Categories: ଖେଳ

ଡେଭିସ କପ୍‌: ପାକିସ୍ତାନରେ ଖେଳିବାକୁ ମନାକଲେ ନାଗାଲ, ମୁକୁନ୍ଦ

ନୂଆଦିଲ୍ଲୀ, ୨୫ା୧୧: ଭାରତର ଦୁଇ ଟପ୍‌ ସିଙ୍ଗଲ୍ସ ଖେଳାଳି ସୁମିତ ନାଗାଲ ଓ ଶଶି କୁମାର ମୁକୁନ୍ଦ ପରବର୍ତ୍ତୀ ଡେଭିସ କପ୍‌ ମ୍ୟାଚ ଖେଳିବା ଲାଗି ପାକିସ୍ତାନ ଗସ୍ତ କରିବା ଲାଗି ରାଜି ନ ଥିବା ସେମାନେ ନ୍ୟାଶନାଲ ଟେନିସ ଫେଡେରେଶନ (ଆଇଟା)କୁ ଅବଗତ କରାଇଛନ୍ତି। ପରବର୍ତ୍ତୀ କାର୍ଯ୍ୟନିର୍ବାହୀ କମିଟି ବୈଠକରେ ଏହି ଖେଳାଳି ଦ୍ୱୟଙ୍କ ନିଷ୍ପତ୍ତି ଉପରେ ଆଲୋଚନା କରିବା ଲାଗି ଆଇଟା ସ୍ଥିର କରିଛି। ନାଗାଲ ହେଉଛନ୍ତି ଭାରତର ଶ୍ରେଷ୍ଠ ସିଗଲ୍ସ ର଼୍ୟାଙ୍କିଙ୍ଗ ଖେଳାଳି। ଏଟିପି ର଼୍ୟାଙ୍କିଙ୍ଗ ତାଲିକାରେ ସେ ୧୪୧ତମ ସ୍ଥାନରେ ଅଛନ୍ତି। ଦେଶର ଦ୍ୱିତୀୟ ଶ୍ରେଷ୍ଠ ଖେଳାଳି ମୁକୁନ୍ଦ ତାଲିକାର ୪୭୭ତମ ସ୍ଥାନରେ ରହିଛି। ଫେବୃୟାରୀରେ ଖେଳାଯିବାକୁ ଥିବା ଓ୍ବାଲର୍‌ଡ ଗ୍ରୁପ୍‌-୧ ପ୍ଲେ-ଅଫ୍‌ ମ୍ୟାଚରେ ଏହି ଦୁଇ ଖେଳାଳି କାହିଁକି ଉପଲବ୍ଧ ହେବେ ନାହିଁ ତାହାର ନିର୍ଦ୍ଦିଷ୍ଟ କାରଣ ଦର୍ଶାଇ ନାହାନ୍ତି।

ଖବର ଅନୁସାରେ ନାଗାଲ ଗ୍ରାସ୍‌କୋର୍ଟରେ ଖେଳିବା ଲାଗି ଚାହୁ ନାହାନ୍ତି। କାରଣ ତାଙ୍କ ଗେମ୍‌ ଷ୍ଟାଇଲକୁ ଏହା ସୁହାଇବ ନାହିଁ। ମୁକୁନ୍ଦ ବ୍ୟକ୍ତିଗତ କାରଣରୁ ମ୍ୟାଚରୁ ଓହରିଯିବା ଲାଗି ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନର ଦୃଶ୍ୟପଟ୍ଟ ଅନୁସାରେ ଭାରତୀୟ ଚ୍ୟାଲେଞ୍ଜର ନେତୃତ୍ୱ ନେବେ ରାମକୁମାର ରମାନାଥନ। ତାଙ୍କ ସର୍ଭିସ ଓ ଭଲି ଷ୍ଟାଇଲ ଏହି ମୁକାବିଲାକୁ ସୁହାଇବ। ଏହି ମ୍ୟାଚର ବିଜେତା ୨୦୨୪ ବର୍ଷର ଓ୍ବାଲର୍‌ଡ ଗ୍ରୁପ୍‌-୧ରେ ସ୍ଥାନ ପାଇବ। ସର୍ବଭାରତୀୟ ଟେନିସ ଆସୋସିଏଶନ ସେକ୍ରେଟାରି ଜେନେରାଲ ଅନିଲ ଧୂପର କହିଛନ୍ତି ଦେଶ ତରଫରୁ ପ୍ରତିନିଧିତ୍ୱ କରୁଥିବା ଖେଳାଳିଙ୍କ ଏଭଳି ନିଷ୍ପତ୍ତି ଗ୍ରହଣୀୟ ନୁହେଁ। ଏ ବିଷୟ ସେ କାର୍ଯ୍ୟନିର୍ବାହୀ କମିଟି ବୈଠକରେ ପକାଇବେ। ଦେଶ ତରଫରୁ ଯେଉଁ ଖେଳାଳି ଖେଳିବାକୁ ନ ଚାହିଁବେ ତାଙ୍କୁ ଆଉ ଡକାଯିବା ଉଚିତ ନୁହେଁ। ଜଣେ ଖେଳାଳି ଯଦି ଅସୁସ୍ଥ ଅବା ଇଞ୍ଜୁରି ରହୁଛିତାହା ଭିନ୍ନ କଥା।

Share