ନୂଆଦିଲ୍ଲୀ,୧।୯: ଚିନିର କଳାବଜାରୀ ରୋକିବା ପାଇଁ ସରକାର ଆଉ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଏବେ ଚିନି ଡିଲରମାନେ ୨,୦୦୦ କ୍ୱିଣ୍ଟାଲରୁ ଅଧିକ ଚିନି ଷ୍ଟକରେ ରଖିପାରିବେ ନାହିଁ। ବର୍ତ୍ତମାନ ଏହି ସୀମା ୪,୦୦୦ କ୍ୱିଣ୍ଟାଲ ରହିଛି, ଯାହା ୧ ଅଗଷ୍ଟ ୨୦୨୬ରୁ ଲାଗୁ ହୋଇଛି। ନୂଆ ସୀମା ୧୫ ସେପ୍ଟେମ୍ୱର ୨୦୨୬ରୁ ୩୦ ନଭେମ୍ୱର ୨୦୨୬ ପର୍ଯ୍ୟନ୍ତ ବଳବତ୍ତର ରହିବ। ଘରୋଇ ବଜାରରେ ଚିନିର ପର୍ଯ୍ୟାପ୍ତ ଉପଲବ୍ଧତା ବଜାୟ ରଖିବା ଏବଂ ଦରକୁ ସ୍ଥିର ରଖିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।
ନୂଆ ନିୟମ କ’ଣ?
୧୫ ସେପ୍ଟେମ୍ୱରରୁ କୌଣସି ବି ଚିନି ଡିଲର ଷ୍ଟକ ପାଇବା ତାରିଖରୁ ୩୦ ଦିନରୁ ଅଧିକ ସମୟ ପର୍ଯ୍ୟନ୍ତ ଚିନି ଅଟକାଇ ରଖିପାରିବେ ନାହିଁ। ଏହା ବ୍ୟତୀତ ଦେଶର ଯେକୌଣସି ସ୍ଥାନରେ, ଯେକୌଣସି ସମୟରେ, ୨,୦୦୦ କ୍ୱିଣ୍ଟାଲରୁ ଅଧିକ ଚିନି ଷ୍ଟକ ରଖିବାକୁ ଅନୁମତି ମିଳିବ ନାହିଁ।
କୋଲକାତା ଏବଂ ଏହାର ଆଖପାଖ ମହାନଗରୀୟ ଅଞ୍ଚଳ ପାଇଁ ଷ୍ଟକ ସୀମା ପୂର୍ୱ ଭଳି ୪,୦୦୦ କ୍ୱିଣ୍ଟାଲ ହିଁ ରହିବ। ସରକାରଙ୍କ ଅନୁଯାୟୀ, କୋଲକାତା ଉତ୍ତର ପ୍ରଦେଶ ଏବଂ ମହାରାଷ୍ଟ୍ରରୁ ଚିନି ଆମଦାନୀ କରିଥାଏ। ଏଠାରୁ ପୂର୍ୱ ଭାରତ ସହିତ ଉତ୍ତର-ପୂର୍ୱ ରାଜ୍ୟଗୁଡ଼ିକୁ ମଧ୍ୟ ଚିନି ଯୋଗାଣ ହୋଇଥାଏ। ଏହି କାରଣରୁ ଏହି ଅଞ୍ଚଳ ପାଇଁ ପୁରୁଣା ସୀମାକୁ ବଳବତ୍ତର ରଖାଯାଇଛି।
ସରକାର ଜଣାଇଛନ୍ତି ଯେ ସାରା ଦେଶରେ ଚିନି ମିଲ, ଡିଲର ଏବଂ ବ୍ୟବସାୟୀଙ୍କ ଷ୍ଟକର ନଜର ରଖାଯାଉଛି ଏବଂ ଭୌତିକ ଯାଞ୍ଚ (ଫିଜିକାଲ ଭେରିଫିକେସନ) କରାଯାଉଛି। ଏହି ଯାଞ୍ଚରେ ଧାର୍ଯ୍ୟ ସୀମାଠାରୁ ଅଧିକ ଷ୍ଟକ ରଖିବା, ଷ୍ଟକ ସୂଚନା ଲୁଚାଇବା ଏବଂ ଚିନି ଚଳାଚଳ ତଥା ବିକ୍ରିରେ ଅନିୟମିତତା ମାମଲା ସାମ୍ନାକୁ ଆସିଛି।
ମନ୍ତ୍ରଣାଳୟ ଅନୁଯାୟୀ, ଏହି ପଦକ୍ଷେପ ଏବଂ ବଜାରରେ ଉନ୍ନତ ଉପଲବ୍ଧତା ଯୋଗୁଁ ନିକଟ ଅତୀତରେ ଏକ୍ସ-ମିଲ ଚିନି ଦରରେ ପ୍ରାୟ ୨୦ ପ୍ରତିଶତ ହ୍ରାସ ଘଟିଛି। ଖୁଚୁରା ଦରରେ ମଧ୍ୟ ହ୍ରାସର ଧାରା ଦେଖିବାକୁ ମିଳିଛି ଏବଂ ଆଗକୁ ଏହା ଆହୁରି ହ୍ରାସ ପାଇବ ବୋଲି ଆଶା କରାଯାଉଛି।
ଖାଦ୍ୟ ଏବଂ ସାର୍ୱଜନୀନ ବଣ୍ଟନ ବିଭାଗର ଅନଲାଇନ ପୋର୍ଟାଲରେ ଚିନି ଷ୍ଟକର ନିୟମିତ ଘୋଷଣା ଏବଂ ଅପଡେଟ ବ୍ୟବସ୍ଥା ପୂର୍ୱରୁ କରାଯାଇଛି। ସରକାର କହିଛନ୍ତି ଯେ ଆଗାମୀ ସପ୍ତାହଗୁଡ଼ିକରେ ମିଲ, ଡିଲର ଏବଂ ବ୍ୟବସାୟୀଙ୍କ ଷ୍ଟକର ଭୌତିକ ଯାଞ୍ଚ ଜାରି ରହିବ। ଏଥିସହିତ ପ୍ରକୃତ ବ୍ୟବସାୟ ଏବଂ ବଣ୍ଟନ କାର୍ଯ୍ୟ ବିନା କୌଣସି ବାଧାରେ ଜାରି ରହିବ ବୋଲି ସରକାର ଆଶ୍ୱାସନା ଦେଇଛନ୍ତି।