କ୍ୟାନ୍‌ସର ରୋଗୀଙ୍କ ପାଇଁ କେଶ ଦାନ କଲେ ସୁଦାମ

ଆରଡ଼ି, ୮।୪ (ଡି.ଏନ୍‌.ଏ.): ସମାଜସେବା ହେଉଛି ଜୀବନର ବ୍ରତ। ଛାତ୍ର ଅବସ୍ଥାରୁ ଏହି ଭାବନା ନେଇ ଲୋକଙ୍କ ସେବା ଜାରି ରଖିଛନ୍ତି। କେତେବେଳେ ଡାକ୍ତରଖାନାରେ ରୋଗୀଙ୍କ ପାଇଁ ଖାଦ୍ୟ ଯୋଗାଇ ଦିଅନ୍ତି ତ ଆଉ କେତେବେଳେ ଅସହାୟଙ୍କୁ ସହାୟତାର ହାତ ବଢ଼ାଇଥାନ୍ତି। ଏବେ ନିଜେ ଲଣ୍ଡା ହୋଇ କ୍ୟାନ୍‌ସର ରୋଗୀଙ୍କ ପାଇଁ କେଶ ଦାନ କରିଛନ୍ତି ୧୭ ବର୍ଷୀୟ ସୁଦାମ କୁମାର ସାହୁ। ତାଙ୍କ ଘର ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ସୁନ୍ଦରପୁର ଗଁାରେ। ଏଭଳି ମହାନ୍‌ କାର୍ଯ୍ୟ ପାଇଁ ସେ ଏବେ ଚର୍ଚ୍ଚାରେ ରହିଛନ୍ତି।
ଗ୍ରାମର ଶଶିକାନ୍ତ ସାହୁଙ୍କ ପୁଅ ସୁଦାମ। ସେ ଚଳିତବର୍ଷ ଭୁବନେଶ୍ୱର ରାଜଧାନୀ କଲେଜରେ ଯୁକ୍ତ ୨ ଦ୍ୱିତୀୟ ବର୍ଷ କଳା ପରୀକ୍ଷା ଦେଇଛନ୍ତି। ଅଧ୍ୟୟନ କରୁଥିବା ସମୟରେ ସେ ସେଠାକାର ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନ ସହ ଜଡ଼ିତ ହୋଇ ସମାଜସେବା କରିଆସୁଛନ୍ତି। ପ୍ରତି ରବିବାର ସେ କେତେକ ଡାକ୍ତରଖାନାକୁ ଯାଇ ବିନା ମୂଲ୍ୟରେ ଖାଦ୍ୟ ଯୋଗାଇଥାନ୍ତି। ସେହିପରି ଅପରିଚିତ କିମ୍ବା ସମାଜର ଦୁର୍ବଳ ଶ୍ରେଣୀ ବ୍ୟକ୍ତିଙ୍କ ଶବ ସତ୍କାର କରିବାକୁ ସେ ଆଗେଇ ଆସନ୍ତି। ସେ ଦେଢ଼ବର୍ଷ ତଳୁ କେଶ ବଢ଼ାଇଥିବା ବେଳେ ଗୁରୁବାର ଲଣ୍ଡା ହୋଇଛନ୍ତି। ଉକ୍ତ କେଶକୁ ସେ ଭୁବନେଶ୍ୱରର ଏକ ସାମାଜିକ ସଂସ୍ଥାକୁ ପଠାଇଛନ୍ତି। ୧ ଫୁଟ ଲମ୍ବର ତାଙ୍କ କେଶ କ୍ୟାନ୍‌ସର ରୋଗୀଙ୍କୁ ଦାନ କରାଯିବ। ହାଇଦ୍ରାବାଦସ୍ଥିତ ଏକ କ୍ୟାନ୍‌ସର ହସ୍‌ପିଟାଲକୁ ପଠାଯିବ। ଓଡ଼ିଶାରେ କ୍ୟାନ୍‌ସର ରୋଗୀଙ୍କ ପାଇଁ ମହିଳାମାନେ କେଶ ଦାନ କରିବାର ଅନେକ ଉଦାହରଣ ରହିଛି। ହେଲେ ପୁରୁଷମାନଙ୍କ ମଧ୍ୟରେ ତାଙ୍କ ପୂର୍ବରୁ ମାତ୍ର ୨ଜଣ କେଶ ଦାନ କରିଥିବା ସୁଦାମ କହିଛନ୍ତି। କ୍ୟାନ୍‌ସରରେ ପୀଡ଼ିତ ରୋଗୀମାନେ ନିଜ କେଶ ହରାଇଥାନ୍ତି। ତାଙ୍କ କେଶ ରୋପଣ ଦ୍ୱାରା ଜଣେ କ୍ୟାନ୍‌ସର ରୋଗୀଙ୍କ ମୁହଁରେ ହସ ଫୁଟିପାରିବ। ଏଣୁ ସେ କ୍ୟାନ୍‌ସର ପୀଡ଼ିତଙ୍କୁ କେଶ ଦାନ କରିବେ ବୋଲି ଭାବି ଦେଢ଼ବର୍ଷ ହେଲା କାଟି ନ ଥିଲେ। ତେବେ ସମାଜସେବା କରିବାରେ ତାଙ୍କର ରୁଚି ରହିଛି। ଭବିଷ୍ୟତରେ ଅଙ୍ଗଦାନ କରିବାକୁ ଇଚ୍ଛା ଥିବା ସେ ପ୍ରକାଶ କରିଛନ୍ତି।