ସୁନାମୁଦି ବନ୍ଧକ ରଖି ମାଟ୍ରିକ ପଢ଼ାଇଥିଲେ ମା’

ମା’ ସୁନାମୁଦି ବନ୍ଧକ ରଖି ଯେଉଁ ଟଙ୍କା ଆଣିଥିଲେ, ସେଥିରେ ମାଟ୍ରିକ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଥିଲେ ଝିଅ ସ୍ବର୍ଣ୍ଣପ୍ରଭା। ସୁନାର ଧାତୁଟି ସିନା ଅନ୍ୟ ପାଖକୁ ଚାଲିଗଲା, କିନ୍ତୁ ଅସଲ ସୁନା ହୋଇ ଚମକିଲେ ସ୍ବର୍ଣ୍ଣପ୍ରଭା। ଏଇ ନିକଟରେ ପ୍ରକାଶ ପାଇଥିବା ମାଟ୍ରିକ ପରୀକ୍ଷା ଫଳରେ ୯୦ ପ୍ରତିଶତ ମାର୍କ ରଖି ସେ ସ୍କୁଲ ଟପ୍ପର ହୋଇଛନ୍ତି। ଏବେ ଯୁକ୍ତ ଦୁଇ ବିଜ୍ଞାନ ପଢ଼ିବାକୁ ଇଚ୍ଛା। ସେଥିପାଇଁ ଘରଲୋକଙ୍କୁ ପୁଣି ଅର୍ଥ ଚିନ୍ତା ଘାରିଛି।

କଟକ ଅଫିସ,୪। ୮: କାଜିବଜାର ବାଳିକା ଉଚ୍ଚବିଦ୍ୟାଳୟର ଛାତ୍ରୀ ସ୍ବର୍ଣ୍ଣପ୍ରଭା ସେଠୀ। କାଳିଗଳିର ଦୁଇ ବଖରା ଘରେ ତାଙ୍କର ପରିବାର ରୁହନ୍ତି। ବାପା ଛବିନ୍ଦ୍ର ସେଠୀ ପ୍ରେସ୍‌ରେ କାମ କରୁଥିଲେ। ପ୍ରେସଗୁଡ଼ିକର କାର୍ଯ୍ୟ ଡିଜିଟାଲାଇଜ ହେବା ପରେ ତାଙ୍କର ଚାକିରି ଚାଲିଯାଇଥିଲା। ୬ ବର୍ଷ ହେବ ସେ ଶିଶୁଭବନ ପରିସରରେ ଥିବା ଆହାର କେନ୍ଦ୍ରରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଛନ୍ତି।
ବଡ଼ଝିଅ ସୁଭଦ୍ରା ମାଟ୍ରିକରେ ୮୨ ପ୍ରତିଶତ ମାର୍କ ରଖିବା ପରେ ଏବେ ସେ ଶୈଳବାଳା ସ୍ବୟଂଶାସିତ ମହିଳା ମହାବିଦ୍ୟାଳୟରେ ଯୁକ୍ତଦୁଇ ଦ୍ୱିତୀୟ ବର୍ଷ ପରୀକ୍ଷା ଦେଇଛନ୍ତି। ଗତ ଶିକ୍ଷାବର୍ଷରେ ବଡ଼ଝିଅ ସୁଭଦ୍ରାଙ୍କ ଯୁକ୍ତଦୁଇ ପରୀକ୍ଷା ଓ ସାନଝିଅ ସ୍ବର୍ଣ୍ଣପ୍ରଭାଙ୍କ ମାଟ୍ରିକ ପରୀକ୍ଷା ରହିଥିଲା। ତେଣୁ ଉଭୟଙ୍କର ଟ୍ୟୁସନ ଓ ପାଠପଢ଼ା ଖର୍ଚ୍ଚ ଉଠାଇବା ଚିନ୍ତା ଘାରିଥିଲା। ପାଖରେ ଟଙ୍କା ନ ଥିବାରୁ ସ୍ତ୍ରୀ ଶକୁନ୍ତଳାଙ୍କ ସୁନାମୁଦି ବନ୍ଧା ପକାଇବାକୁ ହୋଇଥିଲା। ସେହିଥିରେ ସେମାନଙ୍କର ପଢ଼ାଖର୍ଚ୍ଚ ତୁଲାଇଥିଲେ ମା’-ବାପା। ଏତେ ସବୁ ଅଭାବ ଭିତରେ ବି ଝିଅ ସ୍ବର୍ଣ୍ଣପ୍ରଭା ଭଲ ପାଠ ପଢ଼ି ସୁନା ପରି ଚମକିଲେ। ୯୦ ପ୍ରତିଶତ ମାର୍କ ରଖି ସେ ସ୍କୁଲ ଟପ୍ପର ହେଲେ। ମା’ ପାଠପଢ଼ାରେ ଉତ୍ସାହିତ କରୁଥିଲେ। ଦିନକୁ ୧୦ରୁ ୧୨ ଘଣ୍ଟା ପଢୁଥିବାରୁ ଏହି ସଫଳତା ମିଳିଥିବା ସ୍ବର୍ଣ୍ଣ କହିଛନ୍ତି। ଏବେ ଯୁକ୍ତ ଦୁଇ ବିଜ୍ଞାନ ପଢ଼ିବା ପାଇଁ ତାଙ୍କର ଇଚ୍ଛା। ଏହି ପାଠ୍ୟକ୍ରମରେ ଖର୍ଚ୍ଚ ମଧ୍ୟ ଅଧିକ। କରୋନା ସ୍ଥିତିରେ ଏବେ ଅନ୍‌ଲାଇନ୍‌ ପାଠପଢ଼ା ଚାଲିଛି। ଏତେସବୁ ଖର୍ଚ୍ଚ ଓ ଏତେ ସୁବିଧା ପାଇବା ତାଙ୍କ ପକ୍ଷେ ସହଜ କଥା ନୁହେଁ। ମା’ ଶକୁନ୍ତଳା କହିଛନ୍ତି, ସେ ଅର୍ଥ ଅଭାବରୁ ୯ମ ଶ୍ରେଣୀରୁ ପାଠ ଛାଡ଼ିଥିଲେ। କିନ୍ତୁ ତାଙ୍କ ଝିଅମାନେ ମଧ୍ୟ ସେୟା ହୁଅନ୍ତୁ, ସେ ଚାହୁଁ ନ ଥିଲେ। ସମସ୍ତ ଅଭାବ ସତ୍ତ୍ୱେ ଏତେବାଟ ଦୁଇଝିଅଙ୍କୁ ପଢ଼ାଇ ଆଣିଲେ। ଆଗକୁ ଉଚ୍ଚଶିକ୍ଷା ପାଇଁ ଯେ କୌଣସି ସ୍ତରରୁ ସହାୟତା ମିଳିଲେ ସ୍ବର୍ଣ୍ଣପ୍ରଭାଙ୍କ ସ୍ବପ୍ନ ନିଶ୍ଚୟ ପୂରଣ ହେବ ବୋଲି ସେମାନେ ଆଶା ରଖିଛନ୍ତି।