ପରେ ଟେଷ୍ଟ ସିରିଜ୍ରେ ମହମ୍ମଦ ସିରାଜ ଓ ରବୀନ୍ଦ୍ର ଜାଡେଜାଙ୍କୁ ଦଳରେ ସ୍ଥାନ ନ ମିଳିବା ନେଇ ପ୍ରଶ୍ନ ଉଠିଥିଲା। ଏବେ ଦ୍ୱିତୀୟ ଟେଷ୍ଟରେ କନକସନ୍ ସବ୍ଷ୍ଟିଚ୍ୟୁଟ୍ ଭାବେ ପ୍ରସିଦ୍ଧ କୃଷ୍ଣାଙ୍କୁ ଖେଳାଇବା ନିଷ୍ପତ୍ତିକୁ ନେଇ ପୂର୍ବତନ ଭାରତୀୟ ଅଧିନାୟକ ସୁନୀଲ ଗାଭାସ୍କର ଅସନ୍ତୋଷ ପ୍ରକାଶ କରିଛନ୍ତି ।
କ୍ରାଇଷ୍ଟଚର୍ଚ୍ଚରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟରେ ମଧ୍ୟ ମହମ୍ମଦ ସିରାଜଙ୍କୁ ପ୍ଲେଇଂ ଏକାଦଶରେ ସ୍ଥାନ ମିଳି ନଥିଲା। ଏହାକୁ ନେଇ ଦଳ ପରିଚାଳନା କମିଟିକୁ ସମାଲୋଚନା କରାଯାଇଥିଲା। ମ୍ୟାଚ୍ର ତୃତୀୟ ଦିନରେ ଆକାଶ ଦୀପ ଆହତ ହେବା ପରେ କନକସନ୍ କାରଣରୁ ତାଙ୍କୁ ମ୍ୟାଚ୍ରୁ ବାଦ୍ ଦିଆଯାଇଥିଲା। ତାଙ୍କ ବଦଳରେ କନକସନ୍ ସବ୍ଷ୍ଟିଚ୍ୟୁଟ୍ ଭାବେ ପ୍ରସିଦ୍ଧ କୃଷ୍ଣାଙ୍କୁ ଖେଳାଇବାକୁ ଭାରତୀୟ ଦଳ ନିଷ୍ପତ୍ତି ନେଇଥିଲା। ଏହି ନିଷ୍ପତ୍ତି ପରେ ସିରାଜଙ୍କୁ ଅଣଦେଖା କରାଯାଇଥିବା ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଥିଲା।
ଭାଷ୍ୟକାର ଭାବେ ମ୍ୟାଚ୍ର ବିଶ୍ଳେଷଣ କରୁଥିବା ବେଳେ ଗାଭାସ୍କର ଏହି ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠାଇଥିଲେ । ସେ କହିଥିଲେ, ପ୍ରସିଦ୍ଧ କୃଷ୍ଣା ଖେଳିଥିବା ପ୍ରାୟ ୬ରୁ ୧୨ଟି ଟେଷ୍ଟ ମ୍ୟାଚ୍ରେ କେବେ ଗୋଟିଏ ଇନିଂସରେ ୫ଟି ୱିକେଟ୍ ନେଇଥିବା ମୋର ମନେ ପଡ଼ୁନାହିଁ। ଅଂଶୁଲ କାମ୍ବୋଜ ମଧ୍ୟ ଏପରି କରିନାହାନ୍ତି। ଗାଭାସ୍କରଙ୍କ ମତରେ, ଏହି ସୁଯୋଗରେ ମହମ୍ମଦ ସିରାଜଙ୍କୁ ଖେଳାଇବା ଉଚିତ ଥିଲା। ନ୍ୟୁଜିଲାଣ୍ଡର ବ୍ୟାଟର୍ମାନଙ୍କ ପାଇଁ ସିରାଜଙ୍କ ବୋଲିଂ ଏକ ନୂଆ ଅନୁଭବ ହୋଇଥାନ୍ତା। ଏହା ସହିତ ସିରାଜ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳି ନଥିବାରୁ ସେ ଅନ୍ୟ ବୋଲରଙ୍କ ତୁଳନାରେ ଅଧିକ ସତେଜ ଥିଲେ ବୋଲି ଗାଭାସ୍କର ଯୁକ୍ତି ବାଢ଼ିଥିଲେ।
ସିରାଜଙ୍କୁ ସମଗ୍ର ଟେଷ୍ଟ ସିରିଜ୍ରେ ତାଙ୍କ ଫର୍ମକୁ ଆଧାର କରି ସୁଯୋଗ ଦିଆଯାଇନଥିବା କୁହାଯାଉଛି । ପ୍ରଥମ ଟେଷ୍ଟ ପରେ ଅଧିନାୟକ ଶୁବମନ ଗିଲ୍ ମଧ୍ୟ ଏହି କଥା କହିଥିଲେ । ତେବେ ଦ୍ୱିତୀୟ ଟେଷ୍ଟରେ ମଧ୍ୟ ସିରାଜଙ୍କୁ ବାଦ୍ ଦିଆଯିବା ପରେ ଦଳର ଚୟନକୁ ନେଇ ପ୍ରଶ୍ନ ଉଠିଛି । ପ୍ରଥମ ଟେଷ୍ଟର ଶେଷ ଦିନରେ ଯଶପ୍ରୀତ ବୁମ୍ରା, ଅଂଶୁଲ କାମ୍ବୋଜ, ଆକାଶ ଦୀପ ଓ ପ୍ରସିଦ୍ଧ କୃଷ୍ଣାଙ୍କ ମିଳିତ ଉଦ୍ୟମ ସତ୍ତ୍ୱେ ନ୍ୟୁଜିଲାଣ୍ଡ ଦଳକୁ ଅଲ୍ଆଉଟ୍ କରିବାରେ ଭାରତ ସଫଳ ହୋଇନଥିଲା। ସେହି ମ୍ୟାଚ୍ରେ ପ୍ରସିଦ୍ଧ, ଆକାଶ ଓ ଅଂଶୁଲ ପ୍ରତ୍ୟେକ ୩ଟି ଲେଖାଏଁ ୱିକେଟ୍ ନେଇଥିଲେ। ଏହା ପରେ ପ୍ରସିଦ୍ଧଙ୍କୁ ଦ୍ୱିତୀୟ ଟେଷ୍ଟର ପ୍ଲେଇଂ ଏକାଦଶରୁ ବାଦ୍ ଦିଆଯାଇଥିଲା। ଏଭଳି ସ୍ଥିତିରେ କନକସନ୍ ସବ୍ଷ୍ଟିଚ୍ୟୁଟ୍ ଭାବେ ତାଙ୍କୁ ପୁଣି ସୁଯୋଗ ଦିଆଯିବା ନିଷ୍ପତ୍ତିକୁ ଗାଭାସ୍କର ସମାଲୋଚନା କରିଛନ୍ତି ।