ଓଟିଟିରେ ଡେବ୍ୟୁ କରିବେ ସୁମ୍ବୁଲ

ବମ୍ବେ: ବିଗ୍‌ବସ୍‌ରୁ ଲୋକପ୍ରିୟତା ସାଉଁଟିବା ପରେ ହାତକୁ ଆସିଲା ବଡ଼ ପ୍ରୋଜେକ୍ଟ। ଖୁବ୍‌ଶୀଘ୍ର ଓଟିଟିରେ ଡେବ୍ୟୁ କରିବେ ବିଗ୍‌ବସ୍‌-୧୬ ପ୍ରତିଯୋଗୀ ତଥା ଅଭିନେତ୍ରୀ ସୁମ୍ବୁଲ ତୌକିର ଖାଁ। ସେ ଓ୍ବେବ୍‌ ସିରିଜ ‘ଡିଅର ଇସ୍କ’ ଲାଗି ଚୁକ୍ତି କରି ସାରିଛନ୍ତି। ଏଥିରେ ସେ ଜଣେ ଇନ୍‌ଫ୍ଲୁଏନ୍ସର ଭୂମିକାରେ ନଜର ଆସିବେ।

ସିରିଜ ବିଷୟରେ ସୁମ୍ବୁଲ କହିଛନ୍ତି, ମୁଁ ଫ୍ରିକ୍ସନ ଶୋ’ର ଜଣେ ପ୍ରଶଂସକ। ବିଗ୍‌ବସ୍‌ ପରେ ଏହା ଅଭିନେତ୍ରୀ ଭାବେ ମୋର ପ୍ରଥମ କାମ। ଏଥିପାଇଁ ମୁଁ ଯେତିକି ଉତ୍ସାହିତ ସେତିକି ଚିନ୍ତିତ। ତଥାପି ମୁଁ ସର୍ବଦା ନିଜର ସର୍ବଶ୍ରେଷ୍ଠ ଦେବାକୁ ଚାହୁଁଛି ବୋଲି ସେ କହିଛନ୍ତି।

‘ଡିଅର ଇସ୍କ’ ରବିନ୍ଦର ସିଂଙ୍କ ପୁସ୍ତକ ‘ରାଇଟ୍‌ ମି ଏ ଲଭ୍‌ ଷ୍ଟୋରୀ’ର ଓ୍ବେବ୍‌ ରୂପାନ୍ତରଣ। ଏହା ଏଭଳି ଦୁଇ ବ୍ୟକ୍ତିଙ୍କ କାହାଣୀ ଯିଏ ସମ୍ପୂର୍ଣ୍ଣ ଭିନ୍ନ ଥିବା ବେଳେ ଧୀରେ ଧୀରେ ସେମାନେ ପରସ୍ପରକୁ ପସନ୍ଦ କରନ୍ତି। ଏଥିରେ ସେହବାନ୍‌ ଅଜିମ୍‌ ଲେଖକ ଅଭିମନ୍ୟୁ ରଜଦାନ ଏବଂ ନିୟାତି ଫାଟନାନି ସମ୍ପାଦକ ଅସ୍ମିତା ରାୟଙ୍କ ଭୂମିକାରେ ନଜର ଆସିବେ। ଏହାଛଡ଼ା ପ୍ରମୁଖ କଳାକାରଙ୍କ ଭାବେ କୁନାଲ ବର୍ମା, ବିକାଶ ଗ୍ରୋଭର, କିଶ୍ୱର ମର୍ଚାଣ୍ଟ, ଜ୍ୟୋତି ବି.ବାନାର୍ଜୀ, ପୁନୀତ ତେଜଓ୍ବାନୀ, ରୋମା ବାଲି, ବିନା ମୁଖାର୍ଜୀ ଏବଂ ବାନୀତ କପୁର ମଧ୍ୟ ନଜର ଆସିବେ।

Share