Categories: ଖେଳ

‘ଓ୍ବାର୍କଲୋଡ୍‌ ଖାଲି ଭାରତ ପାଇଁ ଖେଳିବା ବେଳେ, ଆଇପିଏଲ୍‌ରେ ତ କେହି ଥକ୍କା ହେଉନାହଁ’

ନୂଆଦିଲ୍ଲୀ,୧୨।୧୧: ସେମିଫାଇନାଲରେ ଇଂଲଣ୍ଡ ବିପକ୍ଷରେ ଲଜ୍ଜାଜନକ ପରାଜୟ ପରେ ଟିମ୍‌ ଇଣ୍ଡିଆକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି। ବିଶେଷକରି ଖେଳାଳିମାନେ ଆଇପିଏଲ୍‌ ସମୟରେ ଜବରଦସ୍ତ ପ୍ରଦର୍ଶନ କରିବାକୁ ଚେଷ୍ଟା କରୁଥିବା ବେଳେ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ନିରାଶ କରିବାକୁ ନେଇ ପ୍ରଶ୍ନ ଉଠୁଛି। ଏହି କ୍ରମରେ ଭେଟେରାନ ବ୍ୟାଟ୍ସମ୍ୟାନ୍‌ ସୁନୀଲ ଗାଭାସ୍କର ଖେଳାଳିଙ୍କ ଓ୍ବାର୍କଲୋଡ୍‌ ମ୍ୟାନେଜ୍‌ମେଣ୍ଟକୁ ନେଇ କଟୁ ମନ୍ତବ୍ୟ ଦେଇଛନ୍ତି। ଖେଳାଳିମାନେ ଅନ୍ତର୍ଜାତୀୟ ମ୍ୟାଚ୍‌ରୁ ଦୂରେଇ ଯାଇ ବିଶ୍ରାମ କରୁଛନ୍ତି ହେଲେ ଆଇପିଏଲ୍‌ର ସମସ୍ତ ମ୍ୟାଚ୍‌ ପାଇଁ ଉପଲବ୍ଧ ରହୁଥିବା ସେ କହିଛନ୍ତି।

ଗାଭାସ୍କର ଏକ ସାକ୍ଷାତକାରରେ କହିଛନ୍ତି, ଆଗାମୀ ଦିନରେ ଭାରତର ଟି୨୦ ସେଟ୍‌ଅପ୍‌ରେ ପରିବର୍ତ୍ତନ ନିଶ୍ଚିତ ଭାବେ ଘଟିବ। ନ୍ୟୁଜିଲାଣ୍ଡ ଗସ୍ତରେ ଯାଉଥିବା ଦଳରେ ପରିବର୍ତ୍ତନ କରାଯାଇଛି। ଯେଉଁ ଓ୍ବାର୍କଲୋଡ୍‌(କାର୍ଯ୍ୟଭାର) କଥା ଉଠୁଛି ତାହା କେବଳ ଭାରତ ପାଇଁ ଖେଳିବା ଲାଗି କାହିଁକି ରହିଛି। ସମସ୍ତେ ଆଇପିଏଲ୍‌ ଖେଳୁଛନ୍ତି। ପୁରା ସିଜନ ଖେଳୁଛନ୍ତି। ସେଠାରେ ଭ୍ରମଣ କରୁଛନ୍ତି। ଗତ ଥରର ଆଇପିଏଲ୍‌ ଦେଖିଲେ ଚାରିଟି ସେଣ୍ଟରରେ ତାହା ଆୟୋଜିତ ହୋଇଥିଲା। ବାକି ସମସ୍ତ ସ୍ଥାନରେ ଧାଁ ଧାପଡ଼ କରିବାକୁ ପଡ଼ିଥିଲା। ସେଠାରେ ଥକ୍କା ଲାଗିଲା ନାହିଁ। ସେଠାରେ ଓ୍ବାର୍କଲୋଡ ନ ଥିଲା। କେବଳ ଯେତେବେଳେ ଭାରତ ପାଇଁ ଖେଳିବାକୁ ହେଉଛି, ସେତେବେଳେ ତୁମ ଉପରେ ଓ୍ବାର୍କଲୋଡ୍‌ ଆସିଯାଉଛି। ଏହା ଭୁଲ ବୋଲି ସେ କହିଛନ୍ତି।

ପ୍ରକାଶ ଯେ, ନଭେମ୍ବର ୧୮ରୁ ଭାରତର ନ୍ୟୁଜିଲାଣ୍ଡ ଗସ୍ତ ଆରମ୍ଭ ହେଉଛି। ଏଥିଲାଗି ଚୟନ ହୋଇଥିବା ଟିମର ନେତୃତ୍ୱ ହାର୍ଦ୍ଦିକ ପାଣ୍ଡ୍ୟା ନେବେ। ଅପରପକ୍ଷେ ସିରିଜ ଲାଗି ଅନେକ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି।

Share