କୁଆଁରମୁଣ୍ଡା,୨୧ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରନାଳ ହେଉଛି କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ପ୍ରବାହିତ ଏକ ପ୍ରାକୃତିକ ଜଳ ଉତ୍ସ। ଏହି ଜଳ ଉତ୍ସ କୁମଝରିଆ ପଞ୍ଚାୟତର ପଟୁଆ ବାହାଲ-ତାଲସେରା ନିକଟରୁ ବାହାରି କୁମଝରିଆ, ଖୁଖୁଣ୍ଡୁବହାଲ, ପଦମପୁର ଆଦି ପଞ୍ଚାୟତ ଦେଇ ୧୫ କିଲୋମିଟର ପ୍ରବାହିତ ହେଲା ପରେ ଶେଷରେ ପଦମପୁର ନିକଟସ୍ଥ ଶଙ୍ଖ ନଦୀରେ ମିଶିଛି।
ଏହି ପ୍ରାକୃତିକ ଜଳ ଉତ୍ସ ଅନ୍ୟୁନ ୩ ଟି ପଞ୍ଚାୟତ ବାସୀଙ୍କ ଜୀବନରେଖା ଭାବେ ଜଣାଶୁଣା। ହେଲେ ସୁନ୍ଦରନାଳ ଅବସ୍ଥା ଏବେ ବିପଦପୂର୍ଣ୍ଣ ଅବସ୍ଥାରେ ଅଛି। ଏହି ଜଳ ଉତ୍ସର ଉତ୍ପତ୍ତି ସ୍ଥଳରେ ଅବିଚାରିତ ଭାବରେ ଉଡ଼ନ୍ତା ପାଉଁଶ ଓ କଳା ପାଉଁଶ ଗଦା କରାଯାଉଥିବାରୁ ଏହା ଅସ୍ତିତ୍ୱ ହରାଇବାକୁ ବସିଲାଣି।
ଏହି ନାଳରେ କାରଖାନାର ବିଷାକ୍ତ ପାଉଁଶ ଗଦା ବର୍ଷା ଜଳରେ ପ୍ରବାହିତ ହୋଇ ମିଶୁଥିବାରୁ ଏହାର ଜଳ ପ୍ରଦୂଷିତ ହେଉଛି। ଏହାକୁ ବ୍ୟବହାର କରୁଥିବା ଗ୍ରାମବାସୀମାନଙ୍କ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିବା ସହ ଜଳଚର ଜୀବମାନେ ମଧ୍ୟ ବିପଦରେ ପଡ଼ିବାର ଯଥେଷ୍ଟ ସମ୍ଭାବନା ରହିଛି। ଏପରିସ୍ଥଳେ ବେଆଇନ ଭାବେ ଉଡ଼ନ୍ତା ପାଉଁଶ ଗଦା କରୁଥିବା ଅସାଧୁ ବ୍ୟକ୍ତିମାନଙ୍କ ବିରୋଧରେ ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନର ଜରୁରୀ ଆବଶ୍ୟକତା ରହିଛି । ହେଲେ ପ୍ରଶାସନ ସବୁ ଜାଣି ଚୁପ ରହିବା କାରଣରୁ ସୁନ୍ଦରନାଳ ଯେ ଅଚିରେ ଅସ୍ଥିତ୍ୱ ହରାଇବ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ। ତେଣୁ ଜିଲା ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଅସ୍ଥିତ୍ୱ ହରାଇବାକୁ ଯାଉଥିବା ସୁନ୍ଦରନାଳ ଯେ ସୁରକ୍ଷିତ ରହି ପାରିବ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ।