ନ୍ୟାୟ ନ ମିଳିବାରୁ ଏସ୍‌ପି ଅଫିସ ସମ୍ମୁଖରେ କିରୋସିନ ଢାଳି ଆତ୍ମାହୁତି ଉଦ୍ୟମ

ଭଦ୍ରକ ଅଫିସ, ୫।୨: ନ୍ୟାୟ ନ ମିଳିବାରୁ ଭଦ୍ରକ ଏସ୍‌ପିଙ୍କ ଅଫିସ ସମ୍ମୁଖରେ ମା’ ଓ ପୁଅ ଶୁକ୍ରବାର କିରୋସିନ ଢାଳି ଆତ୍ମାହୁତି ଉଦ୍ୟମ କରିଛନ୍ତି। ସେମାନେ ହେଲେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବେଲଦା ଗ୍ରାମର ଜୋଶ୍ନାରାଣୀ ପାତ୍ର ଓ ପୁଅ ପଞ୍ଚାନନ ପାତ୍ର ।
ପ୍ରକାଶ ଯେ, ଜୋଶ୍ନାରାଣୀ ଓ ପୁଅ ପଞ୍ଚାନନ ଜମିଜମା ମାମଲାରେ କୋର୍ଟରୁ ଡିଗ୍ରୀ ପାଇଥିଲେ। ଡିଗ୍ରୀ ପରେ ମଧ୍ୟ ଅପରପକ୍ଷ ଜୋର ଜବରଦସ୍ତ ଗୃହ ନିର୍ମାଣ କରୁଛନ୍ତି। ଏହି ଘଟଣାକୁ ନେଇ ପୂର୍ବରୁ ମା’ ଓ ପୁଅ ଥାନାଠାରୁ ଆରମ୍ଭ କରି ଜିଲାପାଳ ଓ ଶେଷରେ ଏସ୍‌ପି ଅଫିସର ଦ୍ୱାରସ୍ଥ ହୋଇଥିଲେ। ତେବେ ବାରମ୍ବାର ଦୌଡ଼ିବା ପରେ ବି ନ୍ୟାୟ ନ ପାଇବାରୁ ଏସ୍‌ପିଙ୍କ ଅଫିସ ସମ୍ମୁଖରେ କିରୋସିନ ଢାଳି ଆତ୍ମାହୁତି ଉଦ୍ୟମ କରିଛନ୍ତି। ପରେ ଉପସ୍ଥିତ ପୋଲିସ କର୍ମଚାରୀ ତାଙ୍କୁ ହେପାଜତରେ ରଖିବା ସହ ଅଧିକ ପଚରାଉଚାର କରୁଛନ୍ତି।