ଲୁଟେରାଙ୍କ କବ୍‌ଜାରେ ସୁନାମୁହିଁ ପର୍ଯ୍ୟଟନସ୍ଥଳୀ

ଖଣ୍ଡପଡ଼ା,୧୨।୧୦(ସ୍ବ.ପ୍ର.): ଖଣ୍ଡପଡ଼ା ସହର ଉପକଣ୍ଠରେ ଅବସ୍ଥିତ ସୁନାମୁହିଁ ପରିବେଶ ପର୍ଯ୍ୟଟନସ୍ଥଳୀ ଏବେ ଲୁଟେରାଙ୍କ କବ୍‌ଜାରେ ଥିବା ଦେଖିବାକୁ ମିଳିଛି। ୨ ବର୍ଷ ତଳେ ଉକ୍ତ ସ୍ଥାନରେ ଅନେକ ଉନ୍ନୟନମୂଳକ କାର୍ଯ୍ୟ କରାଯାଇଥିଲା। ଶାରୀରିକ ବ୍ୟାୟାମ ନିମନ୍ତେ ଅନେକ ଉପକରଣ ସ୍ଥାପନ କରାଯାଇଥିଲା। ମାତ୍ର ସେହିସବୁ ଉପକରଣଗୁଡିକ ଏବେ ଆଉ ସେଠାରେ ଦେଖିବାକୁ ମିଳୁନାହିଁ। ଉକ୍ତ ପର୍ଯ୍ୟଟନସ୍ଥଳୀ ପରିସରରୁ ବହୁ ମୂଲ୍ୟବାନ ସାମଗ୍ରୀ ଦୁର୍ବୃତ୍ତ ଲୁଟି ନେଇଥିବା ଅଭିଯୋଗ ହେଉଛି। ରକ୍ଷଣାବେକ୍ଷଣ ଅଭାବ ସାଙ୍ଗକୁ ସୁରକ୍ଷା ଢିଲା ଯୋଗୁ ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି।
କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଧୀନରେ ଥିବା ଏହି ପର୍ଯ୍ୟଟନସ୍ଥଳୀର ସୁରକ୍ଷା ଦିଗରେ ବିଭାଗୀୟ କର୍ତ୍ତୃପକ୍ଷ ଯେତିକି ଧ୍ୟାନ ଦେବା କଥା ତାହା ଦେଉନାହାନ୍ତି। ଯେଉଁଥି ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଆଲୋଚନା ହେଉଛି। ତେଣୁ ଏଥିପ୍ରତି ଦାୟୀ କିଏ ପ୍ରଶାସନ ନା ବିଭାଗୀୟ କର୍ତ୍ତୃପକ୍ଷ ବୋଲି ସହରବାସୀଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଖଣ୍ଡପଡ଼ାର ତତ୍କାଳୀନ ବିଧାୟକ ଅନୁଭବ ପଟ୍ଟନାୟକଙ୍କ ସମୟରେ ଉକ୍ତ ପର୍ଯ୍ୟଟନସ୍ଥଳୀର ବିକାଶ ନିମନ୍ତେ ବିଭିନ୍ନ ପର୍ଯ୍ୟାୟରେ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ହୋଇଥିବା ବିଭାଗୀୟ ସୂତ୍ରରୁ ଜଣାପଡିଛି। ତେବେ ଏତେ ଟଙ୍କା ବ୍ୟୟ ସତ୍ତ୍ୱେ ଏହାର ସୁରକ୍ଷା ନିମନ୍ତେ ପ୍ରଶାସନ ପକ୍ଷରୁ କର୍ମଚାରୀ ନିଯୁକ୍ତି ନ ହେବା ଏକ ବିଡମ୍ବନା ବୋଲି ଚର୍ଚ୍ଚା ହେଉଛି। ଏ ସମ୍ପର୍କରେ କୌଣସି ଅଧିକାରୀଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ। ତେବେ ଜିଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ଦାବି ହୋଇଛି।