Categories: ଖେଳ

ସୁନ୍ଦରଗଡ଼, ଝାରସୁଗୁଡ଼ା, କିଟ୍‌ର ବୃହତ୍‌ ବିଜୟ

ଭୁବନେଶ୍ୱର, ୨୧ା୯(କ୍ରୀଡ଼ା ପ୍ରତିନିଧି): ହକି ଆସୋସିଏଶନ ଅଫ୍‌ ଓଡ଼ିଶା ଆନୁକୂଲ୍ୟରେ ରାଜ୍ୟ ଜୁନିୟର ହକି ଚାମ୍ପିୟନଶିପ ଇତିମଧ୍ୟରେ ତୃତୀୟ ଦିବସରେ ପହଞ୍ଚତ୍ଛି। ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ଓ କିଟ୍‌ ଷ୍ଟାଡିୟମରେ ଚାଲିଥିବା ପ୍ରତିଯୋଗିତାର ତୃତୀୟ ଦିବସରେ ସମ୍ବଲପୁରର ଶହୀଦ ମାଧୋ ସିଂ ହକି ଏକାଡେମୀ, ଅନୁଗୋଳ, ସୁନ୍ଦରଗଡ଼, ସମ୍ବଲପୁର, ଢେଙ୍କାନାଳ, ଝାରସୁଗୁଡ଼ା, କିଟ୍‌ ଓ କିସ୍‌ ଆଦି ଦଳ ବିଜୟ ହାସଲ କରିଛନ୍ତି। ସୁନ୍ଦରଗଡ଼ ୧୦-୦ ବୃହତ୍‌ ବ୍ୟବଧାନରେ ଯାଜପୁର, ଝାରସୁଗୁଡ଼ା ୮-୦ରେ ନୟାଗଡ଼ ଏବଂ କିଟ୍‌ ଓ କିସ୍‌ ୮-୦ ଗୋଲରେ ଜଗତ୍‌ସିଂହପୁରକୁ ପରାସ୍ତ କରିଛି। ଅନ୍ୟ ମ୍ୟାଚ ଗୁଡ଼ିକ ମଧ୍ୟରେ ଶହୀଦ ମାଧୋ ସିଂ ହକି ଏକାଡେମୀ ୭-୦ରେ ଗଞ୍ଜାମ, ଅନୁଗୋଳ ୨-୧ରେ ବଲାଙ୍ଗୀର, ସମ୍ବଲପୁର ୭-୦ରେ ନବରଙ୍ଗପୁର ଓ ଢେଙ୍କାନାଳ ୭-୦ ଗୋଲରେ ସୁବର୍ଣ୍ଣପୁରକୁ ହରାଇ ଦେଇଛି। ଗତ ୧୮ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଚାମ୍ପିୟନଶିପ୍‌ରେ ବିଭିନ୍ନ ଜିଲା, ଏକାଡେମୀ ଓ ଅନୁଷ୍ଠାନରୁ ୫୦୦ରୁ ଊର୍ଦ୍ଧ୍ୱ ଖେଳାଳି ଅଂଶଗ୍ରହଣ କରିଛନ୍ତି। ନକ୍‌ଆଉଟ ଭିତ୍ତିରେ ଖେଳାଯାଉଥିବା ଏହି ପ୍ରତିଯୋଗିତାର ପ୍ରଥମ ଦିବସରେ ଶହୀଦ ମାଧୋ ସିଂ ହକି ଏକାଡେମୀ ୬-୦ରେ ଗଜପତି, ଗଞ୍ଜାମ ୫-୦ରେ ମାଲକାନଗିରି, ଦେବଗଡ଼ ୬-୦ରେ କେନ୍ଦ୍ରାପଡ଼ା, ସୁବର୍ଣ୍ଣପୁର ୫-୦ରେ ବାଲେଶ୍ୱର, ଖୋର୍ଦ୍ଧା ୨-୦ରେ ମୟୂରଭଞ୍ଜ, ଢେଙ୍କାନାଳ ୫-୦ରେ କୋରାପୁଟ ଏବଂ ଯାଜପୁର ସଡନ୍‌ ଡେଥ୍‌ ୨-୧ ଗୋଲରେ ରାୟଗଡ଼ାକୁ ପରାସ୍ତ କରିଥିଲା। ଦ୍ୱିତୀୟ ଦିବସରେ ସମ୍ବଲପୁର ୪-୦ରେ ପୁରୀ, ନବରଙ୍ଗପୁର ୭-୧ରେ କଟକ, ବଲାଙ୍ଗୀର ସଡନ୍‌ ଡେଥ୍‌ ୨-୧ରେ ବରଗଡ଼, ଝାରସୁଗୁଡ଼ା ୫-୦ରେ ଭଦ୍ରକ, ଅନୁଗୋଳ ୬-୦ରେ ନୂଆପଡ଼ା, ନୟାଗଡ଼ ୫-୧ରେ କେନ୍ଦୁଝର ଏବଂ ଜଗତ୍‌ସିଂହପୁର ୧-୦ ଗୋଲରେ କଳାହାଣ୍ଡିକୁ ହରାଇଥିଲା। ”ରାଜ୍ୟର କୌଣସି ଏକ ହକି ଟୁର୍ନାମେଣ୍ଟରେ ୨୮ଟି ଜିଲାଦଳ ଭାଗନେବା କଳ୍ପନାର ବାହାରେ ଥିଲା। ହକି ଏବେ କେବଳ ସୁନ୍ଦରଗଡ଼ରେ ନୁହେଁ ସାରା ଓଡ଼ିଶାରେ ଲୋକପ୍ରିୟତା ଅର୍ଜନ କରିଥିବା ଏଥିରୁ ସ୍ପଷ୍ଟ ହେଉଛି“ ବୋଲି ହକି ଆସୋସିଏଶନ ଅଫ୍‌ ଓଡ଼ିଶା ସଭାପତି ତଥା ହକି ପ୍ରମୋଶନ କାଉନ୍‌ସିଲ ଅଧ୍ୟକ୍ଷ ଦିଲୀପ ତିର୍କୀ ପ୍ରକାଶ କରିଛନ୍ତି। ଏହି ପ୍ରତିଯୋଗିତାରୁ ମନୋନୀତ ପ୍ରତିଭାମାନେ ୨୦୨୩ରେ ହେବାକୁଥିବା ଜାତୀୟ ଚାମ୍ପିୟନଶିପ୍‌ ପାଇଁ ଓଡ଼ିଶା ପକ୍ଷରୁ ପ୍ରତିନିଧିତ୍ୱ କରିବେ। ବୁଧବାର ଟୁର୍ନାମେଣ୍ଟର କ୍ୱାର୍ଟର ଫାଇନାଲ କିଟ୍‌ ବିଶ୍ୱବିଦ୍ୟାଳୟ ଷ୍ଟାଡିୟମରେ ଅନୁଷ୍ଠିତ ହେବ।

Share