ଗଞ୍ଜାମ ଏସ୍‌ପି ଅଫିସ ଆଗରେ ଆତ୍ମାହୁତି ଘଟଣା: ୩ ଜଣଙ୍କୁ ବାନ୍ଧିଲା ପୋଲିସ

ଗଞ୍ଜାମ,୨୪।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ରମ୍ଭା ଥାନା ବୋରିଗାଁ ଅଞ୍ଚଳର ବାଦଲ ସାହୁ ନାମକ ଜଣେ ଯୁବକ ଛତ୍ରପୁରସ୍ଥିତ ଏସ୍‌ପି ଅଫିସ ଆଗରେ ଗତ ୧୪ରେ ଆତ୍ମାହୁତି ଉଦ୍ୟମ କରିଥିଲେ । ଉକ୍ତ ଘଟଣାରେ ରମ୍ଭା ଥାନା ପୋଲିସ ସେହି ଗ୍ରାମର ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଛତ୍ରପୁର ଏସ୍‌ଡିପିଓ ଗୌତମ କିଷାନ ସୂଚନା ଦେଇଛନ୍ତି । ଗିରଫ ବ୍ୟକ୍ତି ମାନେ ହେଲେ ପ୍ରଭାକର ନାହାକ, ଦେବ ପ୍ରଧାନ, ସୁରଥ ନାହାକ । ଏଥିରେ ଆଉ ଯେଉଁ ମାନେ ସଂଶ୍ଲିଷ୍ଟ ଅଛନ୍ତି ସେମାନଙ୍କୁ ନେଇ ତଦନ୍ତ ଚାଲିଛି। ପ୍ରମାଣ ମିଳିଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରମ୍ଭା ଥାନା ଆଇଆଇସି ସ୍ବରୂପ କିଷାନ କହିଛନ୍ତି ।

ସୂଚନାଯୋଗ୍ୟ, ଗ୍ରାମରେ ସାମାଜିକ ବାସନ୍ଦ ଯୋଗୁ ନ୍ୟାୟ ପାଇଁ ବାରମ୍ବାର ଥାନାକୁ ଯାଇ ବିଫଳ ହେବା ପରେ ବାଧ୍ୟ ହୋଇ ଏସ୍‌ପି ଅଫିସ ଆଗରେ ଆତ୍ମାହୂତି ଉଦ୍ୟମ କରିଥିଲେ। ତାଙ୍କୁ ପ୍ରଥମେ ଛତ୍ରପୁର ପରେ ବ୍ରହ୍ମପୁର ନିଆଯାଇଥିଲା। ହେଲେ ଅବସ୍ଥା ଗୁରୁତର ହେବା ପରେ ତାଙ୍କୁ କଟକ ଏମ୍ସକୁ ନିଆଯାଇଥିଲା । ସେଠାରେ ଚିକିତ୍ସିତ ଅବସ୍ଥାରେ ବାଦଲଙ୍କ ମୃତ୍ୟୁ ଘଟିଥିଲା ।