Categories: ଜାତୀୟ

ଖରାଦିନ ତାପମାତ୍ରା ପୁଣି କନ୍ଦାଇବ: ପାଣିପାଗ ବିଭାଗ

ନୂଆଦିଲ୍ଲୀ,୨।୩: ଖରାଦିନ ପୂର୍ବରୁ ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ପକ୍ଷରୁ ମାର୍ଚ୍ଚଠାରୁ ମେ ପର୍ଯ୍ୟନ୍ତ ୩ ମାସ ପାଇଁ ଦେଶର ତାପମାତ୍ରାର ପୂର୍ବାନୁମାନ କରାଯାଇଛି। ଏଥର ଖରାଦିନ ପୁଣି କନ୍ଦାଇବ ବୋଲି ପାଣିପାଗ ବିଭାଗ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଦେଶର ଉତ୍ତର, ଉତ୍ତର-ପୂର୍ବ ଏବଂ ପଶ୍ଚିମ ଭାଗରେ ତାପମାତ୍ରା ସାଧାରଣତଃ ଅଧିକ ରହିବ। ତେବେ ଦକ୍ଷିଣ ଏବଂ ମଧ୍ୟ ଭାରତରେ ତାପମାତ୍ରା କମ୍‌ ରହିବାର ସମ୍ଭାବନା ରହିଛି। ଛତିଶଗଡ, ଓଡିଶା, ଗୁଜୁରାଟ, ଉପକୂଳ ମହାରାଷ୍ଟ୍ର, ଗୋଆ ଏବଂ ଆନ୍ଧ୍ରପ୍ରଦେଶରେ ଏହି ସମୟରେ ତାପମାତ୍ରା ସାଧାରଣ ଖରାଦିନ ଅପେକ୍ଷା ଅଧିକ ରହିବ ବୋଲି ପୂର୍ବାନୁମାନ କରାଯାଇଛି। ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ, ପୂର୍ବ ଉତ୍ତରପ୍ରଦେଶ, ପଶ୍ଚିମ ଉତ୍ତରପ୍ରଦେଶ, ଛତିଶଗଡ, ଝାଡଖଣ୍ଡରୁ ଓଡିଶା ପର୍ଯ୍ୟନ୍ତ ଥିବା ଇଣ୍ଡୋ ଗାଙ୍ଗେଟିକ ଅଞ୍ଚଳରେ ମାର୍ଚ୍ଚରୁ ମେ ମଧ୍ୟରେ ତାପମାତ୍ରା ସ୍ବାଭାବିକଠାରୁ ୦.୫ ଡିଗ୍ରୀ ସେଲସିୟସ ଅଧିକ ରହିବ। ଛତିଶଗଡ ଏବଂ ଓଡିଶାର ତାପମାତ୍ରା ସାଧାରଣଠାରୁ ୭୫ ପ୍ରତିଶତରୁ ଅଧିକ ରହିବାର ପୂର୍ବାନୁମା ନ କରାଯାଇଛି। ଏହି ଦୁଇଟି ରାଜ୍ୟରେ ହାରାହାରି ତାପମାତ୍ରା ଯଥାକ୍ରମେ ୦.୮୬ ଏବଂ ୦.୬୬ ସେଲସିୟସ୍‌ ଅଧିକ ରହିବ। ସେହିପରି ହରିୟାଣା, ଚଣ୍ଡିଗଡ଼ ଏବଂ ଦିଲ୍ଲୀରେ ତାପମାତ୍ରା ସ୍ବାଭାବିକଠାରୁ ପ୍ରାୟ ୬୦ ପ୍ରତିଶତ ଅଧିକରେ ପହଞ୍ଚିବ। ମାତ୍ର ଦକ୍ଷିଣ ଭାରତରେ ତାପମାତ୍ରା ତୁଳନାତ୍ମକ ଭାବେ କମ୍‌ ରହିବ ବୋଲି ସେ କହିଛନ୍ତି। ସେହିପରି ଏହି ସମୟ ମଧ୍ୟରେ ଲା ନିନା ସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି। ଲା ନିନା ପ୍ରଶାନ୍ତ ମହାସାଗର ଉପରେ ପ୍ରଭାବ ପକାଇବ। ସେହିପରି ସୃଷ୍ଟି ହେବାକୁ ଥିବା ଏଲ ନିନା ଯୋଗୁ ଭାରତୀୟ ଉପମହାଦେଶର ଜଳବାୟୁ ଯଥେଷ୍ଟ ପ୍ରଭାବିତ ହେବାର ସମ୍ଭାବନା ଥିବା ସେ କହିଛନ୍ତି। ସୂଚନାଯୋଗ୍ୟ, ଗତ ମାସରେ ଆଇଏମଡି ପକ୍ଷରୁ କୁହାଯାଇଥିଲା ଯେ, ୬୨ ବର୍ଷ ମଧ୍ୟରେ ଜାନୁଆରୀରେ ଜାତୀୟ ସର୍ବନିମ୍ନ ତାପମାତ୍ରା ଅଧିକ ଉତ୍ତପ୍ତ ମାସ ଭାବେ ରେକର୍ଡ କରିଛି।

Share