ଦୀପାବଳି ପୂର୍ବରୁ ଝଟକା; ମହଙ୍ଗା ହେଲା ଚିନି, ମାସକରେ ବଢ଼ିଲା ଏତିକି ଟଙ୍କା

ନୂଆଦିଲ୍ଲୀ,୪।୧୧: ପାର୍ବଣ ଋତୁରେ ଚିନିର ଯୋଗାଣ ବଢ଼ାଇବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଇଥିଲେ ମଧ୍ୟ ଖୁଚୁରା ଓ ପାଇକାରୀ ବଜାରରେ ଚିନି ଦର ବୃଦ୍ଧି ପାଇଛି । ଗତ ଏକ ମାସ ମଧ୍ୟରେ କିଲୋ ପିଛା ଚିନି ଦର ୪ ଟଙ୍କାରୁ ଅଧିକ ବଢ଼ିଛି । ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟର ତଥ୍ୟ ଅନୁସାରେ, ଚିନିର ହାରାହାରି ଦୈନିକ ଖୁଚୁରା ଦର କିଲୋ ପିଛା ୫୯.୫୦ ଟଙ୍କା ରହିଥିବା ବେଳେ ପାଇକାରୀ ଦର ୫୫.୪୦ ଟଙ୍କା ରହିଛି।

ବର୍ଷକ ମଧ୍ୟରେ ଚିନି ଦରରେ ୧୨ରୁ ୧୩ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ଘଟିଛି। ଗତବର୍ଷ ଏହି ସମୟରେ ଖୁଚୁରା ବଜାରରେ ଚିନି କିଲୋ ପିଛା ୪୬.୫୦ ଟଙ୍କା ଏବଂ ପାଇକାରୀ ବଜାରରେ ୪୩.୨୩ ଟଙ୍କା ଥିଲା।ନଭେମ୍ବର ୩ ତାରିଖର ତଥ୍ୟ ଅନୁସାରେ, ମହାନଗରଗୁଡ଼ିକ ମଧ୍ୟରେ କୋଲକାତାରେ ଚିନି ଦର ସର୍ବାଧିକ ରହିଛି। ସେଠାରେ କିଲୋ ପିଛା ଚିନି ଦର ୬୫ ଟଙ୍କା ରହିଛି। ଗତବର୍ଷ ଏହି ଦର ୫୦ ଟଙ୍କା ଥିଲା। ସେହିପରି ଦିଲ୍ଲୀରେ ଚିନି କିଲୋ ପିଛା ୬୪ ଟଙ୍କା ରହିଥିବା ବେଳେ ଗତବର୍ଷ ଏହା ୪୬ ଟଙ୍କା ଥିଲା। ମୁମ୍ବାଇରେ ଚିନି ଦର ୬୧ ଟଙ୍କାରେ ପହଞ୍ଚିଛି। ଗତବର୍ଷ ଏହା ୪୫ ଟଙ୍କା ଥିଲା।

୨୦୨୫-୨୬ ଚିନି ଉତ୍ପାଦନ ଋତୁରେ ପୂର୍ବ ଆକଳନ ତୁଳନାରେ ଚିନି ଉତ୍ପାଦନ କମ୍‌ ହେବା ଦର ବୃଦ୍ଧିର ମୁଖ୍ୟ କାରଣ ବୋଲି କୁହାଯାଉଛି । ଏହା ସହିତ ପାର୍ବଣ ସମୟରେ ଚାହିଦା ବୃଦ୍ଧି, ଫସଲ ନଷ୍ଟ, ବିଶ୍ୱ ବଜାରରେ ଯୋଗାଣ ହ୍ରାସ ଏବଂ ମହଜୁଦକାରୀଙ୍କ କାର୍ଯ୍ୟକଳାପ ମଧ୍ୟ ଚିନି ଦର ଉପରେ ଚାପ ସୃଷ୍ଟି କରିଛି । ଚିନି ଦର ନିୟନ୍ତ୍ରଣ ଓ ଯୋଗାଣ ସ୍ୱାଭାବିକ ରଖିବା ପାଇଁ ସରକାର ମହଜୁଦ ସୀମା ନିର୍ଦ୍ଧାରଣ, ଆମଦାନୀ, ବଜାର ଉପରେ କଡ଼ା ନଜର ଏବଂ ଆଖୁ ପେଡ଼ା ଆଗୁଆ ଆରମ୍ଭ କରିବା ଭଳି ପଦକ୍ଷେପ ନେଇଛନ୍ତି ।

ଜାତୀୟ ସମବାୟ ଚିନି କାରଖାନା ମହାସଂଘ ଲିମିଟେଡ୍‌ (NFCSF) ଅନୁସାରେ, ୨୦୨୬-୨୭ ଚିନି ଉତ୍ପାଦନ ଋତୁର ପ୍ରଥମ ମାସରେ ଭାରତ ୮.୪୫ ଲକ୍ଷ ଟନ୍‌ ଚିନି ଉତ୍ପାଦନ କରିଛି । ଅକ୍ଟୋବର ୮ ତାରିଖରୁ ଆଖୁ ପେଡ଼ା ଋତୁ ଆରମ୍ଭ ହୋଇଥିବା ବେଳେ ଅକ୍ଟୋବର ୩୦ ସୁଦ୍ଧା ୧୫୨ଟି କାରଖାନାରେ ଚିନି ଉତ୍ପାଦନ ହୋଇଥିଲା। ଏହାଦ୍ୱାରା ଚାଲିଥିବା ପାର୍ବଣ ଋତୁରେ ଘରୋଇ ବଜାରକୁ ଚିନି ଯୋଗାଣ ବଢ଼ିଛି ।

 

Dharitri – Odisha’s No.1 Odia Daily

Share