ସୂର୍ଯ୍ୟ ତିଳକ ଓ ପୁରାତନ ମନ୍ଦିର

ପ୍ର.ରମେଶ ଚନ୍ଦ୍ର ପରିଡ଼ା

 

ବିଗତ ରାମନବମୀ ଦିନ(୧୭ ଏପ୍ରିଲ ୨୦୨୪) ଅଯୋଧ୍ୟାଠାରେ ନବନିର୍ମିତ ରାମମନ୍ଦିରରେ ସ୍ଥାପିତ ରାମଲାଲାଙ୍କ ବିଗ୍ରହର କପାଳରେ ଖଚିତ ତିଳକ ଉପରେ ଉଦିତ ସୂର୍ଯ୍ୟର ପ୍ରଥମ କିରଣକୁ ପତିତ ହେବାକୁ ଦିଆଯାଇଥିଲା। ଏଥିପାଇଁ ‘ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଆଷ୍ଟ୍ରୋଫିଜିକସ୍‌’ର ବୈଜ୍ଞାନିକମାନେ ବିଭିନ୍ନ ଆକୃତିର ୪ଟି ଦର୍ପଣ ଏବଂ ୨ଟି ଯବକାଚକୁ ଏପରି ଅବସ୍ଥାପିତ କରିଥିଲେ ଯେ ତହିଁରେ ଆଲୋକର ପ୍ରତିଫଳନ ଏବଂ ପ୍ରତିସରଣ ଘଟି ତାହା ସେଠାରେ ୬ ମିନିଟ୍‌ ଧରି ଏ ପ୍ରକ୍ରିୟା ସାଧନ କରିଥିଲା। ପ୍ରତିବର୍ଷ ଏହି ଉପଲକ୍ଷେ ଏହାର ପୁନରାବୃତ୍ତି କରାଯିବ ବୋଲି କୁହାଯାଉଛି। ଅବଶ୍ୟ କେତେକ ଏହାକୁ ସ୍କୁଲପିଲାଙ୍କ ବିଜ୍ଞାନ ପ୍ରୋଜେକ୍ଟ ସହିତ ତୁଳନା କରି ସରଳ ଓ ଗୁରୁତ୍ୱହୀନ ବୋଲି ଅବିହିତ କରିଛନ୍ତି। ତେବେ ସାମଗ୍ରିକ ଭାବେ ଜନସାଧାରଣ ଏହାକୁ ଗ୍ରହଣ କରିଛନ୍ତି ଏକ ଐତିହାସିକ ଘଟଣାରୂପେ। ସେମାନଙ୍କ ମାନସରେ ଏହା ପୁନର୍ଜୀବିତ କରିଛି ପୁରାତନ ହିନ୍ଦୁ ମନ୍ଦିର ନିର୍ମାଣରେ କିପରି ଧର୍ମ ଓ ବିଜ୍ଞାନ ପରସ୍ପର ସହିତ ଜଡ଼ିତ ହୋଇଥିଲେ।
ବୈଜ୍ଞାନିକମାନେ ସ୍ବୀକାର କରନ୍ତି ଯେ, ସେ ସବୁ ଥିଲା ‘ସମଗ୍ର ବିଶ୍ୱବ୍ରହ୍ମାଣ୍ଡର ଦର୍ପଣ’ ଏବଂ ତାହାର ନିର୍ମାଣରେ ବ୍ୟବହୃତ ହୋଇଥିଲା। ଏପରି କି ଏବେ ମଧ୍ୟ ଉଚ୍ଚକୋଟୀର ଏବଂ ବିକଶିତ ବୋଲି ମନେ କରାଯାଉଥିବା କାରିଗରି କୌଶଳ, ଜ୍ୟୋତିର୍ବିଜ୍ଞାନ ଏବଂ ଅନ୍ୟାନ୍ୟ ପ୍ରଯୁକ୍ତିବିଦ୍ୟା। ‘ସ୍ଥାପତ୍ୟ ବେଦ’ (ଭାରତୀୟ ପାରମ୍ପରିକ ସ୍ଥାପତ୍ୟବିଦ୍ୟା)ରେ ମଧ୍ୟ ଏହା ସୂଚିତ କରାଯାଇଛି। ଅତଏବ ଆମ ଦେଶର ଛୋଟବଡ଼ ଅନେକ ମନ୍ଦିରରେ ଏଭଳି ଘଟଣା ନିୟମିତ ଘଟୁଛି ସ୍ବତଃସ୍ଫୂର୍ତ୍ତଭାବେ। ସେଗୁଡ଼ିକର କୌଣସି ନିର୍ଦ୍ଦିଷ୍ଟ ସ୍ଥାନରେ ନିୟମିତ ପତିତ ହେଉଛି ଉଦିତ ସୂର୍ଯ୍ୟର କିରଣ।
ଏହା ମଧ୍ୟରୁ ଆମ ରାଜ୍ୟର ସୁପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରକୁ ପ୍ରଥମ ବୋଲି ଧରାଯାଏ। କଥିତ ଅଛି ଯେ, ୧୩ଶ ଶତାବ୍ଦୀରେ ନିର୍ମିତ ଏହି ଐତିହାସିକ ସ୍ମାରକୀଟିର ପ୍ରତ୍ୟେକ ଏକାନ୍ତରିକ ଶିଳାଖଣ୍ଡ ମଧ୍ୟରେ ଖଞ୍ଜା ଯାଇଥିଲା ଖଣ୍ଡିଏ ଲେଖାଏ ଲୌହ ଫଳକ ଏବଂ ଚୂଡ଼ାଦେଶରେ ଏକ ବିଶାଳ ଚୁମ୍ବକ। ତାହାର ନିମ୍ନଭାଗ ତଥା ଚତୁଃପାର୍ଶ୍ୱରେ ମଧ୍ୟ ଚୁମ୍ବକମାନ ଖଞ୍ଜା ଯାଇଥିଲା। ଏଗୁଡ଼ିକ ଆସ୍ଥାନ ଉପରେ ସୂର୍ଯ୍ୟଦେବତାଙ୍କ ବିଗ୍ରହକୁ ବାୟୁରେ ଭାସମାନ ଅବସ୍ଥାରେ ଏପରି ଅବସ୍ଥିତିରେ ରଖୁଥିଲା ଯେ ତାଙ୍କ ମୁକୁଟରେ ଖଚିତ ହୀରାଖଣ୍ଡରେ ପତିତ ହେଉଥିଲା ଉଦିତ ସୂର୍ଯ୍ୟର ପ୍ରଥମ ରଶ୍ମି। କଥିତ ଅଛି ଯେ ମନ୍ଦିର ଚୂଡ଼ାରେ ସ୍ଥାପିତ ଶକ୍ତିଶାଳୀ ଚୁମ୍ବକ ବଙ୍ଗୋପସାଗର ଦେଇ ଯାତାୟାତ କରୁଥିବା ଜାହାଜମାନଙ୍କର କମ୍ପାସ ବା ଦିଗବାରେଣୀ ଯନ୍ତ୍ରକୁ ପ୍ରଭାବିତ କରୁଥିଲା। ସେଥିପାଇଁ ପର୍ତ୍ତୃଗୀଜ ବଣିକମାନେ ତାହାକୁ ଭାଙ୍ଗି ନେଇ ଯାଇଥିଲେ। ଫଳରେ ମନ୍ଦିରଟି ଭୁଶୁଡ଼ି ପଡ଼ିଲା।
କୋଣାର୍କ ମନ୍ଦିର ଏକ ରଥ ଆକୃତିରେ ନିର୍ମିତ ହୋଇଥିଲା। ଏଥିରେ ଲାଗିଥିଲେ ପ୍ରସ୍ତର ଖୋଦିତ ଅଶ୍ୱ ଏବଂ ୧୨ ହଳ ଚକ। ମନେହେଉଥିଲା ସତେଯେପରି ତାହା ଆଗକୁ ଗତି କରୁଛି। ଏହି ଚକଗୁଡ଼ିକ ସମ୍ପର୍କରେ କିମ୍ବଦନ୍ତୀମାନ ରହିଛି। ତନ୍ମଧ୍ୟରୁ ଗୋଟିକ ଅନୁସାରେ ୧୨ ହଳ ଚକ ବର୍ଷକର ୧୨ ମାସର ପ୍ରତିନିଧିତ୍ୱ କଲାବେଳେ ପ୍ରତ୍ୟେକ ୨୪ଟି ଚକ ଦିନକର ୨୪ ଘଣ୍ଟାକୁ ସୂଚିତ କରୁଥିଲେ। ସେହିପରି ପ୍ରତି ଚକରେ ଥିବା ୮ଟି କରି ବଡ଼ ବଡ଼ ଅଖ ଥିଲେ ଗୋଟିଏ ଗୋଟିଏ ‘ପ୍ରହର’। ଆମ ପାରମ୍ପରିକ ଗଣନାନୁସାରେ ତହିଁରୁ ଗୋଟିଏ ହେଲା ୩ ଘଣ୍ଟା। ଏହାବ୍ୟତୀତ ଏହାର ମୁଖଶାଳାରେ ଥିଲା ହାତୀ ଏବଂ ସିଂହମାନଙ୍କ ମୂର୍ତ୍ତି। ଏ ସମସ୍ତ ଜୀବମାନଙ୍କ ଶରୀରର ଅଙ୍ଗପ୍ରତ୍ୟଙ୍ଗଗୁଡ଼ିକର ଅନୁପାତ ଥିଲା ସେହି ପ୍ରକୃତ ସଜୀବ ପ୍ରାଣୀମାନଙ୍କ ସହିତ ସମାନ।
ଆମ ଦେଶରେ ଏପ୍ରକାର ଅନ୍ୟ ମନ୍ଦିରଗୁଡ଼ିକ ମଧ୍ୟରୁ ଅନ୍ୟତମଟି ରହିଛି ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍‌ ନିକଟସ୍ଥ ଆରାବଳୀଠାରେ। ଏହି ସୂର୍ଯ୍ୟମନ୍ଦିରରେ ଗ୍ରୀଷ୍ମ ବା ଉତ୍ତର ଅୟନାନ୍ତ ଦିବସ (୨୧ ଜୁନ୍‌) ଏବଂ ଶୀତ ବା ଦକ୍ଷିଣ ଅୟନାନ୍ତ ଦିବସ (୨୨ ଡିସେମ୍ବର)ରେ ଉଦିତ ସୂର୍ଯ୍ୟରଶ୍ମି ବିଗ୍ରହର ପାଦଦେଶରେ ପତିତ ହୁଏ (ଏହି ଦୁଇ ଦିନରେ ସୂର୍ଯ୍ୟ ବିଷୁବ ରେଖାର ଉତ୍ତର ଏବଂ ଦକ୍ଷିଣରେ ଦୂରତମ ବିନ୍ଦୁରେ ଅବସ୍ଥାନ କରେ)। ପଦ୍ମପୁରାଣ ଅନୁସାରେ କଶ୍ୟପ ମୁନୀ ଆରାବଳୀଠାରେ ସୂର୍ଯ୍ୟଙ୍କର ପ୍ରତିମାଟିଏ ପ୍ରତିଷ୍ଠା କରିଥିଲେ। ତେବେ ତତ୍ପରେ ୭ମ ଶତାବ୍ଦୀରେ ପୂର୍ବ ଦିଗର କଳିଙ୍ଗ ରାଜାମାନେ ଏଠାରେ ମନ୍ଦିରଟି ନିର୍ମାଣ କଲେ। ସେହିପରି ଗୁଜରାଟର ମେହସାନା ଜିଲାର ମୋଧେରାଠାରେ ମଧ୍ୟ ସୂର୍ଯ୍ୟ ମନ୍ଦିରଟିଏ ଥିଲା। ସୋଲାଙ୍କି ବଂଶର ରାଜା ଭୀମଦେବ-୧ ଏହାକୁ ୧୧ଶ ଶତାବ୍ଦୀରେ ନିର୍ମାଣ କରିଥିଲେ। ଏଥିରେ ନିୟୋଜିତ ହୋଇଥିଲା ନିର୍ଭୁଲ ଜ୍ୟୋତିର୍ବିଜ୍ଞାନ। ଏଣୁ ସମଦିବାରାତ୍ରି ବା କ୍ରାନ୍ତିପାତ କାଳରେ ପ୍ରଥମ ସୌରରଶ୍ମି ଏହାକୁ ଆଲୋକିତ କରୁଥିଲା ଏବଂ ଏଥିରେ ସ୍ଥାପିତ ସୂର୍ଯ୍ୟଦେବତାଙ୍କ ବିଗ୍ରହ ଉପରେ ପତିତ ହେଉଥିଲା (ସମଦିବାରାତ୍ରି ବର୍ଷକୁ ଦୁଇଥର ହୋଇଥାଏ- ଶାରଦୀୟ କ୍ରାନ୍ତିପାତ, ସେପ୍ଟେମ୍ବର ୨୨ ପାଖାପାଖି ଏବଂ ବାସନ୍ତୀ କ୍ରାନ୍ତିପାତ, ମାର୍ଚ୍ଚ ୨୨ ପାଖାପାଖି)। ଏ ମନ୍ଦିରଟିକୁ ଧ୍ୱଂସ କରିଦେଇଥିଲା ଆଲ୍ଲାଉଦ୍ଦିନ ଖିଲିଜି।
ଆନ୍ଧ୍ରପ୍ରଦେଶର ତିରୁପତି ନିକଟସ୍ଥ ବଡ଼ନାରାୟଣ ସ୍ବାମୀ ମନ୍ଦିରରେ ପୂଜା ପାଆନ୍ତି ମତ୍ସ୍ୟ ଅବତାର ଧାରଣ କରିଥିବା ଦେବତା ବିଷ୍ଣୁ। ଫାଲ୍‌ଗୁନ ମାସର ଦ୍ୱାଦଶ, ତ୍ରୟୋଦଶ ଓ ଚତୁର୍ଦ୍ଦଶ ଦିବସରେ ଏହି ପିତୁଳାଙ୍କ ଭିନ୍ନ ଭିନ୍ନ ଅଙ୍ଗରେ ପତିତ ହୋଇଥାଏ ଉଦିତ ସୂର୍ଯ୍ୟକିରଣ। ପ୍ରଥମ ଦିନରେ ଏହା ତାଙ୍କ ପାଦରେ ପଡିଲା ବେଳେ ଦ୍ୱିତୀୟ ଦିନରେ ବକ୍ଷ ଉପରେ ଏବଂ ତୃତୀୟ ଦିନ କପାଳରେ ପଡେ। ପ୍ରତିବର୍ଷ ଏପରି ଘଟେ।
ପବିତ୍ର ଗୁମ୍ଫାମାନ ନିର୍ମାଣ ପାଇଁ ମଧ୍ୟ ଜ୍ୟୋତିର୍ବିଜ୍ଞାନର ଏତାଦୃଶ ବ୍ୟବହାର କରାଯାଉଥିଲା। ଅତଏବ ତନ୍ମଧ୍ୟରେ ସୂର୍ଯ୍ୟ କିରଣ କ୍ରୀଡା କରୁଥିଲା ନାନାଦି ଚିତ୍ତାକର୍ଷକ ରୂପେ। ଉଦାହରଣ ସ୍ବରୂପ ଗୁପ୍ତ ବଂଶର ଶାସନକାଳରେ, ତୃତୀୟରୁ ପଞ୍ଚମ ଶତାବ୍ଦୀ ମଧ୍ୟରେ ମଧ୍ୟପ୍ରଦେଶର ବିଦିଶ ଜିଲାରେ ନିର୍ମିତ ଉଦୟଗିରି ଗୁମ୍ଫାର ବୈଜ୍ଞାନିକ ଅଧ୍ୟୟନରୁ ଏକଥା ଜଣାପଡିଛି। ଐତିହାସିକ ତଥା ସ୍ଥପତି ଡକ୍ଟର ମୀରା ଈଶ୍ୱର ଦାସ ଏବଂ କାନପୁରସ୍ଥିତ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିର ବୈଜ୍ଞାନିକ ସ୍ବର୍ଗତ ଆର୍‌. ବାଲ୍‌ ସୁବ୍ରମନିୟମ୍‌ ଏହା ଉପରେ ଗଭୀର ଅନୁଧ୍ୟାନ କରିଛନ୍ତି।
ପରସ୍ପର ସହିତ ସଂଯୁକ୍ତ ଦୁଇଟି ପାହାଡ଼ର ସଙ୍ଗମସ୍ଥଳରେ ପ୍ରାୟତଃ ୨୩.୫ ଡିଗ୍ରୀ ଅକ୍ଷାଂଶସ୍ଥିତ କର୍କଟକ୍ରାନ୍ତି ଉପରେ ନିର୍ମିତ ଏବର ଗୁମ୍ଫାର ମନ୍ଦିରରେ ରହିଛି ଅନନ୍ତ ଶଯ୍ୟାରେ ଶୟନ କରିଥିବା ବିଷ୍ଣୁଙ୍କ ପ୍ରତିମା। ଏହା ପୂର୍ବ- ପଶ୍ଚିମ ହୋଇ ସ୍ଥାପିତ ହୋଇଥିଲା। ଗ୍ରୀଷ୍ମ ଅୟନାନ୍ତ ଦିବସର ଠିକ୍‌ ପୂର୍ବ ଏବଂ ପରେ ତାଙ୍କ ଉପରେ ପତିତ ହୁଏ ଉଦିତ ସୂର୍ଯ୍ୟଙ୍କ କିରଣ। ପୁନଶ୍ଚ ଏହାର ଦ୍ୱାର ଦେଶରେ ଥିଲା ଏକ ବିଶାଳ ଧାତବସ୍ତମ୍ଭ, ଯାହାର ଛାୟା ଲମ୍ବିଯାଉଥିଲା ବିଗ୍ରହଙ୍କ ପର୍ଯ୍ୟନ୍ତ। ଏବେ ଏହା ଦିଲ୍ଲୀସ୍ଥିତ କୁତବମିନାରଠାରେ ସ୍ଥାପନ କରାଯାଇଛି। ଏଥିରେ କଦାପି କଳଙ୍କି ଲାଗେ ନାହିଁ।
ଅତୀତରେ ହିନ୍ଦୁ ସଂସ୍କୃତି ବିସ୍ତାର ଲାଭ କରିଥିବା ଅନ୍ୟ କେତେକ ଦେଶରେ ମଧ୍ୟ ଏ ପ୍ରକାର ମନ୍ଦିରମାନ ରହିଛି। ଉଦାହରଣସ୍ବରୂପ କାମ୍ବୋଡିଆସ୍ଥିତ ପୃଥିବୀର ସର୍ବବୃହତ୍‌ ହିନ୍ଦୁ ମନ୍ଦିର କଥା ବିଚାରକୁ ନିଆଯାଇପାରୋ ‘ଆଙ୍ଗକୋର୍‌-ଭଟ୍ଟ’ ନାମରେ ବିଦିତ ଏବର ମନ୍ଦିରଟି ଏକ ମାନ ମନ୍ଦିର ରୂପେ ମଧ୍ୟ କାର୍ଯ୍ୟ କରୁଥିଲା। ତହିଁରେ କ୍ରାନ୍ତିପାତ (ସମଦିବାରାତ୍ରି) ଏବଂ ଅୟନାନ୍ତ ଦିବସମାନଙ୍କରେ ଦକ୍ଷିଣ ଦ୍ୱାର ଦେଇ ଉଦିତ ସୂର୍ଯ୍ୟ ରଶ୍ମିକୁ ପ୍ରବେଶ କରିବାକୁ ଦିଆଯାଉଥିଲା। ପୁନଶ୍ଚ ବିଭିନ୍ନ ଋତୁରେ ସୂର୍ଯ୍ୟୋଦୟ ପର୍ଯ୍ୟବେକ୍ଷଣ କରିବାକୁ ଏଥିରେ ଅନେକଗୁଡିଏ ରେଖା ମଧ୍ୟ ଥିଲା। ଏହା ଏବେ ପ୍ରାୟତଃ ଧ୍ୱଂସପ୍ରାପ୍ତ।
ସେହିପରି ପାକିସ୍ତାନର ଅନ୍ତର୍ଭୁକ୍ତ ହୋଇଥିବା ମୁଲତାନଠାରେ ମଧ୍ୟ ଥିଲା ଏକ ଅନୁରୂପ ସୂର୍ଯ୍ୟ ମନ୍ଦିର। ସେତେବେଳେ ଏ ସ୍ଥାନକୁ ମୁଲାସ୍ଥାନ ବୋଲି କୁହାଯାଉଥିଲା। ଜନୈକ ଗ୍ରୀକ୍‌ ପରିବ୍ରାଜକଙ୍କ ସୂଚନା ଅନୁସାରେ ଏଥିରେ ମଧ୍ୟ ସୂର୍ଯ୍ୟବିଗ୍ରହ ଶୂନ୍ୟରେ ଝୁଲି ରହୁଥିଲା। ଏବେ ଏହା ସମ୍ପୂର୍ଣ୍ଣ ରୂପେ ବିଲୁପ୍ତ।
ଏ ସମସ୍ତ କଥା ବିଚାରକୁ ନେଲେ ଆମ ଦେଶର ପ୍ରାଚୀନ ହିନ୍ଦୁ ସ୍ଥପତିମାନଙ୍କର ନିର୍ମାଣ ବିଦ୍ୟା ସଙ୍ଗେ ସଙ୍ଗେ ଜ୍ୟୋତିର୍ବିଜ୍ଞାନ ମଧ୍ୟକୁ କିପରି ଅନୁପ୍ରବେଶ ଥିଲା ତାହା ସହଜରେ ଅନୁମେୟ ହୋଇଥାଏ। ଏବେ ରାମ ନବମୀ ପାଳନ ଅବସରରେ ଅଯୋଧ୍ୟାରେ ରାମଲାଲାଙ୍କ କପାଳରେ ‘ ସୂର୍ଯ୍ୟତିଳକ’ ଭିନ୍ନ ପ୍ରଯୁକ୍ତି ବିଦ୍ୟା ପ୍ରୟୋଗରେ ସୃଷ୍ଟି କରାଯାଇଥିଲେ ହେଁ ତାହା ଜନମାନସରେ ସେହି ଗୌରବମୟ ସ୍ମୃତିକୁ ପୁନଃ ଜାଗ୍ରତ କରିଛି।
-ଉଷାନିବାସ, ୧୨୪/୨୪୪୫,
ଖଣ୍ଡଗିରି ବିହାର, ଭୁବନେଶ୍ୱର,
ମୋ: ୯୯୩୭୩୦୧୪୬୦


Enter your email to get our daily news in your inbox.

All Right Reserved By Dharitri.Com

ସମସ୍ୟା: ଏକ ସୁଯୋଗ

ଯଦିଓ ଆମର ଜ୍ଞାନୀଗୁଣୀଜନ ପ୍ରତ୍ୟେକ ମଣିଷର ବଳକୁ ଶତସିଂହର ବଳ ସହ ତୁଳନା କରିଛନ୍ତି, କିନ୍ତୁ ସ୍ଥଳବିଶେଷରେ ଦେଖୁ ହାରାହାରି ଚିନ୍ତନ କରିପାରୁଥିବା ବା କ୍ଷମତା ରଖୁଥିବା…

ଆର୍ଦ୍ରଭୂମିର ଗୁରୁତ୍ୱ ଓ ସଂରକ୍ଷଣ

ଜଳ ଆମ ଗ୍ରହର ୭୧ ଶତାଂଶ ଅଞ୍ଚଳକୁ ଆଚ୍ଛାଦିତ କରେ ଏବଂ ନଦନଦୀ, ହ୍ରଦ, ପୁଷ୍କରିଣୀଠାରୁ ସମୁଦ୍ର ପରି ବିଭିନ୍ନ ଉତ୍ସରେ ଉପଲବ୍ଧ ହୋଇ ଜଳୀୟ ପରିସଂସ୍ଥାକୁ…

ନେତାଙ୍କୁ ଅନୁସରଣ

ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ି ରାଜ୍ୟ ସଭାକୁ ଯିବା ପରେ ବିହାରର ବରିଷ୍ଠ ବାବୁମାନଙ୍କ ଏକ ଦଳ ଖୁବ୍‌ ଶୀଘ୍ର କେନ୍ଦ୍ରୀୟ ଡେପୁଟେଶନରେ ଯାଇପାରନ୍ତି ବୋଲି…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri