ଦଳୀୟ ପ୍ରାର୍ଥୀଙ୍କୁ ଟକ୍କର ଦେଉଛନ୍ତି ସ୍ବାଧୀନ

ସୁନ୍ଦରଗଡ଼,୨୧।୩(ଡି.ଏନ୍‌.ଏ.): ଚଳିତ ପୌର ନିର୍ବାଚନରେ ସୁନ୍ଦରଗଡ଼ରେ କାହାର ହେବ ବାଜିମାତ। ଚା’ ଖଟି ଠାରୁ ଆରମ୍ଭ କରି ପାନ ଦୋକାନ, ବଜାର, ରାସ୍ତାଘାଟ ସବୁଠି ଏହି ଗୋଟିଏ କଥା। ସୁନ୍ଦରଗଡ଼ ପୌରାଧ୍ୟକ୍ଷ ପଦବୀ ଏଥର ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ବେଳେ ୩ ପ୍ରମୁଖ ରାଜନୈତିକ ଦଳ ସମେତ ସ୍ବାଧୀନ ପ୍ରାର୍ଥୀଙ୍କୁ ମିଶାଇ ନିର୍ବାଚନୀ ମଇଦାନରେ ମୋଟ ୫ଜଣ ପ୍ରାର୍ଥୀ ରହିଛନ୍ତି।

ସେହିପରି ୧୯ଟି ଓ୍ବାର୍ଡରେ ମୋଟ ୭୪ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ପୌର ନିର୍ବାଚନ ପାଇଁ ପ୍ରଚାର ଆଉ ମାତ୍ର ୨ ଦିନ ବାକିଥିବା ବେଳେ ପ୍ରାର୍ଥୀଙ୍କ ପ୍ରଚାର ମଧ୍ୟ ଜୋରଦାର ହେଉଛି। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ପ୍ରାର୍ଥୀଙ୍କ ପ୍ରଚାର ଗାଡିରେ ଭୋଟରଙ୍କୁ ମନାଇବା ପାଇଁ ତୁହାକୁ ତୁହା ମନମତାଣିଆ ଗୀତରେ ସହର କମ୍ପିଉଠୁଛି ।

ଦଳୀୟ ନେତା, କର୍ମୀ ଓ ସମର୍ଥକଙ୍କ ସହ ବିଭିନ୍ନ ଓ୍ବାର୍ଡରେ ପ୍ରାର୍ଥୀମାନେ ଘରକୁ ଘର ବୁଲି ଭୋଟଭିକ୍ଷା କରୁଛନ୍ତି। ସବୁ ପ୍ରାର୍ଥୀଙ୍କ ମୁହଁରେ ଓ୍ବାର୍ଡ ସମସ୍ୟାର ସମାଧାନ, ମୌଳିକ ସେବା ପ୍ରଦାନ ଓ ସୁନ୍ଦରଗଡ଼କୁ ଆହୁରି ସୁନ୍ଦର କରିବା ପାଇଁ ବିକାଶର ନାରା ଦେଇ ଭୋଟରଙ୍କ ନିକଟତର ହେଉଛନ୍ତି। ଏଭଳି ସ୍ଥିତିରେ ବିଜେଡି, ଭାଜପା, କଂଗ୍ରେସ ପ୍ରାର୍ଥୀଙ୍କ ତୁଳନାରେ ସ୍ବାଧୀନ ପ୍ରାର୍ଥୀ ମଧ୍ୟ ପ୍ରଚାରରେ କୌଣସି କ୍ଷେତ୍ରରେ ପଛରେ ନାହାନ୍ତି।

ବିଜେଡିର ପୌରାଧ୍ୟକ୍ଷା ପ୍ରାର୍ଥିନୀ ପୂର୍ବତନ ଉପନଗରପାଳ ରଞ୍ଜନା ପଣ୍ଡା, ଭାଜପାର ତନୟା ମିଶ୍ର, କଂଗ୍ରେସ ତରଫରୁ ପୂର୍ବତନ କାନସିଲର ସସ୍ମିତା ଯୋଶୀ ଏବଂ ସ୍ବାଧୀନ ପ୍ରାର୍ଥତ୍ନୀ ଭାବେ ନିନିମା ପଟେଲ ଓ ପଦ୍ମାଦେବୀ ନିର୍ବାଚନ ଲଢୁଛନ୍ତି।

ସେହିପରି ସ୍ବାଧୀନ ପ୍ରାର୍ଥତ୍ନୀ ନିନିମା ପଟେଲ, ସ୍ବାମୀ ପୂର୍ବତନ କାଉନସିଲର ଡା. ହିମାଂଶୁ ଶେଖର ଷଡଙ୍ଗୀ ସମର୍ଥକଙ୍କ ସହ ମାରାଥନ ପ୍ରଚାର କରି ଦଳୀୟ ପ୍ରାର୍ଥତ୍ନୀଙ୍କୁ କଡାଟକ୍କର ଦେଉଛନ୍ତି।