କୁରାଡିହା ସରପଞ୍ଚଙ୍କ ଆତ୍ମହତ୍ୟା: କାରଣ ଅସ୍ପଷ୍ଟ

ରୂପସା, ୨୧।୮(ବାଞ୍ଛାନିଧି ଦେ)-ବାଲେଶ୍ୱର ସଦର ବ୍ଲକ ଅଧୀନ କୁରାଡ଼ିହା ପଞ୍ଚାୟତ ସରପଞ୍ଚ ନିରଞ୍ଜନ ଧଳ (୪୮) ସୋମବାର ଘରେ ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ବସ୍ତା ଥାନା ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।
ସେ ଦୀର୍ଘଦିନ ଧରି ମାନସିକ ଭାବେ ଚାପରେ ରହୁଥିଲେ। କୋଇଲିସାହିରେ ତାଙ୍କର ପାଖାପାଖି ଦୁଇଟି ଘର ରହିଛି। ମାନସିକ ଭାରସାମ୍ୟ ହରାଇ ସେ ଅନ୍ୟ ଏକ ଘର ଭିତରେ ଫାଶୀ ଲଗାଇ ଦେଇଥିଲେ। ପୋଲିସ ପହଞ୍ଚତ୍ ମୃତଦେହ ଜବତ କରି ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏ ସମ୍ପର୍କରେ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଆଇଆଇସି ଗୋବିନ୍ଦ ବେହେରା ତଦନ୍ତ ଆରମ୍ଭ କରିଛନ୍ତି। ତାଙ୍କ ମୃତ୍ୟୁ ଖବର ପାଇବା ପରେ ବାଲେଶ୍ୱର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ, ବିଧାୟକ ସ୍ବରୂପ ଦାସ, ଭାଜପା ନେତା ମାନସ ଦତ୍ତ, ଗୌରାଙ୍ଗ ଚନ୍ଦ୍ର ଦାସ, ରବିନାରାୟଣ ମହାପାତ୍ର, ଗଙ୍ଗାଧର ରାଉତ, କାର୍ତ୍ତିକ ପ୍ରଧାନ, ସରପଞ୍ଚ ନମିତା ଭୂୟାଁ, ଜିଲା ପରିଷଦ ଅଧ୍ୟକ୍ଷ ନାରାୟଣ ପ୍ରଧାନ, ଜିଲା ପରିଷଦ ସଭ୍ୟ ସଞ୍ଜୟ ସେଠୀଙ୍କ ସମେତ ବହୁ ସରପଞ୍ଚ, ସମିତିସଭ୍ୟ ଓ ମାନ୍ୟଗଣ୍ୟ ବ୍ୟକ୍ତି ପହଞ୍ଚତ୍ ଶେଷଦର୍ଶନ କରିଥିଲେ। ସେ ଭାଜପା ସମର୍ଥତ୍ତ ସରପଞ୍ଚ ଥିଲେ। ତାଙ୍କର ସ୍ତ୍ରୀ, ଦୁଇ ପୁଅ ଓ ସାନ ଭାଇ ଅଛନ୍ତି। ସେ ୨୦୨୧ରେ ଚିଙ୍ଗୁଡ଼ି ଚାଷ କରି କ୍ଷତିଗ୍ରସ୍ତ ହୋଇଥିଲେ। ଏଥିସହ ଲକ୍ଷାଧିକ ଟଙ୍କା ଧାର, କରଜ କରି ଶୁଝିବାରେ ଅସମର୍ଥ ହୋଇଥିଲେ। ଜଣେ ଲୋକପ୍ରିୟ ଜନପ୍ରତିନିଧି ଭାବେ ସେ ସମସ୍ତଙ୍କ ପ୍ରିୟଭାଜନ ଥିଲେ। ମୃତଦେହ ବ୍ୟବଚ୍ଛେଦ ପରେ ସନ୍ଧ୍ୟାରେ ଏକ ଶୋଭାଯାତ୍ରାରେ ଗାଁ ଶ୍ମଶାନରେ ତାଙ୍କ ଅନ୍ତେଷ୍ଟିକ୍ରିୟା ସମ୍ପନ୍ନ ହୋଇଥିଲା।