ହାଟଡିହୀ/ଛେନାପଦୀ, ୭।୮ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): ସରପଞ୍ଚଙ୍କ ଆମରଣ ଅନଶନ ପରେ ଆତ୍ମାହୁତି ଚେତାବନୀକୁ ନେଇ ପ୍ରଶାସନ ତରଫରୁ ତତ୍ପରତା ପ୍ରକାଶ ପାଇଛି। ଏହି ଘଟଣା ଏବେ ଅଞ୍ଚଳର ମୁଖ୍ୟ ପ୍ରସଙ୍ଗ ପାଲଟିଛି।
ସର୍ବସାଧାରଣ ସରକାରୀ ରାସ୍ତା ଉପରୁ ଜବରଦଖଲ ଉଚ୍ଛେଦ କରିବା ଦାବିରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତର ସରପଞ୍ଚ ପ୍ରଶାନ୍ତ କୁମାର ରାଉତ ଆମରଣ ଅନଶନ କରିବା ସହ ଦାବି ପୂରଣ ନହେଲେ ଆତ୍ମାହୁତି ଦେବାକୁ ଚେତାବନୀ ଦେଇଥିଲେ। ଏହାପରେ ପ୍ରଶାସନ ତରଫରୁ ତତ୍ପରତା ପ୍ରକାଶ ପାଇଛି।
ସରପଞ୍ଚ ପ୍ରଶାନ୍ତ କୁମାର ରାଉତଙ୍କ ସହ ହାଟଡିହୀ ତହସିଲଦାର ସଞ୍ଜୟ ସାମନ୍ତରାୟ ଆଲୋଚନା କରିଥିଲେ। ସମସ୍ୟାର ସମାଧାନ ନିମନ୍ତେ ତହସିଲଦାର ଚଳିତ ବର୍ଷ ଅକ୍ଟୋବର ମାସ ପର୍ଯ୍ୟନ୍ତ ସମୟ ନେଇଥିବା ସରପଞ୍ଚ ରାଉତ କହିଛନ୍ତି।
ସୂଚନାଯୋଗ୍ୟ, ଗତ ତିନି ବର୍ଷ ଧରି ବଞ୍ଚୋ ପଞ୍ଚାୟତର ୬ ନମ୍ବର ଏବଂ ୪ ନମ୍ବର ୱାର୍ଡରେ ଥିବା ସର୍ବସାଧାରଣ ରାସ୍ତାରୁ ଜବରଦଖଲ ହଟାଇବା ପାଇଁ ସରପଞ୍ଚ ରାଉତ ବାରମ୍ବାର ଜିଲାପାଳଙ୍କ ଅଭିଯୋଗ ଶୁଣାଣି, ଆନନ୍ଦପୁର ଉପଜିଲାପାଳ ଏବଂ ହାଟଡିହୀ ତହସିଲଦାରଙ୍କ ନିକଟରେ ଅଭିଯୋଗ କରିଆସୁଥିଲେ। ଉକ୍ତ ରାସ୍ତାର ଖାତା ନମ୍ବର ୧୦୩୭ ଏବଂ ପ୍ଲଟ ନମ୍ବର ୩୧୦୧ ଓ ୩୧୪୫ ବୋଲି ଜଣାପଡ଼ିଛି।
ତେବେ ବାରମ୍ବାର ଅଭିଯୋଗ ସତ୍ତ୍ୱେ କୌଣସି ସୁଫଳ ମିଳି ନ ଥିବା ସରପଞ୍ଚ ଅଭିଯୋଗ କରିଛନ୍ତି। ଫଳରେ ଚଳିତ ଅଗଷ୍ଟ ୧୨ ତାରିଖରୁ ହାଟଡିହୀ ତହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରିବାକୁ ସେ ନିଷ୍ପତ୍ତି ନେଇଥିଲେ। ଏଥିସହ ଆମରଣ ଅନଶନରୁ କୌଣସି ସୁଫଳ ନମିଳିଲେ ଆତ୍ମାହୁତି ଦେବାକୁ ମଧ୍ୟ ସେ ଚେତାବନୀ ଦେଇଥିଲେ। ଏ ନେଇ ରାଜ୍ୟ ମୁଖ୍ୟମନ୍ତ୍ରୀ, ଓଡ଼ିଶା ରାଜସ୍ୱ ବିଭାଗ, କେନ୍ଦୁଝର ଜିଲାପାଳ ଏବଂ ଏସ୍ପିଙ୍କ ସମେତ ଜିଲାସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ସରପଞ୍ଚ ରାଉତ ପଞ୍ଚାୟତ କାର୍ଯ୍ୟାଳୟର ଚିଠି ନମ୍ବର ୮୩/୧୭, ଜୁଲାଇ ୨୦୨୬ ଅନୁଯାୟୀ ଲିଖିତ ଭାବେ ଅବଗତ କରାଇଥିଲେ।