ରାୟକୁ ନେଇ ସନୁଷ୍ଟ ନୁହଁନ୍ତି ସୁମିତ, ହାଇକୋର୍ଟ ଯିବେ

ବ୍ରହ୍ମପୁର ଅଫିସ,୪।୧: ହାଇକୋର୍ଟ ଯିବେ ଡାକ୍ତର ସୁମିତ ସାହୁ। ତପସ୍ବିନୀ ଦାଶ ଏବଂ ତାଙ୍କ ମଧ୍ୟରେ ଚାଲିଥିବା ବିବାହ ବିବାଦ ମାମଲାରେ ଜିଲା ଜଜ୍‌ କୋର୍ଟ ଦେଇଥିବା ରାୟକୁ ଉପର କୋର୍ଟରେ ଚ୍ୟାଲେଞ୍ଜ କରିବେ ସେ। ଏନେଇ ସୁମିତଙ୍କ ଓକିଲ ସୁରେନ୍ଦ୍ର ବେହେରା ସୂଚନା ଦେଇଛନ୍ତି। ଜିଲା ଜଜ୍‌ ଦେଇଥିବା ରାୟରେ ସେମାନେ ସନ୍ତୁଷ୍ଟ ନ ଥିବାରୁ ହାଇକୋର୍ଟ ଯିବେ ବୋଲି ସେ କହିଛନ୍ତି।

ପ୍ରକାଶ ଯେ, ନିଜକୁ ବୋହୂ ବୋଲି ଦାବି କରି ତପସ୍ବିନୀ ଶ୍ୱଶୁର ଘର ସମ୍ମୁଖରେ ଧାରଣାରେ ବସିଥିଲେ। ୨୦୨୦ ସେପ୍ଟେମ୍ବର ୭ରେ ସେ ସୁମିତଙ୍କୁ କୋର୍ଟରେ ବିବାହ କରିଥିଲେ। ବିବାହ ପରେ ସେହି ଘରେ ସେ ୬ ମାସ ବୋହୂ ଭାବେ ବିତାଇଥିଲେ। ହେଲେ ପରବର୍ତ୍ତୀ ସମୟରେ ଶ୍ୱଶୁର ଘର ଲୋକେ ପୁଣି ବୈଦିକ ରୀତିନୀତିରେ ବିବାହ କରାଇବାର ମିଛ ପ୍ରତିଶ୍ରୁତି ଦେଇ ତାଙ୍କୁ ବାପଘରକୁ ପଠାଇ ଦେଇଥିଲେ। ବିବାହ ପାଇଁ ଦୁଇ ଦୁଇଟି ତାରିଖ ଦେଇ ମଧ୍ୟ କଥା ରଖି ନ ଥିବାରୁ ଅନ୍ୟୋପାୟ ନ ପାଇ ସେ ଧାରଣା ଦେବାକୁ ବାଧ୍ୟ ହୋଇଥିଲେ ବୋଲି କହିଥିଲେ ତପସ୍ବିନୀ। ଏହି ଘଟଣା ପରେ ଏସ୍‌ଡିଜେଏମ୍‌ କୋର୍ଟରେ ପହଞ୍ଚିଥିଲା। ମାମଲାକୁ ବିଚାର କରି ଉଭୟ ୭ ଦିନ ଏକାଠି ରହିବା ଲାଗି କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହେଲେ ଦିନ ପୂରିବା ପରେ ସୁମିତ କେଉଁଆଡେ ଚାଲିଯାଇଥିଲେ। ମଙ୍ଗଳବାର ଏହି ମାମଲାର ଶୁଣାଶି ଛତ୍ରପୁର ଜିଲା କୋର୍ଟରେ ହୋଇଥିଲା। ଏହାର ରାୟ ତପସ୍ବିନୀଙ୍କ ସପକ୍ଷରେ ବାହାରିଥିଲା।