Categories: ଖେଳ

୭୧ ବର୍ଷରେ ସୁନୀଲ ଗାଭାସ୍କର

ମୁମ୍ବାଇ,୧୦।୭: ଭାରତୀୟ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ୭୧ ବର୍ଷରେ ପଦାର୍ପଣ କରିଛନ୍ତି। ଶୁକ୍ରବାର ସେ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ଏହି ଅବସରରେ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନର ଶୁଅ ଛୁଟିଛି। ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଟେଷ୍ଟରେ ୧୦ ହଜାର ରନ ପୂରଣ କରିଥିବା ଗାଭାସ୍କର ୧୯୮୫ରେ ଭାରତର ନେତୃତ୍ୱ ନେଇଥିଲେ ଓ ଟିମ୍‌ ଇଣ୍ଡିଆକୁ ଓ୍ବାଲର୍‌ଡ ଚାମ୍ପିୟନଶିପ୍‌ରେ ବିଜୟୀ କରାଇଥିଲେ। ମୁମ୍ବାଇରେ ୧୯୪୯ ମସିହା ଜୁଲାଇ ୧୦ ତାରିଖରେ ସେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କୁ ବହୁ ପୂର୍ବତନ ଓ ଏବେକାର କ୍ରିକେଟର ଶୁଭେଚ୍ଛା ଜଣାଇଛନ୍ତି। ପୂର୍ବତନ ବ୍ୟାଟ୍ସ୍ୟାନ ଭିଭିଏସ୍‌ ଲକ୍ଷ୍ମଣ, ଅଭିଜ୍ଞ ମହିଳା କ୍ରିକେଟର ମିଥାଲି ରାଜ, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସମ୍ପାଦକ ଜୟ ଶାହ, ଦ୍ରୁତ ବୋଲର ଉମେଶ ଯାଦବ, ପୂର୍ବତନ ବ୍ୟାଟ୍ସମ୍ୟାନ ମହମ୍ମଦ କୈଫ୍‌, ମନୋଜ ତିଓ୍ବାରୀ ପ୍ରମୁଖ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
୧୯୭୧ ଐତିହାସିକ ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ସେ ଗାଭାସ୍କାର ପଦାର୍ପଣ କରିଥିଲେ। କ୍ୟାରିୟରର ପ୍ରଥମ ସିରିଜ ସେ ୪ ଟି ମ୍ୟାଚ୍‌ ଖେଳି ଦଳ ତରଫରୁ ସର୍ବାଧିକ ୭୭୪ ରନ ସଂଗ୍ରହ କରିଥିଲେ। ଭାରତ ଏହି ସିରିଜରେ ୧-୦ରେ ବିଜୟୀ ହୋଇଥିଲା। ପଦାର୍ପଣର ୧୬ ବର୍ଷ ପରେ ସେ ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଟେଷ୍ଟରେ ୧୦,୦୦୦ ରନ୍‌ ସଂଗ୍ରହ କରିଥିଲେ। ମୋଟ ଉପରେ ୧୨୫ଟି ଟେଷ୍ଟ ଖେଳି ୫୧.୧୨ ରନ ହାରରେ ସେ ୧୦୧୨୨ ରନ ସଂଗ୍ରହ କରିଥିଲେ। ସେହିପରି ଦିନିକିଆରେ ସେ ୩୫.୧୩ ରନ ହାରରେ ୩୦୯୨ ରନ ସଂଗ୍ରହ କରିଥିଲେ। ଦିନିକିଆରେ ଗୋଟିଏ ଶତକ ଓ ୨୭ଟି ଅର୍ଦ୍ଧଶତକ ହାସଲ କରିଥିଲେ। ସେହିପରି ଟେଷ୍ଟରେ ସେ ୩୪ ଶତକ ଓ ୪୫ଟି ଅର୍ଦ୍ଧଶତକ ହାସଲ କରିଥିଲେ। ୪୭ ଟେଷ୍ଟ ଓ ୩୭ ଦିନିକିଆରେ ସେ ଭାରତର ନେତୃତ୍ୱ ନେଇଥିଲେ ଓ ଏଥିରେ ଦଳ ୯ ଟେଷ୍ଟ ଓ ୧୪ଟି ଦିନିକିଆରେ ବିଜୟୀ ହୋଇଥିଲା।

Share