ପରିବାର କୋର୍ଟରେ ହାଜର ହେଲେ ସୁମିତ

ବ୍ରହ୍ମପୁର ଅଫିସ,୧୧ା୨: ଡା.ସୁମିତ ସାହୁ ଓ ତପସ୍ବିନୀ ଦାଶ ମାମଲାକୁ ନେଇ ରୁଜୁ ହୋଇଥିବା ଛାଡ଼ପତ୍ର ଆବେଦନର ଉଭୟପକ୍ଷ କାଉନ୍‌ସେଲିଂ ପାଇଁ ଗୁରୁବାର ଦିନ ଧାର୍ଯ୍ୟ ହୋଇଥିଲା। କେବଳ ସୁମିତ ପରିବାର କୋର୍ଟରେ ହାଜର ହୋଇଥିଲେ, କିନ୍ତୁ ତପସ୍ବିନୀ ହାଜର ନ ହେବାରୁ କାଉନ୍‌ସେଲିଂ ହୋଇପାରି ନ ଥିଲା ବୋଲି ସୁମିତଙ୍କ ଓକିଲ ସୁରେନ୍ଦ୍ର ବେହେରା ସୂଚନା ଦେଇଛନ୍ତି। ତପସ୍ବିନୀଙ୍କୁ ଛାଡ଼ପତ୍ର ଦେବା ପାଇଁ ସୁମିତ ୨୦୨୧ ସେପ୍ଟେମ୍ବରରେ ପରିବାର କୋର୍ଟରେ ଆବେଦନ କରିଥିଲେ। ଏହାର କାଉନ୍‌ସେଲିଂ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। ଅନ୍ୟପଟେ ତପସ୍ବିନୀଙ୍କ ଭରଣପୋଷଣ ଲାଗି ଡା.ସୁମିତ ମାସିକ ୧୭ହଜାର ଟଙ୍କା ଦେବେ ବୋଲି କୋର୍ଟ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ। ଛୁଟିରେ ଥିବା ଡା. ସୁମିତଙ୍କ ପକ୍ଷରୁ ଗୁରୁବାର ସନ୍ଧ୍ୟାରେ ୧୭ ହଜାର ଟଙ୍କା ଡିମାଣ୍ଡ ଡ୍ରାପ୍ଟ (ଡିଡି) ଆକାରରେ ତାଙ୍କ ଓକିଲ ସୁରେନ୍ଦ୍ର ବେହେରାଙ୍କ ଜରିଆରେ ଏସ୍‌ଡିଜେଏମ ଜିତେନ୍ଦ୍ରିୟ ପାଣିଗ୍ରାହୀଙ୍କ କୋର୍ଟରେ ଦାଖଲ କରିଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ତପସ୍ବିନୀ ବର୍ତ୍ତମାନ ବ୍ରହ୍ମାନଗର ଦ୍ୱିତୀୟ ଲାଇନ୍‌ସ୍ଥିତ ସୁମିତଙ୍କ ଘରେ ରହିଛନ୍ତି। ସେପଟେ ତପସ୍ବିନୀ ଘରକୁ ପ୍ରବେଶ କରିବା ପରେ ତାଙ୍କ ଶ୍ୱଶୁର ପ୍ରମୋଦ ସାହୁ ଜାନୁୟାରୀ ୬ତାରିଖ ରାତିରୁ ଘର ଛାଡ଼ି କେଉଁଆଡେ ଚାଲି ଯାଇଛନ୍ତି। ଡା.ସୁମିତ ମାନସିକ ଦୁଶ୍ଚିନ୍ତା ଓ ଶାରୀରିକ ଅସୁସ୍ଥତାରୁ ଛୁଟିରେ ରହିଛନ୍ତି।